ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ଆଜି ଅନ୍ତିମ ସଂସ୍କାର: ୧୦ ରାଜାଜୀ ମାର୍ଗରେ ଚାଲିଛି ଶେଷ ଦର୍ଶନ; ଅପରାହ୍ନ ୨ଟା ୩୦ ମିନିଟରେ ଦିଲ୍ଲୀର ଲୋଧୀ ରୋଡରେ ସଂପନ୍ନ ହେବ ଅନ୍ତିମସଂସ୍କାର

ପ୍ରଣବଙ୍କ ବିୟୋଗରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା

177

କନକ ବ୍ୟୁରୋ: ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଆଜି ସାରା ଦେଶ ଜଣାଉଛି ଶେଷ ବିଦାୟ । ଆଜି ଦିଲ୍ଲୀର ଲୋଧୀ ରୋଡରେ ଆପରାହ୍ନ ପ୍ରାୟ ୨ଟା ୩୦ ମିନିଟରେ ହେବ ଅନ୍ତିମ ସଂସ୍କାର । ପଂଚଭୂତରେ ବିଲୀନ ହେବ ପ୍ରଣବ ଦାଙ୍କ ପାର୍ଥିବ ଶରୀର । ଏହା ଆଗରୁ ଆଜି ଦିଲ୍ଲୀର ସେନା ଡାକ୍ତରଖାନାରୁ ଦିଲ୍ଲୀର ୧୦ ଜନପଥ ନିକଟ ରାଜାଜୀ ମାର୍ଗ ରେ ଥିବା ତାଙ୍କର ବାସଭବନକୁ ଅଣାଯାଇଛି ମରଶରୀର । କଡା ସୁରକ୍ଷା ମଧ୍ୟରେ ପ୍ରଣବ ଦାଙ୍କ ପାର୍ଥିବ ଶରୀର ବାସଭବନକୁ ଆସିବା ପରେ ତାଙ୍କର ଅନ୍ତିମ ଦର୍ଶନ କରୁଛନ୍ତି ମାନ୍ୟଗଣ୍ୟ ବ୍ୟକ୍ତି । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ସିଡିଏସ ବିପିନ୍ ରାୱତ, ଲୋକସଭା ବାଚସ୍ପତି ଓମ୍ ବିର୍ଲା ପ୍ରମୁଖ ପ୍ରଣବ ଦାଙ୍କୁ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଂଜଳି ପ୍ରଦାନ କରିଛନ୍ତି । ମଧ୍ୟାହ୍ନ ୧୨ଟା ଯାଏଁ ସର୍ବାସାଧାରଣଙ୍କ ଦର୍ଶନ ପାଇଁ ରହିବ ପାର୍ଥିବ ଶରୀର । ଅପରାହ୍ନ ୨ଟା ୩୦ ମିନିଟରେ ଦିଲ୍ଲୀର ଲୋଧୀ ରୋଡରେ ସଂପନ୍ନ ହେବ ଅନ୍ତିମସଂସ୍କାର ।

ଗତକାଲି ୮୪ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିଲା । ପ୍ରଣବଙ୍କ ବିୟୋଗରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା ହୋଇଛି । ରାଜନୀତିକୁ ଆସିବା ପୂର୍ବରୁ ଜଣେ ଶିକ୍ଷକ ଏବଂ ସାମ୍ବାଦିକ ଭାବେ କାମ କରିଥିଲେ ପ୍ରଣବ ମୁଖାର୍ଜି । ୧୯୭୨ ମସିହାରେ ଇନ୍ଦିରାଙ୍କ କ୍ୟାବିନେଟ୍ରେ ଜଣେ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଆରମ୍ଭ ହୋଇଥିଲା ରାଜନୈତିକ କ୍ୟାରିୟର । ଅର୍ଥ, ବାଣିଜ୍ୟ, ବୈଦେଶିକ ବ୍ୟାପାର ଏବଂ ପ୍ରତିରକ୍ଷା ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ବହନ କରିଛନ୍ତି ପ୍ରଣବ । ଜାନୁଆରୀ ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଥିଲେ । ଜଣେ ଦକ୍ଷ ରାଜନେତା, କଂଗ୍ରେସର କ୍ରାଏସିସ ମ୍ୟାନେଜର ଭାବେ ପରିଚିତ ପ୍ରଣବ ମୁଖାର୍ଜୀ ୟୁପିଏ ସରକାର ଅମଳରେ ୨୦୧୨ରେ ରାଷ୍ଟ୍ରପତି ଭାବେ ଦାୟିତ୍ୱ ସମ୍ଭାଳିଥିଲେ ।