ଲୋକସଭାରେ ସାର୍ବଜନୀନ ପରୀକ୍ଷା ବିଲ ପାସ୍ । ଏଣିକି ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅନିୟମିତତା କରି ଧରାପଡିଲେ କଡା କାର୍ଯ୍ୟାନୁଷ୍ଠାନ ।

ସର୍ବାଧିକ ୧୦ ବର୍ଷ ଜେଲ ଦଣ୍ଡ ଏବଂ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା

4,949

କନକ ବ୍ୟୁରୋ: ମେରିଟ୍ ଥିଲେ ମିଳିବ ଚାକିରି । ଦେଶର ଯୁବବର୍ଗଙ୍କ ସ୍ୱପ୍ନ ଓ ଆକାଂକ୍ଷାକୁ ସୁରକ୍ଷା ଦେବାପାଇଁ କଡା ଆଇନ ଆଣିଛନ୍ତି କେନ୍ଦ୍ର ସରକାର । ଆସିଛି ସାର୍ବଜନୀନ ପରୀକ୍ଷା ବିଲ୍- ୨୦୨୪ । ଏଥିରେ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଅନୈତିକ ପନ୍ଥାକୁ ରୋକିବା ପାଇଁ ବ୍ୟବସ୍ଥା ହୋଇଛି । ଅନୈତିକ ପନ୍ଥା ଗ୍ରହଣ କରି ଧରାପଡ଼ିଲେ ଦଣ୍ଡାଦେଶ ସହ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନାର ପ୍ରସ୍ତାବ ରହିଛି ।

  • ରାଜସ୍ଥାନରେ ଶିକ୍ଷକ ନିଯୁକ୍ତି ବାତିଲ
  • ହରିଆଣାରେ ଗ୍ରୁପ୍-ଡି ପଦବୀ ପାଇଁ କମନ୍ ଇଲିଜିବିଲିଟି ଟେଷ୍ଟ ବାତିଲ
  • ଗୁଜରାଟରେ ଜୁନିୟର କ୍ଲର୍କ ନିଯୁକ୍ତି ବାତିଲ
  • ବିହାରରେ କନେଷ୍ଟବଳ ନିଯୁକ୍ତି ବାତିଲ

ଚାକିରି ପାଇଁ ବିଭିନ୍ନ ରାଜ୍ୟ ଆୟୋଜନ କରୁଥିବା ପ୍ରତିଯୋଗିତା ମୂଳକ ପରୀକ୍ଷାରେ ବ୍ୟାପକ ଅନିୟମିତତାର ଖବରସବୁ ସାମ୍ନାକୁ ଆସିଥିଲା । ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ ଭଳି ସାଂଘାତିକ ଅଭିଯୋଗ ପରେ ବାତିଲ ହୋଇଥିଲା ପରୀକ୍ଷା । ବର୍ଷ ବର୍ଷ ଧରି ଚାକିରିଟିଏ ପାଇଁ ଅନାଇ ରହିଥିବା ଯୁବବର୍ଗଙ୍କୁ ନିରାଶ କରିଥିଲା ଏଭଳି ଅନିୟମିତତା । ତେଣୁ ଦେଶର ଯୁବବର୍ଗଙ୍କ ସ୍ୱପ୍ନ ଓ ଆକାଂକ୍ଷାକୁ ସୁରକ୍ଷା ଦେବାପାଇଁ କଡା ଆଇନ ଆଣିଛନ୍ତି କେନ୍ଦ୍ର ସରକାର ।

  • ସାର୍ବଜନୀନ ପରୀକ୍ଷା ବିଲ୍- ୨୦୨୪ ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ
  • ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଅନୈତିକ ପନ୍ଥାକୁ ରୋକିବା ପାଇଁ ବ୍ୟବସ୍ଥା
  • ଅନୈତିକ ପନ୍ଥା ଗ୍ରହଣ କରି ଧରାପଡ଼ିଲେ ସର୍ବାଧିକ ୧୦ ବର୍ଷ ଜେଲ ଦଣ୍ଡାଦେଶ
  • ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନାର ପ୍ରସ୍ତାବ ବିଲରେ ରଖାଯାଇଛି
  • ପ୍ରଶ୍ନପତ୍ର ଲିକ ଘଟଣାରେ ମଧ୍ୟ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ

ଓଡିଶା ପବ୍ଲିକ ସର୍ଭିସ କମିଶନ୍ ଅର୍ଥାତ ଓପିଏସସି ଦ୍ୱାରା କରାଯାଇଥିବା ଏଏସଓ ପରୀକ୍ଷାରେ ବ୍ୟପକ ଅନିୟମିତତା ନେଇ ଅଭିଯୋଗ ହୋଇଥିଲା । ଏ ସଂପର୍କରେ ହାଇକୋର୍ଟ ମୂଳ ମେରିଟ ଲିଷ୍ଟକୁ ବୈଧ ଘୋଷଣା କରିଥିବାବେଳେ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିିଛି । ଆବେଦନକୁ ଗ୍ରହଣ କରି ଉଭୟ ଓଡିଶା ସରକାର ଏବଂ ଓପିଏସସିକୁ ରିପୋର୍ଟ ତଲବ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସେହିପରି ନିକଟରେ ରାଜ୍ୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ଉପରେ ମଧ୍ୟ ରୋକ ଲଗାଇଛନ୍ତି ଓଡିଶା ହାଇକୋର୍ଟ । ଯଦିଓ ଏ ଦୁଇଟି ନିଯୁକ୍ତି ପ୍ରକ୍ରିୟାରେ କୌଣସି ଅନିୟମିତତା କଥା ସ୍ପଷ୍ଟ ହୋଇନାହିଁ, କିନ୍ତୁ କେନ୍ଦ୍ର ସରକାରଙ୍କ ନୂଆ ବିଲକୁ ସ୍ୱାଗତ କରିଛନ୍ତି ଚାକିରି ଆଶାୟୀ ।

ଏକ ପରିସଂଖ୍ୟାନ ଅନୁସାରେ ଦେଶରେ ଜନସଂଖ୍ୟାର ୩୦ ପ୍ରତିଶତରୁ ଅଧିକ ଚାକାରି ଆଶାୟୀ ଅଛନ୍ତି । ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଏମାନେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ତେଣୁ କୌଣସି ଚଂଚକତା ଅପେକ୍ଷା ମେରିଟ ଆଧାରରେ ଏମାନେ ଚାକିରିଟିଏ ପାଇବା ପାଇଁ ଆଶାବାନ୍ଧି ବସିଛନ୍ତି ।