କରୋନାରେ ଲୋକପାଳ ସଦସ୍ୟ ଜଷ୍ଟିସ୍ ଏ.କେ. ତ୍ରିପାଠୀଙ୍କ ପରଲୋକ । ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ବେଳେ ୬୨ ବର୍ଷ ବୟସରେ ମୃତ୍ୟୁ

347

କନକ ବ୍ୟୁରୋ: କରୋନା ଯୋଗୁଁ ଲୋକପାଳ ସଦସ୍ୟ ତଥା ଛତିଶଗଡ଼ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏ.କେ. ତ୍ରିପାଠୀଙ୍କ ପରଲୋକ ଘଟିଛି । ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ପରଲୋକ ଘଟିଛି । ସେ ନଭେଲ୍ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିଲେ । କରୋନା ପଜିଟିଭ୍ ଥିବା ଜଣାପଡ଼ିବା ପରେ ତାଙ୍କୁ ଏପ୍ରିଲ ୨ ତାରିଖରେ ଦିଲ୍ଲୀ ଏମ୍ସରେ ଭର୍ତି କରାଯାଇଥିଲା । ତେବେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତି କରାଯାଇଥିଲା । ଭେଂଟିଲେଟରରେ ରହିଥିଲେ ଜଷ୍ଟିସ୍ ତ୍ରିପାଠୀ ।

ଗତକାଲି ରାତି ୮ଟା ୪୫ ରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା । ଲୋକପାଳର ୪ ଜଣ ସଦସ୍ୟଙ୍କ ମଧ୍ୟରେ ଜଷ୍ଟିସ ଏକେ ତ୍ରିପାଠୀ ଅନ୍ୟତମ ଥିଲେ । ଜଷ୍ଟିସ ତ୍ରିପାଠୀଙ୍କ ଝିଅ ଓ ତାଙ୍କ ରେଷେୟା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ । ତେବେ ସେମାନେ କରୋନାରୁ ମୁକ୍ତ ହୋଇଥିବା ସୂଚନା ମିଳିଛି ।