ପରିବାରର ବୋଝ ହାଲୁକା କରିବ କଣ ଓଲଟି ବୋଝ ହୋଇଗଲା ଭେଣ୍ଡିଆ ପୁଅ, ଦୁର୍ଘଟଣା ବଦଳାଇ ଦେଲା ପରିସ୍ଥିତି, ଭୋକ ଉପାସରେ କଟୁଛି ଜୀବନ : ସରକାରୀ ସାହାଯ୍ୟ ନପାଇଲେ ଆତ୍ମହତ୍ୟା କରିବା ପାଇଁ ସ୍ଥିର କରିଛନ୍ତି ପରିବାର

356

କନକ ବ୍ୟୁରୋ : ବୋଝ ହାଲୁକା କରିବା ବଦଳରେ ବୋଝ ହୋଇଗଲା ଭେଣ୍ଡିଆ ପୁଅ । ଯୁବ ବୟସରେ ଶଯ୍ୟାଶାୟୀ ହୋଇଗଲେ ଯୁବକ । ପୂର୍ବରୁ ବାପା ଦିବ୍ୟାଙ୍କ ଆଉ ଏବେ ଭେଣ୍ଡିଆ ପୁଅ ବିଛଣାରୁ ଉଠୁନାହିଁ । କଣ କରିବ ମା’ ? କେମିତି ଚଳାଇବ ପରିବାର, ପୁଅକୁ ଭଲ କରିବାକୁ ଟଙ୍କା ଆଣିବ କେଉଁଠୁ? ସକାଳଠୁ ରାତି ଯାଏଁ କେବଳ ଏହି ଚିନ୍ତା ହିଁ ଘାରିଛି । ଜିତେନ୍ଦ୍ର ଦେହୁରୀ, ବୟସ ମାତ୍ର ୩୨ । ଦିନେ ପେଶାରେ ଡ୍ରାଇଭର ଥିଲେ । ଗାଡି ଚଲାଇ ଯାହା କିଛି ରୋଜଗାର କରୁଥିଲେ ସେତିକିରେ ପରିବାର ଚଳିଯାଉଥିଲା । ବିଧିରବିଧାନ କିନ୍ତୁ କିଛି ଅଲଗା ଥିଲା । ସାଢେ ୩ ବର୍ଷ ତଳର ସେହି ଗାଡି ଦୁର୍ଘଟଣା ଯେମିତି ସବୁ କିଛି ଭାଂଗି ଛାରଖାର କରିଦେଲା । ହାତ ସହ ଅଂଟା ବି ଭାଂଗିଗଲା । ପରେ ଗୋଡ ପାରାଲିସସ ହୋଇଗଲା । ଏବେ ଗୋଧୋଇବାଠରୁ ଆରମ୍ଭ କରି ଖାଇବା ପିଇବା , ନିତ୍ୟକର୍ମ ପାଇଁ ସେ ଅନ୍ୟ ଉପରେ ନିର୍ଭରଶୀଳ ।

ବିଧିର ବିଧାନ ବି କିଛି କମ ଦାଉ ସାଧିନାହିଁ । ୧୦ ବର୍ଷ ତଳେ ଏକ ଦୁର୍ଘଟଣାରେ ବାପା ଦିବ୍ୟାଙ୍ଗ ହୋଇଯାଇଛନ୍ତି । ୨ ଦୁର୍ଘଟଣା ହିଁ ପରିବାରର ମେରୁଦଣ୍ଡକୁ ବଙ୍କା କରିପକାଇଛି । ଘର ଚଳିବ କେମିତି? ଦିନକୁ ଚାରିବେଳା ଖାଇବା ଆସିବ କେଉଁଠୁ? ଏପରି ଅନେକ ପ୍ରଶ୍ନ ଉଙ୍କି ମାରୁଛି ଜିତେନ୍ଦ୍ରଙ୍କ ମାଆଙ୍କ ମନରେ । ଭେଣ୍ଡିଆ ପୁଅକୁ ଟେକି ଟେକି ବୁଢୀ ମାଆ ଅଂଟାରେ ଆଉ ବଳବି ନାହିଁ । ଖୁଆଇ ଦେଲେ ଖାଉଛି ତ ଶୁଆଇ ଦେଲେ ଶୋଉଛି । ୩୨ ବର୍ଷ ପୁଅର ଦୁଃଖ ଓ କଷ୍ଟକୁ କେମିତି ବା ସହିପାରିବ ମାଆ । ଗୋଟିଏ ପଟେ ପେଟ ଯନ୍ତ୍ରଣାକୁ ଅନ୍ୟ ପଟରେ ଶରୀର ଯନ୍ତ୍ରଣାରେ ଘାଂଟିଚକଟି ହୋଇଯାଉଛି ବିଚରା ବୁଢୀ ମାଆ ।

ପୁଅର ଚିକିତ୍ସା ଲାଗି ଜମିବାଡି ସବୁ ବିକ୍ରି କରିଦେଇଛି ମାଆ । କଟକଠୁ ବୁର୍ଲା ପର୍ଯ୍ୟନ୍ତ ସବୁଆଡେ ଦେଖାଇବା ପରେ ସମସ୍ତଙ୍କର ଗୋଟିଏ କଥା ଦରକାର ଅପରେସନ । କିନ୍ତୁ ଅପରେସନ ପାଇଁ ଗରୀବି ଅଂଟାରେ ଆଉ ଟଙ୍କା ବି ନାହିଁ । ସେପଟେ ଘଟଣା ସମ୍ପର୍କରେ ଜାଣିବା ପରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କହିଛନ୍ତି ଯେ, ପ୍ରକୃତରେ ସ୍ୱାସ୍ଥ୍ୟକୁ ନେଇ ସମ୍ପୃକ୍ତ ଯୁବକଙ୍କୁ ପାଖରେ କି କି ପ୍ରମାଣ ରହିଛି । ତାହା ଅନୁଧ୍ୟାନ କରିବା ପରେ ସରକାରଙ୍କ ପକ୍ଷରୁ ମିଳୁଥିବା ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ । ତେବେ ଅଭାବ ଅନାଟନ ସାଙ୍ଗକୁ ଶରୀରର ଯନ୍ତ୍ରଣା ଆଉ ଜିତେନ୍ଦ୍ରଙ୍କ ପକ୍ଷରେ ସହ୍ୟ କରିହେଉନାହିଁ । ଯଦି ସରକାରୀ ସାହାଯ୍ୟ ତାଙ୍କୁ ନମିଳେ ତେବେ ବାପା ମା’ଙ୍କ ସେ ଆତ୍ମହତ୍ୟା କରିବେ ବୋଲି କୋହଭରା କଣ୍ଠରେ କହିଛନ୍ତି ।