କରୋନା ବଢ଼ାଉଛି କି ଲୁଟ୍ । ଭୋଗରାଇରେ ବନ୍ଧୁକ ମୁନରେ ୟୁକୋ ବ୍ୟାଙ୍କରୁ ଲୁଟିନେଲେ ୨୦ ଲକ୍ଷ ଟଙ୍କା । କଟକ ଗଣ୍ଡରପୁରରେ ଏସବିଆଇ ଏଟିଏମ ଲୁଟ ଉଦ୍ୟମ ବିଫଳ । ୨୪ ଘଂଟାରେ ଆସିଲା ୪ଟି ଲୁଟ ଅଭିଯୋଗ ।

95

କନକ ବ୍ୟୁରୋ : କରୋନା ଚାଲିଛି, ଲୁଟ୍ ବଢିଛି । ଗତ ୨୪ ଘଂଟାରେ ତିନୋଟି ବଡ ବଡ ଲୁଟ୍ ଘଟଣା ଘଟିବା ସହ ଆଉ ଗୋଟିଏ ଲୁଟ୍ ଉଦ୍ୟମ ପଣ୍ଡ ହୋଇଛି । ଗତ କିଛି ଦିନ ହେଲା ଏଭଳି ଖବର, ଗଣମାଧ୍ୟମରେ ଶିରୋନାମା ସାଜିଛି । ଏହି ଘଟଣାସବୁକୁ ନିରେଖେଇ ଦେଖିଲେ ଏହାର ଲିଙ୍କ୍ ଆପଣ କରୋନା ସହ ପାଇବେ ।

ଗତ କାଲି ବାଙ୍କି ଷ୍ଟେଟ ବ୍ୟାଙ୍କ ନିକଟରୁ ଜଣେ ଗ୍ୟାସ ଏଜେନ୍ସିର ମାଲିକଙ୍କ ଠାରୁ ୪ଲକ୍ଷ ୯୬ ହଜାର ଟଙ୍କା ଲୁଟିନେଇଥିଲେ ଦୁବୃର୍ତ । ସେ ଟଙ୍କା ଜମା କରିବାକୁ ଆସୁଥିବା ସମୟରେ ୩ଜଣ ଦୁବୃର୍ତ ଏକ ବାଇକରେ ଆସିଥିଲେ । ତାଙ୍କୁ ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟ କରିବା ପରେ ଫେରାର ହୋଇଯାଇଥିଲେ । ଲୁଟେରାଙ୍କୁ ଧରିବା ପାଇଁ ସ୍ଥାନୀୟ ଲୋକେ ଯେତେବେଳେ ପିଛା କରିଥିଲେ ସେତେବେଳେ ସେମାନେ ବାଙ୍କିଠାରୁ ୧୫ କିଲୋମିଟର ଦୂର ତ୍ରିଶୁଳିଆ ରାସ୍ତାର ଚକୁଳେଶ୍ୱର ଜଙ୍ଗଲରେ ବାଇକ ଫୋପାଡି ଫେରାର ହୋଇଯାଇଥିଲେ । ବାଙ୍କି ପୋଲିସ ସେଠାରେ ପହଂଚି ବାଇକକୁ ଜବତ କରି ତଦନ୍ତ ଚଳାଇଛି ।

ସେହିପରି ଗତକାଲି ଖୋର୍ଦ୍ଧାରେ ବ୍ୟାଙ୍କରୁ ଟଙ୍କା ଉଠାଇ ନେଉଥିବା ବେଳେ ଝାମ୍ପିନେଲେ ୨ଲକ୍ଷ ଟଙ୍କା । ଖୋର୍ଦ୍ଧା ଗୁରୁଜଙ୍ଗର କିଶୋର ଚନ୍ଦ୍ର ବରାଳ ଆଇସିଆଇସିଆଇ ବ୍ୟାଙ୍କରୁ ୨ଲକ୍ଷ ଟଙ୍କା ଉଠାଇ ତାଙ୍କ ଗାଡି ଡିକିରେ ରଖିବାକୁ ନେଉଥିବା ବେଳେ ପୂର୍ବରୁ ନଜର ରଖିଥିବା ୨ ଲୁଟେରା ତାଙ୍କ ଠାରୁ ଟଙ୍କା ଝାମ୍ପି ନେଇଥିଲେ । ଏନେଇ ଖୋଦ୍ଧା ଆଦର୍ଶ ଥାନାରେ ଅଭିଯୋଗ ପରେ ପୋଲିସ ଅନୁସନ୍ଧାନ ଜାରି ରଖିଛି ।
ପୁଣି ଆଜି ବାଲେଶ୍ୱର ଭୋଗରାଇ ବ୍ଲକ ଚୌକିସ୍ଥିତ ୟୁକୋ ବ୍ୟାଙ୍କରୁ ଲୁଟ ହୋଇଛି । ବନ୍ଧୁକ ମୁନରେ ପ୍ରାୟ ୨୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ । ଲୁଟ ପରେ ୨ଟି ବାଇକରେ ୫ଜଣ ଦୁର୍ବୃତ୍ତ ଚମ୍ପଟ ହୋଇଯାଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଦୁର୍ବୃତ୍ତମାନେ ପଶ୍ଚିମବଙ୍ଗ ସୀମାପଟେ ଫେରାର ହୋଇଯାଇଛନ୍ତି ।

ସେହିପରି କଟକ ଗଣ୍ଡରପୁରରେ ଏସବିଆଇ ଏଟିଏମ ଲୁଟ ଉଦ୍ୟମ ବିଫଳ ହୋଇଛି । ତେବେ କରୋନା ସମୟରେ ଏହି ଲୁଟ ହେଉଛି । କରୋନାରେ ରୋଜଗାର ନଥିବାରୁ ଅଧିର ଲୁଟ ହେଉଥିବା କୁହାଯାଉଛି । ଏହି ଘଟଣା ଏବେ ପୋଲିସ ପାଇଁ ଚ୍ୟାଲେଞ୍ଜ ପାଲଟିଛି ।