କନକ ବ୍ୟୁରୋ : ବିହାର ଲୋକସଭା ନିର୍ବାଚନର ଫଳାଫଳ ଧିରେ ଧିରେ ଆସିବାରେ ଲାଗିଛି । ପ୍ରାରମ୍ଭିକ ଗଣନା ମୁତାବକ ବିହାରରେ ନୀତିଶ କୁମାରଙ୍କ ଜେଡିୟୁ ପାର୍ଟି ଭଲ ପ୍ରଦର୍ଶନ କରିପାରେ ବୋଲି ଅନୁମାନ କରାଯାଉଛିା ସେପଟେ ଆରଜେଡି ୨୦୧୯ ନିର୍ବାଚନ ତୁଳନାରେ ଭଲ ପ୍ରଦର୍ଶନ କରିପାରେ ।

ଏହି କ୍ରମରେ ଚଳିତ ନିର୍ବାଚନରେ ଲାଲୁ ଯାଦବଙ୍କ ଦୁଇ ଝିଅ ମିସା ଭାରତୀ ଓ ରୋହିଣୀ ଆଚାର୍ଯ୍ୟ ମଧ୍ୟ ନିର୍ବାଚନ ଲଢୁଛନ୍ତି । ମୀସା ଭାରତୀ ପାଟଳିପୁତ୍ର ଲୋକସଭା କ୍ଷେତ୍ରରୁ ନିର୍ବାଚନ ଲଢୁଥିବା ବେଳେ ରୋହିଣୀ ଆଚାର୍ଯ୍ୟ ସାରଣ ଲୋକସଭା କ୍ଷେତ୍ରରୁ ନିର୍ବାଚନ ଲଢୁଛନ୍ତି ।

ପାଟଳିପୁତ୍ର ଆସନରୁ ନିର୍ବାଚନ ଲଢୁଥିବା ମୀସା ଭାରତୀଙ୍କ ବିରୋଧରେ ନିର୍ବାଚନ ଲଢୁଛନ୍ତି ବିଜେପି ପ୍ରାର୍ଥୀ ରାମକୃପାଳ ଯାଦବ । ହେଲେ ଗଣତି ସରି ନଥିବା ବେଳେ ଶେଷ ସୂଚନା ମୁତାବକ ମୀସା ଭାରତୀ ରାମକୃପାଳ ଯାଦବଙ୍କ ଠାରୁ ୬୦ ହଜାର ଭୋଟରେ ଆଗୁଆ ଅଛନ୍ତି । ସେହିଭଳି ରୋହିଣୀ ଆଚାର୍ଯ୍ୟ ସାରଣ ଲୋକସଭା କ୍ଷେତ୍ରରୁ ନିର୍ବାଚନ ଲଢୁଛନ୍ତି । ବିଜେପି ରୋହିଣୀଙ୍କ ବିରୋଧରେ ରାଜୀବ ପ୍ରତାପ ରୁଢୀଙ୍କ ପ୍ରାର୍ଥୀ କରିଛି । ଶେଷ ସୂଚନା ମୁତାବକ ରାଜୀବ ପ୍ରତାପ ରୁଢୀ ୧୫ ହଜାର ଭୋଟରେ ଆଗୁଆ ଚାଲିଛନ୍ତି ।