କନକ ବ୍ୟୁରୋ: ମାସକ ପୂର୍ବରୁ ହୋଇଥିବା ଏସିଆ କପରେ ଭାରତୀୟ ଦଳରେ ସ୍ଥାନ ପାଇବାକୁ ସଂଘର୍ଷ କରୁଥିବା ଲୋକେଶ ରାହୁଲ ବିଶ୍ୱକପର ହିରୋ ସାଜିଛନ୍ତିି । ଟିମ୍ ପାଇଁ ସଙ୍କଟମୋଚ୍ଚକ ସାଜି ଅଷ୍ଟ୍ରେଲିଆ ବିପକ୍ଷରେ ଭାରତକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ନିଭାଇଥିଲେ । ରବିବାର ଚେନ୍ନାଇରେ ଖେଳାଯାଇଥିବା ମ୍ୟାଚରେ ୨ ରନରେ ୩ ଟି ୱିକେଟ ହରାଇ ଭାରତ ସଙ୍କଟରେ ପଡିଯାଇଥିଲା । ପରେ ପଡିଆକୁ ଆସିଥିବା ଲୋକେଶ ରାହୁଲ ବିରାଟ କୋହଲିଙ୍କ ସହ ମିଶି ୧୬୫ ରନ ପାଟନରସିପ୍ କରିଥିଲେ । ଯାହା ଦଳକୁ ବିଜୟୀ କରାଇଥିଲା । କୋହଲି ୮୫ ରନରେ ଆଉଟ ହେବା ପରେ ରାହୁଲ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଛକା ମାରି ଦଳକୁ ଜିତାଇଥିଲେ । ରାହୁଲଙ୍କ ୯୭ ରନର ଆକର୍ଷଣିୟ ଇନିସ୍ ପାଇଁ ତାଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଘୋଷିତ କରାଯାଇଥିଲା ।

Advertisment

ଏସିଆ କପରେ ଶ୍ରେୟସ୍ ଆୟର ସମ୍ପୁର୍ଣ୍ଣ ସୁସ୍ଥ ହୋଇନଥିବାରୁ ଫର୍ମରେ ନଥିବା ଏବଂ ଆହତରୁ ମୁକୁଳିଥିବା ଲୋକେଶ ରାହୁଲଙ୍କୁ ଶେଷ ମୁହୁର୍ତରେ ଦଳରେ ସାମିଲ କରିଥିଲେ ଟିମର ବରିଷ୍ଠ ଚୟନକର୍ତା । କିନ୍ତୁ ଏସିଆ କପରେ ପାକିସ୍ତାନ ବିପକ୍ଷରେ ଶତକ ମାରି ଚୟନକର୍ତାଙ୍କୁ ସଠିକ୍ ସାବ୍ୟସ୍ଥ୍ୟ କରିଥିଲେ ରାହୁଲ ।

ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଖୁବଶିଘ୍ର ତିନୋଟି ୱିକେଟ ହରାଇବା ପରେ ରାହୁଲଙ୍କୁ ସଙ୍ଗେ ସଙ୍ଗେ ବ୍ୟାଟିଂ କରିବା ପାଇଁ ଆସିବାକୁ ପଡିଥିଲା । ୫୦ ଓଭର କିପିଂ କରିବା ପରେ କିପରକୁ ବ୍ୟାଟିଂ କରିବା ପାଇଁ ବିଶ୍ରାମର ଆବ୍ୟଶକତା ରହିଥାଏ । କିନ୍ତୁ ରାହୁଲଙ୍କୁ ବିଶ୍ରାମ ପାଇଁ ସମୟ ମିଳିନଥିଲା । ପ୍ରଥମ ଇନିଂସ୍ ସରିବା ପରେ ସେ ଗାଧୋଇକି ଟିକେ ବିଶ୍ରାମ ନେବାକୁ ଯାଉଥିବା ବେଳେ ତାଙ୍କୁ ବ୍ୟାଟିଂ କରିବା ପାଇଁ ଡକରା ପଡିଥିଲା ବୋଲି କହିଛନ୍ତି ଲୋକେଶ ରାହୁଲ । ସବୁଠୁ ମଜାଦାର କଥା ହେଉଛି ଭାରତକୁ ଜିତିବା ପାଇଁ ୬ ରନର ଆବଶ୍ୟକତା ରହିଥିଲା । ବ୍ୟାଟିଂ କରୁଥିବା ରାହୁଲଙ୍କର ଶତକ ପାଇଁ ୯ ରନର ଆବଶ୍ୟକତା ଥିଲା । ରାହୁଲ ମ୍ୟାଚ ଜିତାଇବା ସହ ଶତକ ମାରିବାକୁ ଚାହୁଁଥିଲେ । ତେଣୁ ପ୍ରଥମେ ଚୌକା ପରେ ଆଉ ଏକ ବାଉଣ୍ଡ୍ରି ମାରି ଶତକ ସହ ମ୍ୟାଚ ଜିତାଇବାକୁ ଲକ୍ଷ୍ୟ ରଖିଥିଲେ । କିନ୍ତୁ ଚୌକା ମାରିବାକୁ ଚାହୁଁଥିବା ରାହୁଲଙ୍କ ଶେଷ ସଟ୍ ଛକା ହୋଇଯାଇଥିଲା । ଯେଉଁଥିପାଇଁ ସେ ଶତକରୁ ବଂଚିତ ହୋଇଥିଲେ ।

ରାହୁଲ ଶତକରୁ ବଂଚିତ ହୋଇଯାଇଛନ୍ତି ସତ କିନ୍ତୁ କଙ୍ଗାରୁ ଦଳ ବିପକ୍ଷରେ ମ୍ୟାଚ ବିଜୟୀ ଇନିସ୍ ଖେଳି ଭାରତୀୟଙ୍କ ହୃଦୟ ଜିତିଯାଇଛନ୍ତି । ଆଉ ତାଙ୍କ ଚୟନ ଉପରେ ପ୍ରଶ୍ନ ଉଠାଉଥିବା ସମାଲୋଚକଙ୍କୁ ମୁହଁ ଚୁପ୍ କରିଦେଇଛନ୍ତି ।