କନକ ବ୍ୟୁରୋ : ପୁରୀରୁ ଆସିଛି ଏକ ଚାଂଚଲ୍ୟକର ଘଟଣା । ଶୁଣିଲେ ବିଶ୍ୱାସ କରିହେବନି ଯେ ସୋସିଆଲ ମିଡିଆରେ ବି ହୋଇପାରେ ଏପରି ଲୁଟ ଷଡଯନ୍ତ୍ର । ପୁରୀରେ ବଂଟି-ବବଲିଙ୍କ ଏହି କାହାଣୀ ଶୁଣିଲେ ଆପଣଙ୍କ ହୋସ ଉଡିଯିବ । ପ୍ରଥମେ ଫେସବୁକରେ ଯୁବକଙ୍କ ସହ ପ୍ରେମ ସମ୍ପର୍କ । ଆଉ ଥରେ ପ୍ରେମରେ ଫଶିଗଲା ପରେ ଲୁଟ । ପ୍ରେମରେ ଫଶାଇ ଡାକୁଥିଲେ ସ୍ତ୍ରୀ । ଆଉ ବନ୍ଧୁକ୍ ମୁନରେ ଧମକାଇ ଲୁଟ କରୁଥିଲେ ସ୍ୱାମୀ । ଦେଖନ୍ତୁ ଦମ୍ପତିଙ୍କ କଳାକାରନାମାର କାହାଣୀ ।

Advertisment

ଫସାଉଥିଲେ ସ୍ତ୍ରୀ । ଷଡଯନ୍ତ୍ର କରି ଲୁଟୁଥିଲେ ସ୍ୱାମୀ । ଫେସବୁକରେ ଆଞ୍ଜେଲ ରିୟାଙ୍କୁ ସାବଧାନ । ଆପଣ ବି ପଡିପାରନ୍ତି ଆଞ୍ଜେଲ ରିୟାଙ୍କ ପ୍ରେମ ଫାଶରେ । ପ୍ରେମର ଜାଲରେ ଫଶାଇ ଆପଣଙ୍କ ସହ ବି ସେ ରଚିପାରନ୍ତି ଲୁଟର ଷଡଯନ୍ତ୍ର । ପୋଲିସ କବଜାରେ ଥିବା ସେହି ମହିଳା ଜଣଙ୍କ ହେଉଛନ୍ତି ଆଞ୍ଜେଲ ରିୟା । ଅଭିଯୋଗ ଅନୁସାରେ ଆଞ୍ଜେଲ ରିୟା ପ୍ରଥମେ ଫେସବୁକରେ ବାଲେଶ୍ୱରର ଇଂଞ୍ଜିନିୟରିଂ ଛାତ୍ର ଶଶିଭୂଷଣ ସାହୁଙ୍କ ସହ ବନ୍ଧୁତା କରିଥିଲେ । ନମ୍ବର ଦିଆନିଆ ହେଲା । ଆଉ ତାପରେ ଚାଲିଲା ୱାଟ୍ସ ଅପ ଓ ମେସେଞ୍ଜରରେ ଚାର୍ଟିଂ ଓ କଥାବାର୍ତା ।

ଧିରେ ଧିରେ ଆଗକୁ ବଢିଲା ପ୍ରେମ ସମ୍ପର୍କ । ସମୟ ସୁବିଧା ଦେଖି ଶଶିଭୂଷଣଙ୍କୁ ପୁରୀ ଡକାଇଲେ ଯୁବତୀ । ଶଶିଭୂଷଣ ପୁରୀରେ ପହଂଚିବା ପରେ ହଠାତ ଜଣେ ଯୁବକଙ୍କ ସହ ତାଙ୍କର ଭେଟ ହେଲା । ନିଜ ମୋବାଇଲ ଫୋନରେ ଶଶିଭୂଷଣଙ୍କ ଫଟୋ ଦେଖାଇ ବିଶ୍ୱାସ ଜନ୍ମାଇ ତାଙ୍କୁ ଅଜଣା ସ୍ଥାନକୁ ସାଥିରେ ନେଇଗଲେ । ନକଲି ବନ୍ଧୁକ ଦେଖାଇ ତାଙ୍କ ଠାରୁ ସୁନା ଚେନ୍, ମୋବାଇଲ ଓ ୫ହଜାର ଟଙ୍କା ଲୁଟ୍ କରିଥିଲେ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଯୁବକ ଜଣଙ୍କ ହେଲା ଆଞ୍ଜେଲ ରିୟାଙ୍କ ସ୍ୱାମୀ ।

ଶଶୀଭୂଷଣଙ୍କ ଅଭିଯୋଗ ଆଧାରରେ ପୁରୀ ଟାଉନ ଥାନା ପୁଲିସ ଲୁଟ୍ କରିଥିବା ଦମ୍ପତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ଠାରୁ ଚୋରୀ ହୋଇଥିବା ସାମଗ୍ରୀ ସହ ଛୁରି ଓ ବନ୍ଧୁକ ଜବତ କରିଛି ପୋଲିସ । ମହିଳା ଜଣଙ୍କ ନାଁ ରିୟା ଦାସ ହୋଇଥିବା ବେଳେ ସେ ଆଜେଂଲ ରିୟା ନାମରେ ଫେସବୁକରେ ଶଶୀଭୂଷଣଙ୍କ ସହ ସମ୍ପର୍କ ଯୋଡିଥିଲେ । ଲୁଟ ପରେ ସେହି ଚାଟ୍ ସବୁକୁ ଡିଲିଟ୍ କରି ଦେଇଛନ୍ତି । ପୂର୍ବରୁ ୨୦୧୬ରେ ଏମିତି ଏକ ମାମଲା ହୋଇଥିଲା ଏହି ଦମ୍ପତିଙ୍କ ବିରୋଧରେ । ଯେଉଁଥିରେ ସେମାନେ ଗିରଫ ହୋଇ ଜେଲ ଯାଇଥିଲେ ।