କାୟା ମେଲାଉଛି କରୋନା : ଜାଣନ୍ତୁ କିଭଳି ଗତ ୬ ଦିନରେ ବଢି ଚାଲିଛି କରୋନାର ବେଗ

141

କନକ ବ୍ୟୁରୋ : ଦେଶରେ ଲଗାତର ଉପରମୁହାଁ ହୋଇ ରହିଛି କରୋନା ମିଟର । ଗତବର୍ଷ ମାର୍ଚ୍ଚ ମାସ ବେଳକୁ ଯେଭଳି କରୋନାର ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିଲା, ଠିକ ସେହିଭଳି ଚଳିତବର୍ଷ ମାର୍ଚ୍ଚ ଆରମ୍ଭରୁ ପୁଣି କରୋନା କାୟା ମେଲାଇବା ଆରମ୍ଭ କରିଛି । ଗତ ୨୪ ଘଂଟାରେ ପ୍ରାୟ ୪୦ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେବା ସାରା ଦେଶର ଚିନ୍ତା ବଢାଇ ଦେଇଛି । ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୩୯ ହଜାର ୭୨୬ ନୂଆ କରୋନା ଆକ୍ରାନ୍ତ । ଏହି ସମୟ ମଧ୍ୟରେ ୧୫୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି ।

ତେବେ ଏହା ପୂର୍ବରୁ ମଧ୍ୟ ୩୫ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୫ ଲକ୍ଷ ୧୪ ହଜାର ୩୩୧ରେ ପହଂଚିଛି । ବର୍ତ୍ତମାନ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୧ ହଜାର ୨୮୨ ରହିଛି । ତେବେ ଏ ପର୍ଯ୍ୟନ୍ତ ଦେଶରେ ୧ ଲକ୍ଷ ୫୯ ହଜାର ୩୭୦ ଜଣଙ୍କ କରୋନାରେ ମୃତ୍ୟୁ ହେଲାଣି ।

କିଭଳି ଗତ ୬ ଦିନରେ କରୋନା ନିୟମିତ ବଢିଚାଲିଛି । ଗତ ୧୦୨ ଦିନରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତବର୍ଷ ଡିସେମ୍ବର ବେଳକୁ ଗୋଟିଏ ଦିନରେ ୩୬ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏବେ ପୁଣି ସେହି ଧାରା ଆରମ୍ଭ ହୋଇଥିବାରୁ ଚିନ୍ତା ବଢିଯାଇଛି । ଲଗାତର ୮ ଦିନ ଧରି କରୋନାର ସଂକ୍ରମଣ ସାରାଦେଶରେ ବଢିଚାଲିଛି ।

୫ ଦିନରେ ସଂକ୍ରମଣର ଗତି..
ତାରିଖ            ସଂକ୍ରମିତ           ମୃତ
ମାର୍ଚ୍ଚ ୧୯         ୩୯, ୭୨୬        ୧୫୪
ମାର୍ଚ୍ଚ ୧୮         ୩୫, ୮୭୧        ୧୭୨
ମାର୍ଚ୍ଚ ୧୭         ୨୮, ୯୦୩         ୧୮୮
ମାର୍ଚ୍ଚ ୧୬         ୨୪. ୪୯୨         ୧୩୧
ମାର୍ଚ୍ଚ ୧୫         ୨୬, ୨୯୧         ୧୧୮
ମାର୍ଚ୍ଚ ୧୪         ୨୫, ୩୨୦        ୧୬୧

ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଦେଶର ୭୦ ଜିଲ୍ଲା ବଢାଉଛି ଚିନ୍ତା । ଏସବୁ ଜିଲ୍ଲାରୁ କେବଳ ୭୦ ପ୍ରତିଶତ କରୋନା ସଂକ୍ରମିତ ଚିହ୍ନଟ ହେଉଥିବାରୁ ସଂକ୍ରମଣକୁ ରୋକିବା ଲାଗି ପଦକ୍ଷେପ ନେବାକୁ ଜୋର ଦେଇଥିଲେ ପ୍ରଧାନମନ୍ତ୍ରୀ । କଂଟେନମେଂଟ ଜୋନ ଚିହ୍ନଟ କରି କଟକଣା ଲଗାଇବାକୁ କହିଥିଲେ ମୋଦି ।
ଦେଶର ସର୍ବାଧିକ ସଂକ୍ରମିତ ୫ ଜିଲ୍ଲା
ମଧ୍ୟପ୍ରଦେଶ
ରତଲାମ- ୫୦୦%
ଗ୍ୱାଲିୟର- ୩୬୦%
ମହାରାଷ୍ଟ୍ର
ନାନ୍ଦେଡ- ୩୮୫%
ହରିୟାଣା
ଯମୁନାନଗର- ୩୦୦%
ଛତିଶଗଡ
ସୁରଜପୁର- ୪୨୫%

ତେବେ ଏହି ସମୟ ମଧ୍ୟରେ କେମିତି ଚାଲିଛି କରୋନା ପରୀକ୍ଷା ତାହା ମଧ୍ୟ ଗୁରୁତ୍ୱ ରଖୁଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ସାରା ଦେଶରେ ପ୍ରତିଦିନ ହାରାହାରି ୧୦ ଲକ୍ଷ କରୋନା ନମୂନା ପରୀକ୍ଷା କରାଯାଉଛି । ଅର୍ଥାତ ପରୀକ୍ଷା ବଢିନାହିଁ, କିନ୍ତୁ ସଂକ୍ରମଣ ବଢୁଛି । ଯାହା ଆଉ ଏକ ଚିନ୍ତାର କାରଣ ।

ରାଜ୍ୟଗୁଡିକରେ କରୋନା ପରୀକ୍ଷା –

ରାଜସ୍ଥାନ- ୯୭%
ପଞ୍ଜାବ- ୮୯%
ମହାରାଷ୍ଟ୍ର- ୭୧%
ମଧ୍ୟପ୍ରଦେଶ- ୬୫%
ହରିଆଣା- ୮୬%
ଛତିଶଗଡ- ୩୪%

କରୋନାର ସଂକ୍ରମଣରେ ରୋକ ଲଗାଇବାକୁ ହେଲେ ଟିକାକରଣକୁ ଜୋରଦାର କରିବାକୁ ପଡିବ ବୋଲି ବିଶେଷଜ୍ଞଙ୍କ ମତ । ତେବେ ପ୍ରଧାନମନ୍ତ୍ରୀ ତାଙ୍କ ଆଲୋଚନା ବେଳେ କହିଥିଲେ ଯେ, ଦେଶରେ ୬ ପ୍ରତିଶତରୁ ଅଧିକ ଟିକା ନଷ୍ଟ ହେଉଛି । ଲୋକେ ଟିକା ନେବକୁ ଆସୁନଥିବାରୁ ନଷ୍ଟ ହେଉଛି ଟିକା । ଯାହା ଆଉ ଏକ ଉଦବେଗର ବିଷୟ । ଜାଣନ୍ତୁ କେଉଁ ରାଜ୍ୟରେ କେତେ ପ୍ରତିଶତ ଟିକା ନଷ୍ଟ ହେଉଛି ।

କେଉଁ ରାଜ୍ୟରେ କେତେ ଟିକା ନଷ୍ଟ?

ତେଲେଙ୍ଗାନା- ୧୭.୬%
ଆନ୍ଧ୍ରପ୍ରଦେଶ- ୧୧.୬%
ଉତ୍ତର ପ୍ରଦେଶ- ୯.୪%
କର୍ଣ୍ଣାଟକ- ୬.୯%
ଜାମ୍ମୁ-କାଶ୍ମୀର- ୬.୬%