ଘୁମୁସର ଜଙ୍ଗଲ ଉପରେ ମାଫିଆଙ୍କ ନଜର । ଲୁଟ୍ ହେଉଛି ଜଙ୍ଗଲ ଜମି । ତଦନ୍ତ ହେଲେ ବି, ହେଉନି କାର୍ଯ୍ୟାନୁଷ୍ଠାନ ।

82

କନକ ବ୍ୟୁରୋ: ଘୁମୁସର ଜଙ୍ଗଲ ଉପରେ ଏବେ ମାଫିଆଙ୍କ ନଜର । ପୂର୍ବରୁ ହାତୀ ଦାନ୍ତ ସହ ଶାଳ, ପିଆଶାଳ, ଶାଗୁଆନ୍ କାଠ ଉପରେ ମାଫିଆଙ୍କ ନଜର ଥିଲା । ହେଲେ ଏବେ ଜଙ୍ଗଲ ଜମି ଉପରେ ପଡ଼ିଛି ମାଫିଆଙ୍କ ଲୋଲୁପ ଦୃଷ୍ଟି । ଉତ୍ତର ଘୁମୁସର ମୁଜାଗଡ଼ ରେଞ୍ଜରେ କୁଲାଡ଼ ସମେତ ଜଗନ୍ନାଥପ୍ରସାଦ ଝାଡ଼ସାହିରୁ ଜଙ୍ଗଲ ଜମି ଲୁଟ୍ ଅଭିଯୋଗ ଉଠିଛି ।

କୁଲାଡ଼ ଜଙ୍ଗଲକୁ ଜଣେ ଜମି ମାଫିଆ ନିଜ ପ୍ଳଟରେ ଜଙ୍ଗଲ ଜମି ମିଶାଇଥିବା ଅଭିଯୋଗ ହୋଇଛି । ଜଣେ ଅବସରପ୍ରାପ୍ତ ଆଇଏଏସ୍ ଶଙ୍କର ନାରାୟଣ ପାଣୀଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କୁ ଇମେଲ୍ ଯୋଗେ ଅଭିଯୋଗ କରିଛନ୍ତିି । ତେବେ ତଦନ୍ତ ଆରମ୍ଭ ହୋଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇନଥିବା ଅଭିଯୋଗ ହୋଇଛି ।

ଜଙ୍ଗଲ ଜମିକୁ ଚିହ୍ନଟ କରିବା ପାଇଁ, ସରକାରୀ ସ୍ତରରେ ସେଟେଲମେଣ୍ଟ କାର୍ଯ୍ୟ ସରିନଥିବାରୁ ପ୍ରକୃତରେ ଜଙ୍ଗଲ ଜମି କେଉଁଠାରୁ ଆରମ୍ଭ ହୋଇଛି ତାହା ଚିହ୍ନଟ କରିବା କଷ୍ଟକର ହେଉଛି । ଏହାର ସୁଯୋଗ ନେଇ ଜମି ମାଫିଆ ଜଙ୍ଗଲକୁ ଲାଗି କିଛି ଜମିପଟ୍ଟା କିଣନ୍ତି ଓ ତହସିଲ କାର୍ଯ୍ୟାଳୟରେ ହାତଗୁଞ୍ଜା ଦେଇ ସେହି ଜମିକୁ ନିଜ ଅକ୍ତିଆର ନିଅନ୍ତି ।

ସୂଚନାଯୋଗ୍ୟ ଯେ, ଘୁମୁସର ଜଙ୍ଗଲର ମୋଟ ଆୟତନ ହାରାହାରି ୨୦୬୫ ବର୍ଗ କିମି । ସେଥିମଧ୍ୟରୁ ଘୁମୁସର ଉତ୍ତର ବନଖଣ୍ଡର ମୋଟ ଆୟତନ ୯୨୨ ବର୍ଗ କିଲୋମିଟର । ଏହି ବିସ୍ତୁତ ଜଙ୍ଗଲ ଉପରେ ପଡ଼ିଛି ମାଫିଆଙ୍କ ନଜର ।