ପ୍ରଭାତଙ୍କ ଗୁହାରୀ… ସରକାର ! ମତେ ଭଲ କରିଦିଅ, ମୁଁ ବାପାମାଆଙ୍କ ବୋଝ ହେବାକୁ ଚାହୁଁନି…

232

କନକ ବ୍ୟୁରୋ: କଷ୍ଟର କାନ୍ଥକୁ ଆଉଜି ବସିଛି ମାଆ, ଭଙ୍ଗା ଘରେ ଭାଗ୍ୟକୁ ଆଦରି ବସିଛନ୍ତି ବାପା । ଆଉ ଅସହାୟତା ମାଟି ଚଟାଣରେ ଚିତ ମାରି ଶୋଇଛି ପୁଅ । ନା ଉଠିବସି ପାରୁଛି ନା ଚାଲିବୁଲି ପାରୁଛି । ଏମିତି ୭/୮ ମାସ ହେବ ରୋଗ ବିଛଣାରେ ପଡି ରହିଛି ଘରର ରୋଜଗାରିଆ ପୁଅ । ଆଜି ଯଦି ସେ ଭଲ ଥାଆନ୍ତା, କାମଧନ୍ଦା କରୁଥାନ୍ତା ତେବେ ଏ ଚାଳ ଘରର ଛପର କଣ ଏମିତି ଥାନ୍ତା ନା ବୁଢା ବୟସରେ ବାପା ଭେଣ୍ଡିଆ ପୁଅର ବୋଝ ବହୁଥାନ୍ତେ … ଏମିତି ଭାବି ଭାବି ନିଜ ଭାଗ୍ୟକୁ ଧିକାର କରୁଛନ୍ତି ପ୍ରଭାତ ।

ଯାଜପୁର ଜିଲ୍ଲା କୋରେଇ ବ୍ଲକ ନୂଆପାଟଣା ଗାଁର କୃଷ୍ଣଚନ୍ଦ୍ର ସାହୁଙ୍କ ପୁଅ ପ୍ରଭାତ  । ବୟସ ୨୭ ବର୍ଷ । ତାଙ୍କ ଦେହରେ ଏକ ଭୟଙ୍କର ଘା ବ୍ୟାପିଛି ଯେ, ଏବେ ଭଲ ହେବା ତାଙ୍କ ପାଇଁ ଭାରି ମୁସ୍କିଲ ହୋଇ ପଡିଛି । ୭/୮ ମାସ ତଳେ ହଠାତ ଜ୍ୱର ହୋଇଥିଲା । ପରେ ତାଙ୍କୁ ସ୍ଥାନୀୟ ମେଡିକାଲରେ ଦେଖାଇଥିଲେ । ଅଣ୍ଟା ତଳେ ଏକ ଛୋଟିଆ ଘା ହୋଇଥିଲା । ଯାହାକୁ ଡ୍ରେସିଂ କରି ଘରକୁ ପଠାଇ ଦେଇଥିଲେ ଡାକ୍ତର । ପରେ ଧିରେଧିରେ ଘା ବଡ ହେବାରୁ ପରିବାର ଲୋକେ କଟକ ଆଣିଥିଲେ । କିନ୍ତୁ କିଛି ସୁଫଳ ନମିଳିବାରୁ ଏବେ ଘରେ ପଡି ରହିଛନ୍ତି ପ୍ରଭାତ ।

ସେପଟେ ବାପା ଦିନ ମଜୁରିଆ । ଓଳିଏ ଖାଇଲେ ଓଳିଏ ଉପାସ । ଯାହା ଖଟନ୍ତି ସେଥିରେ ଖିଆପିଆ । ପୁଅ ରୋଜଗାର କରୁଥିଲା ଯେ ଘରେ ସମସ୍ତେ ଭଲରେ ଚଳୁଥିଲେ । ହେଲେ ପୁଅ ବିଛଣାରେ ପଡିବା ପରେ ତାକୁ ଭଲ କରିବାକୁ ବାପା ଲାଗୁଛନ୍ତି ମୂଲ । ହେଲେ ମଜୁରୀ ଟଙ୍କାରେ କଣ ଚିକିତ୍ସା କରାଇ ହେବ ନା ପୁଅକୁ ଭଲ କରିହେବ । ତେଣୁ ହାତ ପାତିଛନ୍ତି ବାପା କୃଷ୍ଣଚନ୍ଦ୍ର ।

ବଡ ଡାକ୍ତରଖାନା କିମ୍ବା ଅଧିକ ଚିକିତ୍ସା କରାଇଲେ ହୁଏତ ପ୍ରଭାତଙ୍କ ଏ ଘା ଭଲ ହୋଇଯାଆନ୍ତା ହେଲେ ଅଧିକ ଚିକିତ୍ସା ପାଇଁ ଏତେ ଟଙ୍କା ଆସିବ କେଉଁଠୁ । ତେଣୁ ଗରିବ ପରିବାରର ଅସମୟରେ ଯଦି ହେି ସହୃଦୟ ବ୍ୟକ୍ତି କିମ୍ବା ଜିଲ୍ଲା ପ୍ରଶାସନ ସାହାଯ୍ୟ କରନ୍ତା ତେବେ ଗୋଟେ ଭାସିଯାଉଥିବା ସଂସାର କୂଳରେ ଲାଗି ପାରନ୍ତା ।