ଗୋଟିଏ ହେଲା ଲୋକସଭା ଓ ରାଜ୍ୟସଭା ଟିଭି । ସଂସଦ ଟିଭି ନାମରେ ହେଲା ନାମିତ । ଗୋଟିଏ ଚ୍ୟାନେଲରେ ଦେଖିପାରିବେ ଉଭୟ ସଦନର କାର୍ଯ୍ୟକ୍ରମ ।

328

କନକ ବ୍ୟୁରୋ : ଦେଶର ସଂସଦର କାର୍ଯ୍ୟକ୍ରମ ଦେଖିବା ପାଇଁ ଆଉ ଆପଣଙ୍କୁ ଦୁଇଟି ଟିଭି ଚ୍ୟାନେଲ ଖୋଲିବାକୁ ପଡିବ ନାହିଁ । ଏବେ ଉଭୟ ଲୋକସଭା ଓ ରାଜ୍ୟସଭା ଟିଭିକୁ ମିଶ୍ରଣ କରାଯାଇ ସଂସଦ ଟିଭି ନାମରେ ନାମିତ କରାଯାଇଛି । ଉଭୟ ସଂସଦର କାର୍ଯ୍ୟକ୍ରମ ଏହି ସଂସଦ ଟିଭି ମାଧ୍ୟମରେ ପ୍ରସାରଣ କରାଯିବ ।

ସୂଚନା ମୁତାବକ ଲୋକସଭା ଅଧ୍ୟକ୍ଷ ଓ ରାଜ୍ୟସଭା ସଭାପତିଙ୍କ ମିଳିତ ନିଷ୍ପତ୍ତି ପରେ ଏଭଳି ପଦକ୍ଷେପ ନିଆଯାଇଛି । ତେଣୁ ଏବେ ଉଭୟ ସଂସଦର କାର୍ଯ୍ୟକ୍ରମ ଲୋକମାନେ ଗୋଟିଏ ଚ୍ୟାନେଲ ମାଧ୍ୟମରେ ଦେଖିପାରିବେ ।

ସଂସଦ ଟିଭିର ଦାୟିତ୍ୱ ଅବସରପ୍ରାପ୍ତ ଆଇଏଏସ ରବି କାପୁରଙ୍କୁ ଦିଆଯାଇଛି । ରବି କପୁରଙ୍କୁ ସଂସଦ ଟିଭିର ସିଇଓ ଭାବେ ନିଯୁକ୍ତି ଦିଆଯାଇଛି । ଏବେ ତାଙ୍କୁ ଗୋଟିଏ ବର୍ଷ ପର୍ଯ୍ୟନ୍ତ ଏହି ଦାୟିତ୍ୱ ଦିଆଯାଇଛି । ରବି କପୁର ଏହାପୂର୍ବରୁ କେନ୍ଦ୍ରୀୟ ମନ୍ତ୍ରଣାଳୟର ବିଭିନ୍ନ ବିଭାଗରେ କାର୍ଯ୍ୟକରି ଅବସର ନେଇଥିଲେ । ଯାହା ମଧ୍ୟରେ ପେଟ୍ରୋଲିୟମ ଓ ଟେକ୍ସଟାଇଲ ମନ୍ତ୍ରଣାଳୟ ସାମିଲ ଥିଲା ।

କହିରଖୁ କି ଭାରତରେ ଲୋକସଭାର କାର୍ଯ୍ୟଦିବସକୁ ଲୋକସଭା ଟିଭି ମାଧ୍ୟମରେ ପ୍ରସାରଣ କରାଯାଉଥିଲା । ୧୯୮୯ ମସିହାରେ ଏହି ଟଭି ଚ୍ୟାନେଲର ଶୁଭାରମ୍ଭ କରାଯାଇଥିଲା । କିଛିବର୍ଷ ପରେ ଏହି ଚ୍ୟାନେଲରେ ରାଷ୍ଟ୍ରପତିଙ୍କ ଅବିଭାଷଣ ସହ ଲୋକସଭାର ପ୍ରଶ୍ନକାଳ ଓ ଶୂନ୍ୟକାଳ ଭଳି କାର୍ଯ୍ୟକ୍ରମକୁ ଲାଇଭ୍ ଟିଭି ମାଧ୍ୟମରେ ପ୍ରସାରଣ କରାଯାଉଥିଲା ।

ସେହିଭଳି ରାଜ୍ୟସଭା ଟିଭି ୨୦୧୧ ମସିହାରେ ଆରମ୍ଭ କରାଯାଇଥିଲା । ଯେଉଁଥିରେ ଲୋକସଭାର ଲାଇଭ୍ ପ୍ରସାରଣ ବ୍ୟତୀତ ରାଜନୈତିକ, ସରକାରୀ ଓ ଅନ୍ୟ କାର୍ଯ୍ୟକ୍ରମମାନ ପ୍ରସାରଣ କରାଯାଉଥିଲା ।