ଜାଣନ୍ତୁ କେନାଲ ମ୍ୟାନ ଲଙ୍ଗି ମାଞ୍ଝୀଙ୍କୁ, ୩୦ ବର୍ଷରେ ଖୋଳିଛନ୍ତି ୫ କି.ମି କେନାଲ

101

କନକ ବ୍ୟୁରୋ : ଇଚ୍ଛାଶକ୍ତି ଆଗରେ ସବୁ ପ୍ରତିବନ୍ଧକ ଦୁର୍ବଳ ହୋଇଯାଏ । ସେ ବୟସ ହେଉ କି ଆର୍ଥିକ ସମସ୍ୟା ସଫଳତାର ଇଚ୍ଛା ଆଗରେ ଏମାନେ ଯେ ହାର ମାନିବାକୁ ବାଧ୍ୟ ଏକଥା ପ୍ରମାଣ କରିଛନ୍ତି ଜଣେ ୭୦ ବର୍ଷର ବୃଦ୍ଧ । ଏହି ବୃଦ୍ଧଙ୍କର କାମ ଦେଖି ଲୋକମାନେ ତାଙ୍କୁ ପାଗଳ କହୁଥିଲେ । ହେଲେ ଏବେ ସଫଳତା ପାଇବା ପରେ ସେହିମାନେ ହିଁ ତାଙ୍କ ପ୍ରଶଂସାରେ ଶତମୁଖ । ଖାଲି ପ୍ରଶଂସା କରୁନାହାଁନ୍ତି ଏହି ବୃଦ୍ଧଙ୍କ ପାଇଁ ଏବେ ପାଖଆଖର ବେକାରୀ ଯୁବକ ଆଉ ବାହାରକୁ କାମ ସନ୍ଧାନରେ ନଯାଇ ନିଜର ବୃତ୍ତି ପାଇଛନ୍ତି ।

ଗୋଟେପଟେ ବିହାରରେ ଦୁର୍ନିତୀ ଭିତରେ ବୁଡିରହି ନୀତିଶ ସରକାରଙ୍କର ସ୍ୱପ୍ନର ଯୋଜନା ‘ସାତ ନିଶ୍ଚୟ’ ବଳିପଡିଥିଲା ସେତେବେଳେ ଏହାର ପ୍ରଭାବରେ ପ୍ରତିଘରକୁ ପାନୀୟ ଜଳ ଯୋଗାଣ ଯୋଜନା ବି ଫେଲ ମାରିଥିଲା  । ଏହି କ୍ରମରେ ବି ନୀତିଶ ସରକାରଙ୍କ କେନାଲ ଯୋଜନା ବି ଦୁର୍ନିତୀରେ ବୁଡି ରହି ଫେଲ ମାରିଛି ।

ସେପଟେ ବୟସର ଅପରାହ୍ନରେ ଲଙ୍ଗି ମାଂଝି ଏବେ ବିହାର ଲୋକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ସ୍ୱାଧୀନତାର ୭୦ ବର୍ଷ ପରେ ଯେଉଁ ଅଞ୍ଚଳରେ ମୌଳିକ ସୁବିଧା ଯୋଗାଇବାରେ ଗଣତନ୍ତ୍ରିକ ସରକାର ଫେଲ ହୋଇଛନ୍ତି ସେଠିକାର ଲୋକଙ୍କ ପାଇଁ ଉଦାହରଣ ପାଲଟି ଯାଇଛନ୍ତି ୭୦ ବର୍ଷିୟ ବୃଦ୍ଧ ଲଙ୍ଗି ମାଂଝି । ନକ୍ସଲବାଦ ଓ ଉଗ୍ରବାଦ କୋଳରେ ଥିବା ବିହାର ଗୟା ଜିଲ୍ଲାର ଦୁର୍ଗମ ପାହାଡିଆ ଏବଂ ଜଙ୍ଗଲ ଅଞ୍ଚଳରେ ଲଙ୍ଗି ମାଂଝି କେବଳ ଲୋକଙ୍କ ଜୀବନ ପାଇଁ ପଥ ପରିସ୍କାର କରି ନାହାଁନ୍ତି ବରଂ ଲୋକଙ୍କୁ ଉତ୍ସାହିତ ବି କରିଛନ୍ତି ।

ଆଧୁନିକ ଯୁଗରେ ଯେତେବେଳେ ମୁଠେ ମାଟିତାଡିବାକୁ ମେସିନର ବ୍ୟବହାର କରାଯାଉଛି ସେତେବେଳେ କୋଦଳ ଓ କୁଡି ସହାୟତାରେ ଜଣେ ଲୋକ ପୁରା ୩୦ ବର୍ଷ ଧରି ମାଟିତାଡି ଏକ ୫ କିଲୋମିଟର ଲମ୍ବର କେନାଲ ଖୋଳିଦେବା ଆପଣଙ୍କୁ ଅବାସ୍ତାବ ଲାଗିପାରେ କିନ୍ତୁ କଥାଟି ସତ । ଗୟା ଜିଲ୍ଲା ବାଙ୍କେ ବଜାରର କୋଠିଲବା ଗାଁରେ ରହୁଥିବା ଲଙ୍ଗି ମାଂଝି ଏହା କରି ଦେଖାଇଛନ୍ତି । ପାହାଡରୁ ଝରୁଥିବା ଜଳସ୍ରୋତକୁ ଚାଷଜମି ଓ ଗାଁ ଆଡେ ଆଣିବାକୁ ସେ ଏଭଳି ପ୍ରୟାସ ୩୦ ବର୍ଷ ତଳେ ଆରମ୍ଭ କରିଥିଲେ । ନିଜର ଦୃଢ ଇଚ୍ଛାଶକ୍ତି ଫଳରେ ସେ ଆଜି କେବଳ ସଫଳ ହୋଇନାହାଁନ୍ତି । ଜଳ ଜମିକୁ ଆସିବା ଫଳରେ ଅନେକ ସ୍ଥାନୀୟ ଯୁବକ ଏବେ ଚାଷକୁ ବୃତ୍ତି କରି ବେସ୍ ଖୁସିରେ ଅଛନ୍ତି ।