ଆଧାର ସଂଯୋଗ ହୋଇନି ବୋଲି ମିଳୁନି ଆହାର । ଭୋକରେ ଶୋଉଛି ୧୧ ବର୍ଷର ସୀମା। ରାସନକାର୍ଡ ଅଚଳ ହୋଇଗଲା ପରେ ପେଟ ପାଇଁ କରୁଛି ସଂଘର୍ଷ

1,081

କନକ ବ୍ୟୁରୋ: ଜଣେ ଗରିବ ନାବାଳିକା ମୁହଁରୁ ଆହାର ଛଡାଇ ନେଇଛି ‘ଆଧାର’ । କାରଣ ‘ଆଧାର’ ନମ୍ବର ସହ ଝିଅଟିର ରାସନ କାର୍ଡ ସଂଯୋଗ ହୋଇପାରିନି । ଏହା ଜଣେ ୧୧ ବର୍ଷର କୁନି ଝିଅର କାହାଣୀ । ବିଡମ୍ବନା ହେଉଛି ଝିଅଟିର ଆଧାର କାର୍ଡ ନାହିଁ । ଆଉ ଆଧାର କଣ ତାହା ମଧ୍ୟ ସେ ଜାଣେନି । କେନ୍ଦୁଝରଠାରୁ ପାଖାପାଖି ୧୫ କିଲୋମିଟର ଦୂର ସଦର ବ୍ଲକ୍ ମହାଦେଇଯୋଡି ପଂଚାୟତ ସଲରାପେଣ୍ଠ ଗାଁର ସୀମା ମୁଣ୍ଡା । ପାଂଚ କିଲୋ ଚାଉଳ ପାଇଁ ସେ ପଂଚାୟତକୁ ଯାଇ ଯେତେ କାକୁତିମିତନି ହୋଇଥିଲେ ବି ତାକୁ ଚାଉଳ ମିଳିଲା ନାହିଁ । ଆଉ କର୍ମଚାରୀ କହିଲେ କି ରାସନ କାର୍ଡ ସହିତ ଆଧାର ନମ୍ବର ସଂଯୋଗ ହୋଇନାହିଁ । ତେଣୁ ଚାଉଳ ମିଳିବନି । ଏହା ଶୁଣି ମନଦୁଃଖରେ ଘରକୁ ଫେରି ଆସିଥିଲା ସୀମା । ଏବେ ସେ ଜଙ୍ଗଲରୁ କାଠ ସଂଗ୍ରହ କରି ବିକ୍ରି କରୁଛି ଆଉ ଯେତିକି ଟଙ୍କା ମିଳୁଛି ସେଥିରେ ତାର ପେଟ ପାଳୁଛି ।

ସୀମାର ଦୁଃଖର ଅନ୍ତ ନାହିଁ । ଜନ୍ମ କରି ଦେଇ ମାଆ କୁଆଡେ ଚାଲିଗଲା ଆଉ କିଛିଦିନ ପରେ ଅଜଣା ରୋଗରେ ବାପା ବି ମରିଗଲେ । ଏହାପରେ ୮୦ ବର୍ଷର ଜେଜେବାପା ରୟା ମୁଣ୍ଡା ମାତୁଣୀଙ୍କୁ ବହୁ ଦୁଃଖକଷ୍ଟରେ ବଢାଇଥିଲେ । ପାଠ ପଢିବାକୁ ସୀମା ବହୁ ହସ ଖୁସିରେ ଗାଁ ସ୍କୁଲକୁ ଯାଉଥିଲା ହେଲେ ତାକୁ ଜଣା ନଥିଲା କି ତାର ଏହି ଖୁସି ବି ତା ଭାଗ୍ୟରେ ନାହିଁ । କାହିଁକି ନା ଜେବେ ବି ସୀମାକୁ ଏକୁଟିଆ କରି ସବୁଦିନ ପାଇଁ ଆଖିବୁଜି ଦେଲେ ।ଏବଂ ଜେଜେବାପାଙ୍କର ମୃତ୍ୟୁ ପରେ ହିଁ ଦ୍ୱିଗୁଣିତ ହୋଇଯାଇଥିଲା ସୀମାର ଦୁଃଖ । ଜେଜେଙ୍କ ମୃତ୍ୟୁ ପରେ ପୂରା ଏକା ହୋଇଯାଇଛି ସାମୀ । ଜେଜେ ବାପା କରିଥିବା ରାସନ କାର୍ଡରେ ୫ କିଲୋ ଚାଉଳ ଆଣି ପାଖାପାଖି ୨ ବର୍ଷ କାଳ ସେ ଚଳୁଥିଲା  । ହେଲେ ରାସନ ସହ ଆଧାର ଲିଙ୍କ ହୋଇନଥିବା କାରଣରୁ ତାକୁ ଏହି ଚାଉଳ ବି ମିଳିବା ବନ୍ଦ ହୋଇଗଲା ।

