ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ୧୪ ଦିନ ଆଗରୁ ବନ୍ଦ ହେଲା ଲୋକସଭା ଅଧିବେଶନ । ଏପ୍ରିଲ ୮ ଯାଏଁ ଚାଲିଥାନ୍ତା ଅଧିବେଶନ

73

କନକ ବ୍ୟୁରୋ : ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବାରୁ ୧୪ ଦିନ ଆଗରୁ ଲୋକସଭା ଅଧିବେଶନକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁତଲତବି ଘୋଷଣା କରାଯାଇଛି । ମାର୍ଚ୍ଚ ମାସ ୮ ତାରିଖରୁ ଆରମ୍ଭ ହୋଇଥିବା ଲୋକସଭା ଅଧିବେଶନ ଏପ୍ରିଲ ୮ ତାରିଖ ଯାଏଁ ଚାଲିବାକୁ ଥିଲା ।

ଆଜି ଲୋକସଭା ଅଧିବେଶନ ଚାଲିଥିବା ବେଳେ ଅନେକ ଦଳର ସାଂସଦ ମାନେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଓ ବାଚସ୍ପତି ଓମ୍ ବିର୍ଲା ଓ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁଙ୍କ ନିକଟକୁ ଯାଇ ଅଧିବେଶନକୁ ବନ୍ଦ କରିବାକୁ ଅନୁରୋଧ କରିଥିଲେ । ଏହାସହ ତୃଣମୂଳ କଂଗ୍ରେସ ସାଂସଦ ନେତା ସୁଦୀପ ବନ୍ଦୋପାଧ୍ୟାୟ ଓ ଡେରେକ ଓବ୍ରାଇନ ଲୋକସଭା ବାଚସ୍ପତି ଓ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଚିଠି ଲେଖି ଚଳିତ ଅଧିବେଶନକୁ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ ।

କହିରଖୁ କି ବଜେଟ୍ ଅଧିବେଶନର ପ୍ରଥମ ଭାଗ ଜାନୁଆରୀ ୨୯ ରୁ ଆରମ୍ଭ ହୋଇ ଫେବୃଆରୀ ୨୯ ରେ ଶେଷ ହୋଇଥିଲା । ହେଲେ ମାର୍ଚ୍ଚ ୨୭ ରୁ ଏପ୍ରିଲ ୨୯ ମଧ୍ୟରେ ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ, ଆସାମ ଓ ପୁଡୁଚେରୀରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାରୁ ସାଂସଦ ମାନଙ୍କ ଅନୁରୋଧକୁ ଗ୍ରହଣ କରି ଉଭୟ ଲୋକସଭା ଓ ରାଜ୍ୟସଭା ଅଧିବେଶନକୁ ଅନିର୍ଦ୍ଧିଷ୍ଟକାଳ ପାଇଁ ମୁଲତବି ରଖାଯାଇଛି ।