କନକ ବ୍ୟୁରୋ : ଠକ ଧରିଛନ୍ତି ମ୍ୟାଜିକ୍ ପେନ୍ । ଆଉ ମ୍ୟାଜିକ୍ ପେନ୍ ମାଧ୍ୟମରେ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଗତ ତିନିଦିନ ଭିତରେ ତିନି ତିନି ଜଣକୁ ଚୁନା ଲଗାଇ ଫେରାର ହୋଇଯାଇଥିବା ଠକକୁ ଖୋଜୁଛି କମିଶନରେଟ ପୁଲିସ । ଖାଲି ଠକର ଫଟୋ ଓ ସିସିଟିଭି ଫୁଟେଜକୁ ନେଇ ତଦନ୍ତ କରୁଛି ପୁଲିସ । ହେଲେ ନା ସେ ଠକ ମିଳୁଛି ନା ମିଳୁଛି ଗାଏବ ହୋଇଯାଇଥିବା ଟଙ୍କା ।

Advertisment

ପୁଣି ଟଙ୍କା ଲୁଟିନେଲା ମ୍ୟାଜିକ୍ ପେନ୍ । ତିନି ଦିନରେ ତିନିଟି ଲୁଟ୍ । କମିଶନରେଟ ପୋଲିସ ଆଗରେ ଚ୍ୟାଲେଞ୍ଜ ସୃଷ୍ଟି କରିଛି ମ୍ୟାଜିକ୍ ପେନ୍ ଲୁଟେରା । ଲୁଟେରା ଏକ, ଠକାମୀର ଶିକାର ହେଉଥିବା ଲୋକ ଭିନ୍ନ ଭିନ୍ନ । ଫଟୋ ଓ ସିସିଟିଭି ଫୁଟେଜକୁ ନେଇ ତଦନ୍ତ କରୁଛି ପୁଲିସ । ହେଲେ ଧରାପଡୁନାହିଁ ଲୁଟେରା । ଦିନ ଯେତିକି ଗଡୁଛି ସେତିକି ନୂଆ ନୂଆ ଅଭିଯୋଗ ସାମନାକୁ ଆସିବାରେ ଲାଗୁଛି । ପୁଣି ଜଣେ ବ୍ୟବସାୟୀଙ୍କୁ ସମାନ ଢଙ୍ଗରେ ୭୨ ହଜାର ଟଙ୍କାର ଚୁନ ଲଗାଇଛି ସେହି ଠକ ଜଣକ । ବ୍ୟବସାୟୀଙ୍କୁ ଋଣ କରାଇ ଦେବା ନାଁରେ ତାଙ୍କ ଆକାଉଣ୍ଟ ଖାଲି କରି ଫେରାର ହୋଇଯାଇଛି ଏହି ଠକ ସର୍ଦାର ।

publive-imageବ୍ୟବସାୟୀଙ୍କୁ ଲୋନ କରାଇ ଦେବା ନାଁରେ ତାଙ୍କ ଆକାଉଣ୍ଟ ଖାଲି କରି ଫେରାର ହୋଇଯାଇଛି ଏହି ହାଇଟେକ୍ ଲୁଟେରା । ତେବେ ଏହି ନୂଆ ଠକେଇ ଅନ୍ୟ ୨ଟି ଘଟଣାଠାରୁ ଟିକିଏ ଅଲଗା ରହିଛି । ସେହି ପୁରୁଣା ଫର୍ମୁଲାରେ ନିଜକୁ ବ୍ୟାଙ୍କ କର୍ମଚାରୀ କହି ଚେକରେ ଦସ୍ତଖତ କରିବା ପାଇଁ ନିଜ ମ୍ୟାଜିକ ପେନ୍ ବ୍ୟବହାର କରିବା ପାଇଁ କହିଥିଲା । କିନ୍ତୁ ବ୍ୟବସାୟୀ ଜଣକ ମନା କରିଥିଲେ । ଆଉ ନିଜ ପକେଟରେ ଥିବା ପେନରେ ଦସ୍ତଖତ କରିଥିଲେ । ଆଉ ବ୍ୟବସାୟୀ ଜଣକ ପ୍ରୋସେସିଙ୍ଗ ଫି ବାବଦକୁ ଦେଇଥିବା ୧୪୯ ଟଙ୍କାର ଚେକକୁ ଜାଲିଆତି କରି ଟଙ୍କା ଗାଏବ କରିଦେଇଥିବା ଅଭିଯୋଗ ଆଣିଛନ୍ତି ବ୍ୟବସାୟୀ । ଚେକରେ ଉଲ୍ଲେଖ ଥିବା ଟଙ୍କା ସ୍ଥାନରେ ନିଜ ମନ ମୁତାବକ ଟଙ୍କା ଲେଖି ଠକି ନେଇଛି । ଏନେଇ ତମାଣ୍ଡୋ ଥାନା ଘଟଣାର ଛାନଭିନ୍ ଆରମ୍ଭ କରିଛି ।

ତେବେ ଏଭଳି ଠକାମୀରୁ ବର୍ତ୍ତିବା ପାଇଁ ଆପଣଙ୍କୁ ରହିବାକୁ ପଡିବ ସତର୍କ ।

- ବ୍ୟାଙ୍କ ଚେକକୁ ସଂପୂର୍ଣ୍ଣ ଭାବେ ନିଜ ପେନରେ ପୂରଣ କରନ୍ତୁ
- ବିଶେଷ କରି କ୍ୟାନସଲ୍ ଚେକ୍ ମାଗୁଥିବା ବ୍ୟକ୍ତିଙ୍କ ଠାରୁ ସାବଧାନ ରୁହନ୍ତୁ
- ବ୍ୟାଙ୍କ କର୍ମଚାରୀ ପରିଚୟ ଦେଇ କେହି ଫୋନ୍ କଲେ, ତାକୁ ଭଲ ଭାବେ ପରଖନ୍ତୁ ।
- ଫୋନରେ ଲୋନ୍ ଅଫର୍ ପାଇଲେ ବ୍ୟାଙ୍କକୁ ଯାଇ ବୁଝନ୍ତୁ
- ଫୋନ୍ ମାଧ୍ୟମରେ ନିଜ ସଂପର୍କରେ, ନିଜ ବ୍ୟବସାୟ ସଂପର୍କରେ କାହାକୁ ସୂଚନା ଦିଅନ୍ତୁ ନାହିଁ ।