ରାଜଧାନୀରେ ଦିନ ଦ୍ୱିପ୍ରହରରେ ଲୁଟ୍ । ରାଜସ୍ଥାନୀ ମହିଳାଙ୍କ ଠାରୁ ବ୍ୟାଗ୍ ଛଡାଇ ନେଉଥିଲେ ଲୁଟେରା, ଓଡିଆ ଯୁବକ ଅଦମ୍ୟ ସାହସ ଦେଖାଇ ଲୁଟେରାକୁ ଗୋଇଠା ମାରି ଉଦ୍ଧାର କଲେ ବ୍ୟାଗ୍

583

କନକ ବ୍ୟୁରୋ : ରାଜଧାନୀରେ ଦିନ ଦ୍ୱିପହରରେ ହେଉଛି ଲୁଟ । ଚାହୁଁ ଚାହୁଁ ମହିଳାଙ୍କ ଠାରୁ ଲୁଟେରା ଛଡାଇ ନେଲା ବ୍ୟାଗ । ହେଲେ ସାହସ ଦେଖାଇଲେ ଓଡିଆ ପୁଅ । ଲୁଟେରାକୁ କାବୁ କରିବା ପାଇଁ ବେଶ କିଛି ଘଂଟା ଧରି ଚାଲିଥିଲା କସରତ । ସମସ୍ତେ ଅବାକ ହୋଇ ରହିଥିବା ବେଳେ ଲୁଟେରାକୁ ଧରିବାକୁ ଚେଷ୍ଟା କରିଥିଲେ ଜଣେ ସାହସୀ ଯୁବକ ।

ଭୁବନେଶ୍ୱର, ମାଷ୍ଟର କ୍ୟାଂଟିନ । ସମୟ-ପ୍ରାୟ ସାଢେ ଗୋଟାଏ । ରାଜଧାନୀର ବ୍ୟସ୍ତବହୁଳ ଅଂଚଳ ମାଷ୍ଟର କ୍ୟାଂଟିନରେ ମାର୍କେଟିଂ କରୁଥିଲେ ରାଜସ୍ଥାନି ଦମ୍ପତି । ମହିଳାଙ୍କ ହାତରେ ଥିଲା ଭ୍ୟାନିଟି ବ୍ୟାଗ । ହଠାତ ଜଣେ ଦୁବୃର୍ତ ଏହି ମହିଳାଙ୍କ ହାତରେ ଥିବା ବ୍ୟାଗଟିକୁ ଛଡାଇ ନେଲେ । ଆଉ ଆଖି ପିଛୁଳାକେ ଘଟଣାସ୍ଥଳରୁ ବାଇକରେ ଫେରାର ହୋଇଯାଇଥିଲେ । ମହିଳା ଜଣଙ୍କ ଜୋରରେ ପାଟି କରିବାକୁ ନିକଟରେ ଥିବା ଜଣେ ଓଡିଆ ଯୁବକ ଦେଖାଇଥିଲେ ଅଦମ୍ୟ ସାହସ । ଲୁଟେରାକୁ ଧରିବା ପାଇଁ ଆଉ ଏକ ବାଇକରେ ଫଲୋ କରିବା ଆରମ୍ଭ କଲେ । ରାସ୍ତାରେ ଚାଲିଲା ଚୋର-ପୋଲିସର ଖେଳ ।

କିଛି ସମୟ ଫଲୋ କରିବା ପରେ ବାଇକ ଚଲାଉଥିବା ବେଳେ ଲୁଟେରା ନିକଟବର୍ତି ହୋଇ ଏକ ଗୋଇଠା ମାରିଥିଲେ । ଓଡିଆ ଯୁବକଙ୍କ ଗୋଇଠା ମାଡରେ ବାଇକରୁ ଗଳି ପଡିଥିଲା ଲୁଟେରା । ବାଇକ ତଳେ ପକାଇ ଦୌଡିବାକୁ ଆରମ୍ଭ କରିଥିଲା ଲୁଟେରା ।

କିଛି ସମୟ ମଧ୍ୟରେ ଲୁଟେରା ଜଣଙ୍କ ସେଠାରୁ କୁଆଡେ ଫେରାର ହୋଇଗଲା । ଆଉ ମିଳିଲାନି ଖୋଜ ଖବର । କିନ୍ତୁ ଓଡିଆ ଯୁବକଙ୍କ ଏହି ସାହସ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଯାଇଛି । ଏହି ଘଟଣା ପୁଣି ଥରେ ପ୍ରମାଣ କରିଛି, ଦିନ ଦିପହରରେ ବି କେତେ ଅସୁରକ୍ଷିତ ରାଜଧାନୀ ।