ଡେଲଟା ଛକରେ ସୁନା ଦୋକାନରୁ ସାରା ରାତି ଲୁଟ୍ : ସିସିଟିଭି ଫୁଟେଜରୁ ଲୁଟେରାଙ୍କୁ ଚିହ୍ନିବାକୁ ଚେଷ୍ଟା କରୁଛି ପୁଲିସ

120

କନକ ବ୍ୟୁରୋ : ଭୁବନେଶ୍ୱର ଡେଲଟା ଛକରେ ସୁନା ଦୋକାନରୁ ସାରା ରାତି ଲୁଟ୍ । ଦୋକାନ ଆଗରେ ଫ୍ଲେକ୍ସ ଓ କପଡା ବାନ୍ଧି ଭିତରେ କଳାକନା ବୁଲାଇ ଦେଇଛନ୍ତି ଲୁଟେରା । ସିସିଟିଭିରେ ଲୁଟ୍ ବେଳର ଦୃଶ୍ୟ କଏଦ ହୋଇଛି । କୋଟିଏ ଟଙ୍କାର ସୁନା ଅଳଙ୍କାର ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଶନିବାର ରାତି ପ୍ରାୟ ସାଢେ ୩ଟାରେ ଏହି ଲୁଟ୍ ହୋଇଛି । ଏନେଇ ଅଳଙ୍କାର ଦୋକାନର ମାଲିକ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି ।

ଯୋଜାନାବଦ୍ଧ ଭାବେ ସଟରକୁ କାଟି କାଚଭାଙ୍ଗି ଲୁଟେରାମାନେ ଦୋକାନ ଭିତରେ ପଶିଛନ୍ତି । ଚୋରି ଗହଣା ମଧ୍ୟରେ ଏକ କିଲୋ ସୁନା, ଦେଢଲକ୍ଷ ନଗଦ ଟଙ୍କା ଓ ୧୦ କିଲୋଗ୍ରାମ ରୂପା ଥିବା ଅଭିଯୋଗ ହୋଇଛି । ଦୋକାନର ଷ୍ଟ୍ରଙ୍ଗରୁମକୁ ବି ଭାଙ୍ଗିଦେଇଛନ୍ତି ଲୁଟେରା । ସବୁଠାରୁ ବଡ କଥା ହେଲା, ଦୋକାନରେ ଲାଗିଥିବା ସିସିଟିଭର ହାର୍ଡଡିସ୍କ ବି ଲୁଟେରାମାନେ ଚୋରି କରିନେଇଥିବା ଅଭିଯୋଗ ହୋଇଛି । ଏତଲା ପାଇବା ପରେ ଖଣ୍ଡଗିରି ଥାନା ପୁଲିସ ଛାନଭିନ ଆରମ୍ଭ କରିଛି । ଆଖପାଖର ସିସିଟିଭି ସହାୟତାରେ ଯାଂଚକୁ ଜୋରଦାର କରାଯାଇଛି । କମିଶନରେଟ ପୁଲିସ ଏକ ଟିମ ଗଠନ କରିଛି । ଗତକାଲି ରାତିରେ ବର୍ଷା ଲାଗିରହିଥିବା ବେଳେ ଏହାର ସୁଯୋଗ ନେଇ ଲୁଟେରା ଚୋରି କରିଥିବା ଅନୁମାନ କରାଯାଉଛି ।