ଭାଙ୍ଗିବ କି ପରମ୍ପରା? ବାଚସ୍ପତି ପଦ ପାଇଁ ହେବ କି ନିର୍ବାଚନ?

776

କନକ ବ୍ୟୁରୋ: ଆସନ୍ତା ଜୁନ୍ ୨୬ ତାରିଖରେ ହେବାକୁ ଯାଉଛି ଲୋକସଭା ବାଚସ୍ପତି ନିର୍ବାଚନ । ଯେଉଁଥିପାଇଁ ଏବେଠୁ ଆରମ୍ଭ ହେଇଯାଇଛି ଚର୍ଚ୍ଚା ଆଲୋଚନା । କିଏ ଲୋକସଭାରେ ବାଚସ୍ପତି ହେବ? କିଏ ଶାସକ, ବିରୋଧୀଙ୍କୁ ମିଶାଇ ଗୃହ ଚଳାଇବ? ତାକୁ ନେଇ ଏବେ ଅନେକ ପ୍ରକାର ଆଲୋଚନା ଆରମ୍ଭ ହେଇଛି । ଆଉ ତାହାରି ଭିତରେ ବିରୋଧୀ ଦଳ ବାଚସ୍ପତି ଏବଂ ଉପ-ବାଚସ୍ପତି ନିର୍ବାଚନ ପାଇଁ ପ୍ରାର୍ଥୀ ଦେବେ କି ନାହିଁ, ତାହା ଏବେ ସବୁଠୁ ବଡ ପ୍ରଶ୍ନ ହେଇ ଉଭା ହେଇଛି ।

କୁହାଯାଉଛି ଏନଡିଏ ମେଣ୍ଟ ଯଦି ଉପ-ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ନଦିଏ, ତେବେ ଇଣ୍ଡିଆ ମେଣ୍ଟ ମଧ୍ୟ ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ଦେବନି । ଆଉ ଯଦି ଏନଡିଏ ମେଣ୍ଟ ଉପ-ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ଦିଏ, ତେବେ ଇଣ୍ଡିଆ ମେଣ୍ଟ ମଧ୍ୟ ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ଦେଇପାରେ । ତେଣୁ ଏବେ ଏହି ନିର୍ବାଚନକୁ ନେଇ ରାଜନୈତିକ ପଣ୍ଡିତମାନେ ଆକଳନ କରିବା କଷ୍ଟକର ହେଇପଡିଛି ।

ଉଭୟ ଏନଡିଏ ଏବଂ ଇଣ୍ଡିଆ ମେଣ୍ଟ ପାଇଁ ଏହି ନିର୍ବାଚନ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ବିଜେପି ଦୃଷ୍ଟିରୁ ଦେଖିଲେ, ଏହି ନିର୍ବାଚନ ଜରିଆରେ ଏନଡିଏ ମେଣ୍ଟରେ ସବୁକିଛି ଠିକ୍ ଠାକ୍ ଚାଲିଥିବାର ପ୍ରମାଣ ଦେବାକୁ ଚାହୁଁଛି ବିଜେପି । ଅନ୍ୟପଟେ ଇଣ୍ଡିଆ ମେଣ୍ଟ ଏହି ନିର୍ବାଚନ ଜରିଆରେ ଶାସକ ଦଳକୁ ମାତ୍ ଦେବାକୁ ଅଙ୍କ କଷୁଛି ।

କାହାକୁ ସମର୍ଥନ କରିବେ ଜେଡିୟୁ-ଟିଡିପି?

ବାଚସ୍ପତି ନିର୍ବାଚନକୁ ନେଇ ଏନଡିଏ ମେଣ୍ଟର ଦୁଇ ସହଯୋଗୀ ଜେଡିୟୁ ଏବଂ ଟିଡିପି କାହାକୁ ସମର୍ଥନ କରିବେ, ତାହା ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ । ପୂର୍ବରୁ ଜେଡିୟୁ ଘୋଷଣା କରିସାରିଛି ଯେ, ମେଣ୍ଟରେ ଯାହାକୁ ବି ପ୍ରାର୍ଥୀ କରାଯିବ, ଦଳ ତାକୁ ସମର୍ଥନ କରିବ । ଅନ୍ୟପଟେ ଟିଡିପିର କହିବା କଥା, ମେଣ୍ଟର ବୈଠକରେ ଯେଉଁ ନାମକୁ ନେଇ ସହମତି ପ୍ରକାଶ ପାଇବ ଟିଡିପି ସେହି ପ୍ରାର୍ଥୀଙ୍କୁ ସମର୍ଥନ କରିବ । ଆଉ ଚର୍ଚ୍ଚା ଏହା ମଧ୍ୟ ହେଉଛି ଯେ, ବିଜେପି ନିଜ ପାଖରେ ବାଚସ୍ପତି ପଦ ରଖି, ଉପ-ବାଚସ୍ପତି ପଦ ସହଯୋଗୀ ଦଳଙ୍କୁ ଦେଇପାରେ ।

ଭାଙ୍ଗିବ କି ବର୍ଷ ବର୍ଷର ପରମ୍ପରା?

ସଂସଦୀୟ ପରମ୍ପରାରେ ଆଜି ପର୍ଯ୍ୟନ୍ତ ବାଚସ୍ପତି ଏବଂ ଉପ-ବାଚସ୍ପତି ପଦ ପାଇଁ ନିର୍ବାଚନ ହେଇନି । ତେଣୁ ଏଥର ଯଦି ବିରୋଧୀ ନିଜର ପ୍ରାର୍ଥୀ ଘୋଷଣା କରନ୍ତି, ତେବେ ବର୍ଷ ବର୍ଷ ଧରି ରହିଆସିଥିବା ପରମ୍ପରାରେ ବ୍ରେକ୍ ଲାଗିପାରେ । ପ୍ରଥମ ଦିନରୁ ହିଁ ସଂସଦରେ ବାଚସ୍ପତି ପଦ ଶାସକ ଦଳ ପାଖରେ ରହିଆସୁଥିବାବେଳେ, ଉପ-ବାଚସ୍ପତି ପଦ ବିରୋଧୀଙ୍କ ପାଖରେ ରହିଥାଏ । ତେଣୁ ଏଥର ଯଦି ତାହା ନଘଟେ , ତେବେ ବର୍ଷ ବର୍ଷ ଧରି ରହିଆସିଥିବା ଏହି ପରମ୍ପରାରେ ମଧ୍ୟ ବ୍ରେକ୍ ଲାଗିପାରେ ।

ଲୋକସଭାର ସଂଖ୍ୟା ଗଣିତ

ଏଥର ଲୋକସଭାରେ ବିଜେପି ୨୪୦ ସାଂସଦଙ୍କ ସହ ସବୁଠୁ ବଡ ପାର୍ଟି ହେଇଛି । ଗତ ଦୁଇଟି ନିର୍ବାଚନରେ ଏକାକି ମ୍ୟାଜିକ୍ ନମ୍ବର ଛୁଉଁଥିବା ବିଜେପି ଏଥର କିନ୍ତୁ ଏକାକୀ ବହୁମତ ହାସଲ କରିପାରିନି । ତେବେ ଲୋକସଭାରେ ଏନଡିଏର ସଂଖ୍ୟାବଳ ରହିଛି ୨୯୩ । ସେହିପରି ବିରୋଧୀ କଂଗ୍ରେସର ଲୋକସଭାରେ ସାଂସଦ ସଂଖ୍ୟା ରହିଛି ୯୮ । କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ପାଖରେ ବର୍ତ୍ତମାନ ୨୩୩ ଜଣ ସାଂସଦ ରହିଛନ୍ତି ।