ଅନ୍ୟପଟେ ସୀମାର ମୂଳରୁ ହିଁ ଆଧାର କାର୍ଡ ନାହିଁ । ଅନାଥ ନାବାଳିକା ଝିଅଟି କେନ୍ଦୁୁଝର ଯାଇ କିପରି ଆଧାରକାର୍ଡ କରିବ? କେନ୍ଦୁଝର ଯିବାକୁ ତ ତା ପାଖରେ ଟଙ୍କାଟିଏ ବି ନାହିଁ ।  ମାତ୍ର ୫ କିଲୋ ଚାଉଳ ପାଇଁ ପାଞ୍ଚ ପାଞ୍ଚ ଥର ପଞ୍ଚାୟତ କବାଟ ବାଡେଇବା ପରେ ମଧ୍ୟ ସୀମାର ପେଟ କଥା କେହି ଶୁଣିଲେନି । ଆଉ ସରକାରୀ ସହାୟତାରୁ ବଞ୍ଚିତ ହେବାପରେ ପେଟ ପାଇଁ ପ୍ରତିଦିନ କଷ୍ଟ କରି ଚାଲିଛି ସୀମା । ଜଙ୍ଗଲରୁ କାଠ ସଂଗ୍ରହ କରି ବିକ୍ରି କରୁଛି, ସେଥିରୁ ଯେତିକି ଟଙ୍କା ମିଳୁଛି ତାର ପେଟ ପାଳୁଛି । ଆଉ ଯେଉଁ ଦିନ ବର୍ଷା ହେଉଛି ସେ ଦିନ ପାଣି ପିଇ ପେଟକୁ ବୁଝାଇ ଶୋଇପଡୁଛି ସୀମା । ଧୂଳିଖେଳ ବୟସରେ ବେସାହାରା ସୀମାକୁ ଯେବେ ସରକାରୀ ସହାୟତାରୁ ବଞ୍ଚିତ କରାଗଲା ସେବେଠୁ ବଞ୍ଚିବା ପାଇଁ ସଂଘର୍ଷ କରୁଛି ସୀମା । ଅସହାୟ ସୀମାକୁ କିଏ କରିବ ସାହାଯ୍ୟ? ଜୀବନ ଜିଁବାକୁ ସଂଘର୍ଷ କରୁଥିବା ସୀମା କେବେ ପାଇବ ସରକାରୀ ସହାୟତା? ଆଉ କ’ଣ ଆଧାରକାର୍ଡ ନାହିଁ ବୋଲି ଏମିତି ଅଧାରେ ରହିବ କି ସୀମାର ଜୀବନ? ଏଭଳି ଅନେକ ପ୍ରଶ୍ନ ସାଧାରଣରେ ଉଠିଥିବାବେଳେ ସୀମାକୁ କେବେ ସହାୟତାର ହାତ ବଢ଼ାବେ ସରକାର ତାହା ଏବେ ଦେଖିବାକୁ ବାକି ରହିଲା ।