ମାତିଲେ ଦୁର୍ବୃତ୍ତ । ଗୋଟିଏ ଦିନରେ ବାଙ୍କି ଓ ଖୋର୍ଦ୍ଧାରୁ ବଡ ଧରଣର ଡକାୟତି, ଲୁଟି ନେଲେ ୭ ଲକ୍ଷରୁ ଅଧିକ ଟଙ୍କା

90

କନକ ବ୍ୟୁରୋ : ଗୋଟିଏ ଦିନରେ ଦୁଇ ଦୁଇଟି ବଡ ଲୁଟ ଘଟଣା ପୋଲିସର ନିଦ ହଜେଇଦେଇଛି । ଗୋଟିଏ ବାଙ୍କିରେ ଏବଂ ଆଉ ଗୋଟିଏ ଖୋର୍ଦ୍ଧାରେ । ସୋମବାର ଅପରାହ୍ନରେ ବାଙ୍କି ଷ୍ଟେଟ ବ୍ୟାଙ୍କ ନିକଟରୁ ଜଣେ ଗ୍ୟାସ ଏଜେନ୍ସିର ମାଲିକଙ୍କ ଠାରୁ ୪ଲକ୍ଷ ୯୬ ହଜାର ଟଙ୍କା ଲୁଟିନେଲେ ଦୁବୃର୍ତ । ସେ ଟଙ୍କା ଜମା କରିବାକୁ ଆସୁଥିବା ସମୟରେ ୩ଜଣ ଦୁର୍ବୃତ୍ତ ଏକ ବାଇକରେ ଆସିଥିଲେ । ତାଙ୍କୁ ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟ କରିବା ପରେ ଫେରାର ହୋଇଯାଇଥିଲେ ।

ଲୁଟେରାଙ୍କୁ ଧରିବା ପାଇଁ ସ୍ଥାନୀୟ ଲୋକେ ଯେତେବେଳେ ପିଛା କରିଥିଲେ ସେତେବେଳେ ସେମାନେ ବାଙ୍କିଠାରୁ ୧୫ କିଲୋମିଟର ଦୁର ତ୍ରିଶୁଳିଆ ରାସ୍ତାର ଚକୁଳେଶ୍ୱର ଜଙ୍ଗଲରେ ବାଇକ ଫୋପାଡି ଫେରାର ହୋଇଯାଇଥିଲେ । ବାଙ୍କି ପୋଲିସ ସେଠାରେ ପହଂଚି ବାଇକକୁ ଜବତ କରି ତଦନ୍ତ ଚଳାଇଛି । ସେପଟେ ଖୋର୍ଦ୍ଧାରେ ଏବେ ମାତିଛନ୍ତି ପଲସର ଲୁଟେରା ।

ବ୍ୟାଙ୍କରୁ ଟଙ୍କା ଉଠାଇ ନେଉଥିବା ବେଳେ ଝାମ୍ପିନେଲେ ୨ଲକ୍ଷ ଟଙ୍କା । ଖୋର୍ଦ୍ଧା ଗୁରୁଜଙ୍ଗର କିଶୋର ଚନ୍ଦ୍ର ବରାଳ ଆଇସିଆଇସିଆଇ ବ୍ୟାଙ୍କରୁ ୨ଲକ୍ଷ ଟଙ୍କା ଉଠାଇ ତାଙ୍କ ଗାଡି ଡିକିରେ ରଖିବାକୁ ନେଉଥିବା ବେଳେ ପୂର୍ବରୁ ନଜର ରଖିଥିବା ୨ ଲୁଟେରା ତାଙ୍କ ଠାରୁ ଟଙ୍କା ଝାମ୍ପି ନେଇଥିଲେ । ଏନେଇ ଖୋର୍ଦ୍ଧା ଆଦର୍ଶ ଥାନାରେ ଅଭିଯୋଗ ପରେ ପୋଲିସ ଅନୁସନ୍ଧାନ ଜାରି ରଖିଛି ।