ଆଜି ଆସିପାରେ ସେପ୍ଟେମ୍ବର ମାସ ପାଇଁ ଗାଇଡଲାଇନ୍ : ପାର୍ବଣ ଋତୁ ଆସୁଥିବାରୁ କ’ଣ ରହିବ କଟକଣା ?

କୋହଳ କରିବେ କରିବେ କି ନାହିଁ ସମସ୍ତଙ୍କ ନଜର

327

କନକ ବ୍ୟୁରୋ : ଆଜି ଆସିପାରେ ସେପ୍ଟେମ୍ବର ମାସ ପାଇଁ ନୂଆ ଗାଇଡଲାଇନ । ଅଗଷ୍ଟମାସ ଗାଇଡଲାଇନ ସମୟ ଶେଷ ହେବାକୁ ଯାଉଥିବା ବେଳେ ସପ୍ତାହାନ୍ତ ସଟଡାଉନ ହଟାଇବା ପାଇଁ ସ୍ୱର ଉଠିଛି । କରୋନା କଟକଣା ଯୋଗୁଁ ଜୀବନ ଜୀବିକା ପ୍ରଭାବିତ ହୋଇଥିବାରୁ କଟକଣା କୋହଳ କରିବାକୁ ଦାବି ହେଉଛି । ଆଗକୁ ପାର୍ବଣ ଋତୁ ଆସୁଥିବାରୁ କେନ୍ଦ୍ର ସରକାର ଗାଇଡ ଲାଇନ ଜାରି କରି ସାରିଛନ୍ତି । କେରଳରେ ଓନମ ପରେ ସଂକ୍ରମଣ ପୁଣି ବଢିଥିବାରୁ ଏହାକୁ ଏକ ସତର୍କ ସୂଚନା ଭାବେ ଦେଖାଯାଉଛି । ଏପଟେ ଗଣେଶ ପୂଜାଠୁ ପାର୍ବଣ ମାହୋଲ ଆରମ୍ଭ ହେଉଥିବାରୁ ସେପ୍ଟେମ୍ବର ଗାଇଡଲାଇନରେ ସରକାର କଣ ଘୋଷଣା କରିବାକୁ ଯାଉଛନ୍ତି, ତାଉପରେ ସମସ୍ତଙ୍କ ନଜର ରହିଛି ।

ସେପ୍ଟେମ୍ବରରୁ ପାର୍ବଣ ଋତୁ ଆରମ୍ଭ ହେଉଛି । ତେଣୁ ବିଭିନ୍ନ ସ୍ଥାନରେ ଜନଗହଳି ଯେପରି ନ ହୁଏ, ସେଥିପ୍ରତି ସତର୍କ ରହିବାକୁ କେନ୍ଦ୍ର ସରକାର ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ପ୍ରତିହତ କରିବାକୁ ଏହାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞମାନେ ମଧ୍ୟ ମତ ଦେଉଛନ୍ତି । କିନ୍ତୁ କଟକଣା ଜାରି କରାଯିବା ସହ କୌଣସି କ୍ଷେତ୍ରରେ ଜୀବିକା ଯେପରି ପ୍ରଭାବିତ ନ ହୁଏ, ତାହାକୁ ମଧ୍ୟ ଧ୍ୟାନରେ ରଖି ଗାଇଡ୍‌ଲାଇନ୍‌ ଜାରି କରିବା ରାଜ୍ୟ ସରକାରଙ୍କ ଦାୟିତ୍ବ । ତେଣୁ କରୋନାରେ କଲବଲ ହେଉଥିବା ମଣିଷଙ୍କ ବାସ୍ତବ ସ୍ଥିତି ବୁଝି ସରକାର ପଦକ୍ଷେପ ନେବାକୁ ଦାବି ହେଉଛି ।

