ଜାଣିଶୁଣି ସ୍କୁଟି ଧକ୍କା କଲେ, ମୋବାଇଲ ଧରି ଛୁ ମାରିଲେ । ମାଷ୍ଟରକ୍ୟାଣ୍ଟିନ ଛକରେ ପ୍ରେମୀ ଯୁଗଳ ବେଶରେ ଆସି ଯୁବକଙ୍କୁ ଲୁଟ୍ ଅଭିଯୋଗ  ।

459

କନକ ବ୍ୟୁରୋ : ଭୁବନେଶ୍ୱରରେ ଗାଡି ଚଳାଉଥିଲେ ଟିକେ ସତର୍କ ରୁହନ୍ତି । ନଚେତ ବିନା ଦୋଷରେ ଆପଣଙ୍କ ଠାରୁ ଚାଲି ଯାଇପାରେ ମୋବାଇଲ, ପର୍ସ । ଏପରିକି ଆବଶ୍ୟକ ପଡିଲେ ମୋଟର ସାଇକେଲ ମଧ୍ୟ ହାତରୁ ଯାଇପାରେ । କାରଣ ଭୁବନେଶ୍ୱରରେ ଏଭଳି ଏକ ଘଟଣାର ଶିକାର ହୋଇଛନ୍ତି ବୟାଳିଶିମୌଜାର ଯୁବକ ।

ମାଷ୍ଟର କ୍ୟାଣ୍ଟିନରେ ଦିନ ଦ୍ୱିପ୍ରହରରେ ଏଭଳି ଲୁଟର ଶିକାର ହୋଇଛନ୍ତି ବୟାଳିଶିମୌଜାରୁ ଭୁବନେଶ୍ୱର ଆସି ପେଡା ବିକ୍ରି କରୁଥିବା ଜଣେ ଯୁବକ । ଯିଏ ମାଷ୍ଟରକ୍ୟାଣ୍ଟିନ ଛକରେ ଗାଡି ବୁଲାଉଥିବା ବେଳେ ଜାଣିଶୁଣି ଏକ ସ୍କୁଟି ତାଙ୍କୁ ଧକ୍କା ଦେଇଥିଲା । ଯେଉଁ ସ୍କୁଟିରେ ଯୁବକ ଓ ଯୁବତୀ ଥିଲେ । କିଛି ପଚାରିବା ପୂର୍ବରୁ ବୟାଳିଶିମୌଜାର ଯୁବକଙ୍କୁ ଧମକ ଚମକ ଦେଇଥିଲେ ଯୁବକ ଓ ଯୁବତୀ । ଏପରିକି ତାଙ୍କ ଠାରୁ ମୋବାଇଲ ଛଡାଇ ନେଇଥିଲେ । କିଛି ବୁଝିବା ପୂର୍ବରୁ ଯୁବତୀ ଜଣକ ଗାଡି ଷ୍ଟାର୍ଟ ମାରି ଆଗକୁ ଚାଲି ଯାଇଥିଲେ ଏବଂ ଯୁବକ ଜଣକ ଗାଡିରେ ଡେଇଁପଡି ବସିବା ସହ ଫେରାର ହୋଇ ଯାଇଥିଲେ ।

ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ କରିବାକୁ ପହଞ୍ଚିଥିଲେ ଯୁବକ । କିନ୍ତୁ ଏଫଆଇଆର ଲେଖିବା ପୂର୍ବରୁ ଖାରବେଳନଗର ଥାନାରେ ମୋବାଇଲ ଫେରାଇ ଦେଇ ପୁଣିଥରେ ଫେରାର ହୋଇଯାଇଥିଲେ ଯୁବକ ଓ ଯୁବତୀ । ଥାନାକୁ ଆସିଥିଲେ ମଧ୍ୟ ପୋଲିସକୁ ସେମାନଙ୍କୁ ଅଟକ ରଖିନଥିଲା । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏଭଳି ଘଟଣା ନିତିଦିନ ଘଟୁଛି । ପ୍ରେମୀ ଯୁଗଳ ହୋଇ ଆସିବା ସହ ନୀରିହ ଯୁବକଙ୍କୁ ଟାର୍ଗେଟ କରୁଛନ୍ତି । ଜାଣିଶୁଣି ଗାଡି ଧକ୍କା କରିବା ସହ ଜୋର ଜବରଦସ୍ତ ମୋବାଇଲ ଓ ପର୍ସ ଲୁଟି ଫେରାର ହୋଇ ଯାଉଛନ୍ତି ।