ଟିକା ପାଇଁ ମେଡିକାଲ ସାମ୍ନାରେ ଲମ୍ବା ଲାଇନ : ଟିକା ଯେତିକି ତାହା ଠାରୁ ଲୋକ ଅଧିକ, ଆଗ ଟିକା ନେବା ପାଇଁ ରାତି ଅଧରୁ ଲାଗିଛି ଭିଡ

168

କନକ ବ୍ୟୁରୋ : ଟିକା ନେବା ପାଇଁ ରାତି ୩ଟାରୁ ଲଗାଇଥିଲେ ଭିଡ । କଟକ ଏସସିବି ମେଡିକାଲ କଲେଜରେ ଟିକା ମିଳିବ ଭାବି ପହଂଚିଯାଇଥିଲେ ଲୋକ । ଦିନ ବଢିଲେ, ଭିଡ ବଢିବ ଭାବି ବୟସ୍କ ଲୋକମାନେ ଟିକା ପାଇଁ ଧାଡିରେ ଛିଡାହୋଇ ରହିଥିଲେ । ହେଲେ ସରକାରଙ୍କ ନିୟମ ଅନୁସାରେ ସାକଳ ସମୟରେ ୧୮ ବର୍ଷରୁ ଅଧିକ ଏବଂ ଅପରାହ୍ନରେ ବୟସ୍କଙ୍କ ଟିକାକରଣ ହେଉଥିବାରୁ ଏମାନଙ୍କୁ ନିରାଶ ହେବାକୁ ପଡିଛି ।

ସେପଟେ ଯାଜପୁର ରୋଡ ମେଡିକାଲରେ ମଧ୍ୟ ଲୋକେ ଟିକା ନେବାପାଇଁ ରାତି ୪ଟାରୁ ଧାଡି ଲଗାଇଥିବା ଦେଖିବାକୁ ମିଳିଛି । ଅତ୍ୟଧିକ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ମୁତୟନ ହୋଇଛି । ପୂର୍ବରୁ ଟୋକନ ଜରିଆରେ ଲୋକଙ୍କ ଟିକାକରଣ ହେଉଥିବାବେଳେ ଭିଡ କମ୍ କରିବାକୁ ଏବେ ହସ୍ପିଟାଲ କର୍ତୃପକ୍ଷ ହିତାଧିକାରୀଙ୍କୁ ଫୋନ କରି ଟିକା ନେବା ପାଇଁ ଡାକୁଛନ୍ତି । ଅର୍ଥାତ ଯେଉଁ ନିର୍ଦ୍ଧାରିତ ହିତାଧିକାରୀଙ୍କୁ ଫୋନ ଯାଇଥିବ କେବଳ ସେହିମାନେ ହିଁ ଟିକା ନେବା ପାଇଁ ଆସିବେ । ତେଣୁ ଏଠାରେ ମଧ୍ୟ ରାତି ୪ଟାରୁ ଆସି ଧାଡିବାନ୍ଧିଥିବା ଲୋକଙ୍କୁ ନିରାଶ ହୋଇ ଫେରିବାକୁ ପଡୁଛି ।