କନକ ବ୍ୟୁରୋ : ଲୋକସଭାର ବାଚସ୍ପତି ଓମ୍ ବିର୍ଲା ସରକାରଙ୍କ ବିରୋଧରେ ବିରୋଧୀ ଆଣିଥିବା ଅବିଶ୍ୱାସ ପ୍ରସ୍ତାବକୁ ସ୍ୱୀକାର କରିଛନ୍ତି । ସେ କହିଛନ୍ତି କି, ଚର୍ଚ୍ଚା ପାଇଁ ପରେ ତାରିଖ ଧାର୍ଯ୍ୟ କରାଯିବ । ଓମ୍ ବିର୍ଲା ଏହା ଘୋଷଣା କରିବା ପରେ ଦିନ ୨ଟା ପର୍ଯ୍ୟନ୍ତ ଲୋକସଭାକୁ ମୁଲତବୀ କରିଦେଇଛନ୍ତି । ଏହି ସମୟରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିରୋଧୀ ସଦସ୍ୟମାନେ ମଣିପୁର ହିଂସା ଓ ସେଠାରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ଘଟଣାରେ ସଂସଦରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୟାନ ଦାବି କରି ହଟ୍ଟଗୋଳ କରିଛନ୍ତି ।

ଏସବୁ ଭିତରେ କଂଗ୍ରେସ ସାଂସଦ ଶଶି ଥରୁର କହିଛନ୍ତି କି, ମଣିପୁର ଘଟଣାକୁ ନେଇ ଯଦି ପ୍ରଧାନମନ୍ତ୍ରୀ ସଂସଦରେ ବୟାନ ଦେଇଥାନ୍ତେ ତେବେ ଅବିଶ୍ୱାସ ପ୍ରସ୍ତାବର ଆବଶ୍ୟକତା ପଡି ନଥାନ୍ତା । କଂଗ୍ରେସ ସାଂସଦ ରାଜୀବ ଶୁକ୍ଳା କହିଛନ୍ତି କି ଅବିଶ୍ୱାସ ପ୍ରସ୍ତାବ ବାଚସ୍ପତିଙ୍କ ଦ୍ୱାରା ସ୍ୱୀକାର ହେବା ପରେ ଆଶା କରୁଛୁ କି ସଂସଦରେ ଏହାକୁ ପ୍ରାଥମିକତା ଦିଆଯିବ ।

ସେପଟେ ସଂସଦରେ ଅଚଳାବସ୍ଥା ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଚିଠି ଲେଖିଛନ୍ତି । ସେ ଲେଖିଛନ୍ତି କି, ମଣିପୁର ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ସଂସଦକୁ ଆସି ବୟାନ ରଖନ୍ତୁ । ଏଭଳି ନକରିବା ଦ୍ୱାରା ଆମକୁ ଲାଗୁଛି କି ଏହା ତାଙ୍କ ପ୍ରତିଷ୍ଠା ଉପରେ ଆଞ୍ଚ ଆସିବ ବୋଲି ଭୟ କରି ପ୍ରଧାନମନ୍ତ୍ରୀ ସଂସଦରେ ବୟାନ ଦେଉ ନାହାଁନ୍ତି । ହେଲେ ମଣିପୁର ସଂକଟ ନେଇ ଆମେ ସମସ୍ତ ଅସୁବିଧାକୁ ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ଥିବା କଥା ଖଡଗେ କହିଛନ୍ତି ।