ଜଗା ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭିଡ: ହେଲେ କରୋନା ନେଗେଟିଭ ରିପୋର୍ଟ ନଥିଲେ ଶ୍ରୀମନ୍ଦିରକୁ ପ୍ରବେଶ ମନା; ଏଥିପାଇଁ ଘରୋଇ ମେଡିକାଲରେ ଲାଗିଛି ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ

157

କନକ ବ୍ୟୁରୋ: କାଳିଆ ଦର୍ଶନ ପାଇଁ କରୋନା ନେଗେଟିଭି ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି । କରୋନା ନେଗେଟିଭ ରିପୋର୍ଟ ସାଂଗରେ ନେଲେ ହିଁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ଅନୁମତି ମିଳିଛି । ଏଥିପାଇଁ ଘରୋଇ ମେଡିକାଲରେ ଲୋକଙ୍କ ଲମ୍ବାଲାଇନ ଲାଗିଛି ରିପୋର୍ଟ ପାଇଁ । ଗତ ୨୩ ତାରିଖରେ ଶ୍ରୀମନ୍ଦିର ଖୋଲିଥିବା ବେଳେ ଆଜିଠୁ ସମସ୍ତଙ୍କ ପାଇଁ ମନ୍ଦିର ଖୋଲାଯାଇଛି । କୋଭିଡ କଟକଣା ମଧ୍ୟରେ ଜଗା ଦର୍ଶନ କରୁଛନ୍ତି ଭକ୍ତ ।

ଭକ୍ତ ଓ ଭଗବାନ ଏକାକାର । କରୋନା ଯୋଗୁଁ ୯ ମାସ ଧରି ବନ୍ଦ ରହିବା ପରେ ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର, ଲିଙ୍ଗରାଜ ସମେତ ପ୍ରମୁଖ ମନ୍ଦିର ଓ ପୀଠ । ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ । ପୁରୀ ଜିଲ୍ଲା ସହ ରାଜ୍ୟ ତଥା ରାଜ୍ୟ ବାହାରର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ଆଜିଠୁ କରିପାରିବେ । ହେଲେ, ମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ କରୋନା ନେଗେଟିଭ୍ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ସେହିପରି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ମଧ୍ୟ ଆଜି ଭକ୍ତଙ୍କ ପାଇଁ ଖୋଲିଛି । ୩ରୁ ୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରବାସୀ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିପାରିବେ ।

ଯଦି ଭୁବନେଶ୍ୱରରେ କେହି ଚାକିରୀ କରିଥିବେ ତେବେ ସେମାନେ ନିଜ ପରିଚୟ ପତ୍ର ଦେଖାଇ ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିପାରିବେ । ସେପଟେ ଗଂଜାବର ତାରାତାରିଣୀ ମନ୍ଦିର ଆଜି ଠାରୁ ଖୋଲିଛି । ଭକ୍ତ ଶାନ୍ତି ଶୃଙ୍ଖଳା ସହ ମାଙ୍କ ଦର୍ଶନ କରୁଛନ୍ତି । କେନ୍ଦ୍ରପଡାର ବଳଦେବଜୀଉ ମନ୍ଦିର ଭକ୍ତଙ୍କ ପାଇଁ ଖୋଲୁଛି । ଦୀର୍ଘ ୧୦ ମାସ ପରେ ବଳଦେବଜୀଉଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । କୋଭିଡ ନିମୟ ପାଳନ କରି ଠାକୁରଙ୍କ ଦର୍ଶନ କରିବେ ଭକ୍ତ । ସଂବଲପୁରର ମାଆ ସମଲେଶ୍ୱରୀଙ୍କ ମନ୍ଦିର ଆଜି ଖୋଲୁଛି । କେବଳ ସ୍ଥାନୀୟ ଭକ୍ତଙ୍କ ପାଇଁ ଖୋଲିବ ମାଆ ସମଲେଶ୍ୱରୀ ମନ୍ଦିର । ପ୍ରଥମେ ସଂବଲପୁରର ସ୍ଥାନୀୟ ଲୋକ ମାଆଙ୍କ ଦର୍ଶନର ସୁବିଧା ପାଇବେ । କୋଭିଡ କଟକଣା କାରଣରୁ ମନ୍ଦିର ଦର୍ଶନ ସମୟରେ କିଛିଟା ପରିବର୍ତନ କରିଛି ମନ୍ଦିର ଟ୍ରେଷ୍ଟ ବୋର୍ଡ ।