ଲୁଟେରା ସାଜିଲି ମୁଁ ପ୍ରେମିକା ପାଇଁ… ଲୁଟ ଟଙ୍କାରେ ଗାର୍ଲଫ୍ରେଣ୍ଡଙ୍କୁ ଗିଫ୍ଟ । ଟଙ୍କାସୁନା ଲୁଟୁଥିଲେ, ପ୍ରେମିକାଙ୍କୁ ଉପହାର ଦେଉଥିଲେ । ଗିରଫ ପରେ ୫ ଲୁଟେରା ଖୋଲିଲେ ସାଙ୍ଘାତିକ ଗୁମର

981

କନକ ବ୍ୟୁରୋ: ଲୁଟ ଟଙ୍କାରେ ଗାର୍ଲଫ୍ରେଣ୍ଡଙ୍କୁ ଉପହାର । ଲୁଟ କରି ଲୁଟେରା ଦେଇଥିଲା ସୁନା ଅଳଙ୍କାର ଓ ମୋବାଇଲ । ବିଡା ବିଡା ଟଙ୍କା, ମୋବାଇଲ ଆଉ ସୁନା ଅଳଙ୍କାର । ବ୍ରହ୍ମପୁରରେ ବନ୍ଧୁକ ମୁନରେ ୫୦ ଲକ୍ଷ ଲୁଟ୍ ଘଟଣାରେ ପୋଲିସକୁ ମିଳିଛି ବଡ ସଫଳତା । ଲୁଟର ୧୫ ଦିନ ଭିତରେ ୫ ଜଣ ଲୁଟେରାଙ୍କୁ ଗିରଫ କରଛି ପୋଲିସ । ଆଉ ସେମାନଙ୍କ ଠାରୁ ୩୬ ଲକ୍ଷ ୭୭ ହଜାର ଟଙ୍କା ଜବତ କରାଯାଇଛି ।

ସବୁଠାରୁ ବଡ କଥା ହେଉଛି ଲୁଟେରାଙ୍କୁ ଯେତେବେଳେ ପୋଲିସ ୫୦ ଲକ୍ଷ ଟଙ୍କା ନେଇ ପଚରାଉଚରା କରିଥିଲା ସେତେବେଳେ ସାମ୍ନାକୁ ଆସିଥିଲା ଆଉ ଏକ ଚାଂଚଲ୍ୟକର ତଥ୍ୟ । ଲୁଟ୍ ଟଙ୍କାରେ ଗାର୍ଲଫ୍ରେଣ୍ଡକୁ ସୁନା ଅଳଙ୍କାର ଓ ଦାମୀ ମୋବାଇଲ ଉପହାର ଦେଇଥିଲା ଲୁଟେରା ପ୍ରେମିକ । ବଡ କଥା ହେଉଛି, ପ୍ରେମିକା ଜଣକ ଜଣେ ବିଟେକ୍ ଛାତ୍ରୀ । ପୋଲିସ ସଂପୃକ୍ତ ଛାତ୍ରୀଙ୍କ ଘରୁ ସୁନା ଅଳଙ୍କାର ଓ ମୋବାଇଲ ଜବତ କରିଛି ।

ବ୍ରହ୍ମପୁର ଶ୍ରୀରାମ ନଗର ଅଂଚଳରୁ କୋଲକାତାର ଏକ ଗାର୍ମେଣ୍ଟ କମ୍ପାନୀର ଏଜେଣ୍ଟ ଚକାଡୋଳା ମାଝୀ, ୫୦ ଲକ୍ଷ ଟଙ୍କା ନେଇ ବସରେ ଭୁବନେଶ୍ୱର ଆସୁଥିଲେ । ରାସ୍ତାରେ ଲୁଟେରା ବନ୍ଧୁକ ମୁନରେ ତାଙ୍କ ଠାରୁ ଟଙ୍କା ଲୁଟି ନେଇଥିଲେ । ୨ ଦିନ ପରେ ଥାନାରେ ଏତଲା ଦିଆଯିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

ଘଟଣାରେ ଏବେବି ୨ ଲୁଟେରା ଫେରାର ଅଛନ୍ତି । ସେପଟେ ଉଦ୍ଧାର ହୋଇଥିବା ଟଙ୍କା ସଂପୃକ୍ତ ବ୍ୟବସାୟୀଙ୍କୁ ଦିଆନଯାଇ, ପୋଲିସ ପକ୍ଷରୁ କୋର୍ଟରେ ଜମା କରାଯିବ ।