ଅଗଷ୍ଟ ମାସରେ ବହୁ କଟକଣା କୋହଳ କରି ବିଭିନ୍ନ କ୍ଷେତ୍ରରେ ଜୀବିକାକୁ ସ୍ବାଭାବିକ କରିବା ପାଇଁ ସରକାର ଉଦ୍ୟମ କରିଥିଲେ। କିନ୍ତୁ କିଛି କ୍ଷେତ୍ର ପ୍ରତି ଚରମ ଅବିଚାର କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ରୋକ୍ ଲଗାଇବା ଦ୍ବାରା ଶହ ଶହ କଳାକାର ଅତ୍ୟନ୍ତ ଦୟନୀୟ ସ୍ଥିତିରେ ଦିନ କାଟିଲେ । ରାଜ୍ୟ ସଂସ୍କୃତି ବିଭାଗ ଦୁଇ ତିନିଟି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ମଧ୍ୟ କୌଣସି ଘରୋଇ ସଂସ୍ଥା କାର୍ଯ୍ୟକ୍ରମ ଆୟୋଜନ କରି ନ ଥିଲେ । ଫଳରେ କଳାକାରମାନଙ୍କୁ କାମ ମିଳି ନ ଥିଲା । ସେହିପରି ଯାତ୍ରା ମଞ୍ଚକୁ ସରକାର ଅନୁମତି ଦେଇଥିଲେ ମଧ୍ୟ ନାଇଟ୍‌ କର୍ଫ୍ୟୁ ଯୋଗୁ ଯାତ୍ରା ପରିବେଷଣ ସମ୍ଭବ ନ ଥିଲା। ଏହାକୁ ନେଇ କଳାକାରମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ ।

ସେମିତି ବିବାହ, ବ୍ରତ ଆଦି ସାମାଜିକ କାର୍ଯ୍ୟକ୍ରମରେ ଭୋ‌ଜିଭାତ ଉପରେ କଟକଣା ଲାଗିଥିଲା । ଏହା ଦ୍ବାରା ଟେଣ୍ଟ୍, କ୍ୟାଟରିଂ ଆଦି ସଂସ୍ଥାର କର୍ମଚାରୀମାନେ ଜୀବିକା ହରାଇ ନାହିଁ ନ ଥିବା ସମସ୍ୟା ଭୋଗିଥିଲେ। ରାଜନୈତିକ ଓ ସରକାରୀ କାର୍ଯ୍ୟକ୍ରମରେ ଖୋଲାଖୋଲି ଭୋଜିଭାତ ଚାଲିଥିଲା ବେଳେ ପାରିବାରିକ କାର୍ଯ୍ୟକ୍ରମ ଉପରେ କାହିଁକି ରୋକ୍ ଲାଗିଲା ? ସରକାରଙ୍କ ଏପରି ଦୋମୁହାଁ ନୀତି କରୋନା କଷଣ ଠାରୁ ବଳିଯାଉଛି ବୋଲି ଅଭିଯୋଗ ହେଲାଣି । ତେଣୁ ସେପ୍ଟେମ୍ବର ଗାଇଡ୍‌ଲାଇନ୍ ଜାରି କଲା ବେଳେ ଏସବୁ ଦିଗ ପ୍ରତି ସରକାର ଠିକ୍ ଭାବେ ବିଚାର କରିବେ ବୋଲି ବିଭିନ୍ନ ମହଲରେ ଆଶାପ୍ରକଟ କରିଛନ୍ତି ।

କଟକ, ଭୁବନେଶ୍ବର ଓ ପୁରୀ ସହରରେ ଅଗଷ୍ଟ ମାସରେ ସପ୍ତାହାନ୍ତ ସଟ୍‌ଡାଉନ୍ ଜାରି ହୋଇଛି । ଏହାଦ୍ବାରା ବ୍ୟବସାୟୀ ଓ ସାଧାରଣ ଲୋକ ଅଯଥାରେ ହଇରାଣ ହେଉଛନ୍ତି । ରାଜ୍ୟରେ କରୋନାକୁ ନିୟନ୍ତ୍ରଣ କରାଯାଇଛି ବୋଲି କୁହାଯାଉଥିବା ବେଳେ ରାଜ୍ୟତମାମ ନାଇଟ୍‌ କର୍ଫ୍ୟୁ ଲାଗୁ କରିବା ପଛରେ କି ଯୁକ୍ତି ରହିଛି ? ଏହାକୁ ନେଇ ପ୍ରଶ୍ନ ଉଠିଲାଣି । ସଟ୍‌ଡାଉନ୍ ଓ ନାଇଟ୍‌ କର୍ଫ୍ୟୁ ସଂପର୍କରେ ସରକାର ଭଲ ଭାବେ ମାନସ ମନ୍ଥନ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି ।