ଫୁଲ ପରି ହାତରେ ହାତୁଡ଼ି ଧରି ଲୁହାର ଛାତି ଚିରୁଛନ୍ତି । ବାପା ଛାଡ଼ିଯାଇଥିବା କୌଳିକ ବୃତ୍ତିକୁ ପଣତରେ ପୂରାଇ ପରିବାରର ପେଟ ପୋଷୁଛନ୍ତି ସଞ୍ଜୁଲତା ।

283

କନକ ବ୍ୟୁରୋ : ଦୃଢମନା ମହିଳା । ଜୀବନର ସବୁ ଝଡଝଞ୍ଜାକୁ ସହି ଆଗକୁ ବଢିଛନ୍ତି ସଞ୍ଜୁଲତା । କମାର ଶାଳରେ ଲୁହାକୁ ଲୁହାରେ ପିଟି ପରିବାର ପୋଷୁଛନ୍ତି ଜଣେ ମହିଳା । ହେଲେ ତାଙ୍କ ପାଖରେ ପହଂଚି ପାରିନି କୌଣସି ସରକାରୀ ସୁବିଧା । ତଥାପି ସେ କାହାକୁ ଭରସା ନକରି ୨୦ ବର୍ଷ ହେବ ନିଜ ଜୀବନ ଡଙ୍ଗାକୁ ନିଜେ ବାହିଛନ୍ତି । ଏହା ହେଉଛି ଜଣେ ପ୍ରେରଣୀଦାୟୀ ମହିଳାଙ୍କ କାହାଣୀ ।

କେନ୍ଦୁଝର ଘସିପୁରା ବ୍ଲକ ସଟତିରା ଗାଁ । ଦିନର ପ୍ରଥମ ସୂର୍ଯ୍ୟ ଗାଁରେ ଆଣିଦିଏ ଏକ ଅଭୂଲା ଅନୁଭୂତି । ଗାଁରେ ପସୁ ପସୁ ଶୁଭେ ଲୁହାକୁ ଲୁହାରେ ପିଟିବାର ଶବ୍ଦ । ଗାଁର ଟିକିଏ ଭିତରକୁ ଗଲେ ସାମ୍ନାକୁ ଆସେ ଏକ କମାରଶାଳର କାହାଣୀ । ଦୁଇ ଦଶନ୍ଧି ଧରି କମାରଶାଳରେ ଗରମ ଲୁହାକୁ ପିଟି ପିଟି ବିଭିନ୍ନ ସାମଗ୍ରୀ ତିଆରି କରୁଛନ୍ତି ଜଣେ ମହିଳା । ଆଉ ଆଜିର ଏହି ପୁରୁଷ ପ୍ରାଧାନ୍ୟ ସମାଜରେ ନାରୀ ବି କୌଣସି ଗୁଣରେ କମ ନୁହଁନ୍ତି ତାର ଏକ ଜ୍ୱଳନ୍ତ ଉଦାହରଣ ସଟତିରା ଗାଁର ସଂଜୁଲତା ପରିଡା ।

ଗରମ ଲୁହାକୁ ପିଟିପିଟି ସାବାଡ କରୁଥିବା ସଂଜୁଲତାଙ୍କ ସଂଘର୍ଷର କାହାଣୀ ଖୁବ୍ ଲମ୍ବା । ୨୨ ବର୍ଷ ତଳେ ସେ ବିବାହ କରିଥିଲେ । ବିବାହକୁ ୨ ବର୍ଷ ନପୁରୁଣୁ ଆରପାରିକୁ ଚାଲିଗଲେ ସ୍ୱାମୀ । କୋଳରେ ୬ ମାସର ଶିଶୁ କନ୍ୟାକୁ ଧରି ବାପାଘରକୁ ଚାଲି ଆସିଲେ ସଂଜୁ । ବାସ ସେବେଠୁ ବାପାଙ୍କ କୌଳିକବୃତି କମାର କାମକୁ ଆଦରି ଜୀବନ ଜିଉଁଛନ୍ତି ସଂଜୁ ଓ ତାଙ୍କ ପରିବାର । ଲୁହାକୁ ପିଟି ପେଟ ପାଇଁ ସିନା ଦାନା ଗଣ୍ଡାଏ ଯୋଗାଡ କରିଛନ୍ତି, କିନ୍ତୁ ମୁଣ୍ଡ ଉପରେ ଛାତଟିଏ କରିପାରିନାହାନ୍ତି ।

ବାପାଙ୍କ ମୃତ୍ୟୁ ପରେ ସଂଜୁ ଏବେ ପୁରା ବେସାହାରା ହୋଇଯାଇଛନ୍ତି । ଆଗକୁ କେମିତି ବଂଚିବେ ସେନେଇ ଚିନ୍ତା ପଡିଥିବା ବେଳେ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ।