୧୩ ଫୁଟର ଘରର ଦାମ ୫ କୋଟି! କିଣିବା ପାଇଁ ଲୋକଙ୍କ ଭିତରେ ପ୍ରତିଯୋଗିତା ।

299

କନକ ବ୍ୟୁରୋ : ସୁନ୍ଦର ଘରଟିଏ ପାଇଁ କିଏ ବା ନଚାହେଁ । ଏଥିପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ କରିବାକୁ ପଛାନ୍ତି ନାହିଁ ଲୋକେ । କେବଳ ଘରଟିଏ କରିଦେଲେ ହେବନି ବରଂ ଏହାର ଡିଜାଇନ, ଲୋକେସନ ଉପରେ ମଧ୍ୟ ଧ୍ୟାନ ଦିଅନ୍ତି ଲୋକେ । କିନ୍ତୁ ଇଂଲଣ୍ଡର କିଙ୍ଗଷ୍ଟନ ଓ ଚେଲିସିଆରେ ଥିବା ଏକ ଘରର ମୂଲ୍ୟ ଭାରତୀୟ ମୁଦ୍ରାରେ ପାଖାପାଖି ୫ କୋଟି ଟଙ୍କା ରହିଛି । ଆଉ ସବୁଠୁ ବଡ କଥା ହେଲା ଏହି ଘରଟି ମାତ୍ର ୧୩ ଫୁଟ୍ ଚଉଡା । କିନ୍ତୁ ଏହାର ଦାମ ଆକାଶଛୁଆଁ । ଆଉ ଏହାସତ୍ତେ୍ୱ ମଧ୍ୟ ଏହି ଘରକୁ କିଣିବାକୁ ଅନେକ ଲୋକ ଆଗ୍ରହ ପ୍ରକାଶ କରିଛନ୍ତି ।

ଏହି ଘରଟି ଦେଖିବାକୁ ଫିଲ୍ମରେ ବ୍ୟବହୃତ ଘର ଭଳି । ବାହାରକୁ ଏହା ଯେତେ ଛୋଟ ଦେଖା ଯାଉଥିଲେ ମଧ୍ୟ ଏହାର ଭିତର ଦେଖିଲେ ଆପଣ ତାଜୁବ ହୋଇଯିବେ । କାରଣ ଏହାର ଡିଜାଇନିଂ କିଛି ସେମିତି ଢଙ୍ଗରେ କରାଯାଇଛି । ଘର ଭିତରେ କରିଡର ରହିଥିବା ବେଳେ ଦୁଇଟି ବେଡରୁମ ରହିଛି । ଏହାଛଡା ଏକ ଲିଭିଂ ରୁମ୍ ରହିଥିବା ବେଳେ ଏହି ଘର ଭିତରେ ଏକ ଛୋଟ ବଗିଚା ମଧ୍ୟ ରହିଛି । ଘରକୁ ଏତେ ଆକର୍ଷଣୀୟ ଢଙ୍ଗରେ ସଜାଯାଇଛି ଯେ ଏହା ବେଶ ବଡ ଦେଖାଯାଉଛି ।

ଏହି ଦାମୀ ଘରଟି ଥର୍ଲୋ ସ୍କୋୟାରରେ ରହିଛି । ଆଉ ଏହି ଘର ସାମ୍ନାରେ ଏକ ସୁନ୍ଦର ପାର୍କ ମଧ୍ୟ ରହିଛି । ଯେଉଁଥିପାଇଁ ଏତେ ଛୋଟ ଘରକୁ ମଧ୍ୟ କୋଟି କୋଟି ଟଙ୍କା ଦେଇ କିଣିବାକୁ ପଛାଉ ନାହାନ୍ତି ଲୋକେ । ୫ ଫ୍ଲୋର ବିଶିଷ୍ଟ ଏହି ଘର ୧୦୩୪ ବର୍ଗ ମିଟର ପରିମିତ ଅଞ୍ଚଳରେ ବ୍ୟାପିଛି । ଏହାପୂର୍ବରୁ ଇଂଲଣ୍ଡର ଥିବା ୧.୬୬ ମିଟରର ଏକ ଘର ୬ କୋଟି ଟଙ୍କାରେ ବିକ୍ରି ହୋଇଥିଲା ।