ରାଜଧାନୀରେ ବସ୍ ଚଳାଚଳ ବନ୍ଦ । ସରକାରୀ କାର୍ଯ୍ୟାଳୟକୁ ବାଇକରେ ଆସିଲେ କର୍ମଚାରୀ । ସୁରକ୍ଷା ଦୃଷ୍ଟିରୁ ଅଧିକାଂଶ ଜିଲ୍ଲାରେ ଶିକ୍ଷାନୁଷ୍ଠାନ ବନ୍ଦ

ଦରଦାମ୍ ବୃଦ୍ଧି, ବେକାରୀ ସମସ୍ୟା ଭଳି ୧୨ ଦଫା ଦାବି ନେଇ ଭାରତ ବନ୍ଦ ଡାକରା ଦେଇଛନ୍ତି ଶ୍ରମିକ ସଂଗଠନ

279

କନକ ବ୍ୟୁରୋ: ଦେଶରେ ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ସର୍ବନିମ୍ନ ବେତନ ବୃଦ୍ଧି, ସାମାଜିକ ସୁରକ୍ଷା ଭଳି ୧୨ ଦଫା ଦାବିରେ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନଗୁଡିକ ପକ୍ଷରୁ ଆଜି ୨୪ ଘଂଟିଆ ଭାରତ ବନ୍ଦ ପାଳନ ହେଉଛି । ତେବେ ଏହି ବନ୍ଦ ପାଳନକୁ ଦେଶବ୍ୟାପି  ଜୋରଦାର କରାଯାଉଥିବା ବେଳେ ଓଡିଶାରେ କଂଗ୍ରେସ ଆଦି ରାଜନୈତିକ ଦଳ ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛି ।

ଅନ୍ୟପଟେ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ତରଫରୁ ବିହିତ ପଦକ୍ଷେପ ମଧ୍ୟ ନିଆଯାଇଛି । ଫଳରେ ଓଡିଶାରେ ସମସ୍ତ ଦୋକାନ ବଜାରଠାରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନଗୁଡିକୁ ବନ୍ଦ ରଖାଯାଇଥିବା ବେଳେ ସରକାରୀ ଅଫିସ୍ କିନ୍ତୁ ଖୋଲା ରଖିବାକୁ ଗୃହ ବିଭାଗ ପକ୍ଷରୁ ଗତକାଲି ନିର୍ଦ୍ଦେଶ ଦିଆଯାଇଥିଲା । ଫଳରେ ଆଜି ନିର୍ଧାରିତ ସମୟର ବହୁ ପୂର୍ବରୁ କାର୍ଯ୍ୟାଳୟରେ ପହଁଂଚିଛନ୍ତି ଅଧିକାରୀ ଏବଂ କର୍ମଚାରୀମାନେ ।

ବନ୍ଦ ଡାକରାକୁ ଦୃଷ୍ଟିରେ ରଖି  ରାଜ୍ୟ ଗୃହ ବିଭାଗ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଯେଉଁଥିରେ କୁହାଯାଇଥିଲା କି,  ଭାରତ ବନ୍ଦ ପାଳନ ଯୋଗୁଁ ଗାଡି ମୋଟର ଚଳାଚଳ ପ୍ରଭାବିତ ହେବ । ଏପରିକି ଆନ୍ଦୋଳନକାରୀମାନେ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଏବଂ ଶିକ୍ଷାନୁଷ୍ଠାନ ଆଗରେ ମଧ୍ୟ ପିକେଟିଂ କରିପାରନ୍ତି । ତେଣୁ ଆଇନ ଶୃଂଖଳା ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ସହ ଜରୁରୀକାଳୀନ ସେବା ଅବ୍ୟାହତ ରଖିବା ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।