ପ୍ରଚାର ପାଇଁ ଫେସବୁକରେ ପାଣିଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜନୈତିକ ଦଳ । ଜାଣନ୍ତୁ ୨୦୧୪ ରୁ ଏପର୍ଯ୍ୟନ୍ତ କିଏ କରିଛି କେତେ ଟଙ୍କା ଖର୍ଚ୍ଚ

544

କନକ ବ୍ୟୁରୋ : ଲୋକତାନ୍ତ୍ରିକ ଦେଶରେ ଜନତା ଭୋଟ ଦେଇ ସରକାର ଗଠନ କରିଥାନ୍ତି । ପ୍ରଚାର ଅଭିଯାନ ନିର୍ବାଚନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଦୁଇ ଦଶକ ପୂର୍ବରୁ ପ୍ରଚାରର କିଛି ସୀମିତ ମାଧ୍ୟମ ରହିଥିଲା, ଯେଭଳି କି, ଟିଭି ଓ ଖବର କାଗଜ ।

ଖବର କାଗଜଗୁଡିକ ୨୪ ଘଣ୍ଟାରେ ଥରେ ଛପା ହୋଇ ଲୋକଙ୍କ ପାଖରେ ପହଂଚିଥାଏ । ସେହିଭଳି ଟେଲିଭଭିଜନ ୨୪ ଘଣ୍ଟା ଖବର ପ୍ରସାରଣ କରିଥାଏ । ହେଲେ ଏବେ ଲୋକଙ୍କ ପାଖରେ ସୂଚନା ପହଂଚାଇବାକୁ ଶହ ଶହ ମାଧ୍ୟମ ଆସିସାରିଛି । ଏହା ମଧ୍ୟରୁ ସବୁଠାରୁ ବଡ ମାଧ୍ୟମ ହେଉଛି ସୋସିଆଲ ମିଡିଆ ।

୨୦୧୪ ମସିହା ଠାରୁ ପ୍ରଚାରର ସବୁଠାରୁ ବଡ ମାଧ୍ୟମ ସୋସିଆଲ ମିଡିଆ ହୋଇଛି । ହ୍ୱାଟସପ୍, ଫେସବୁକ, ଏକ୍ସ,ଇନଷ୍ଟାଗ୍ରାମ, ୟୁଟ୍ୟୁବ ଓ ଗୁଗୁଲ ଭଳି ପ୍ଲାଟଫର୍ମ ନିର୍ବାଚନ ଫଳାଫଳ ବଦଳାଇଦେବା ଭଳି ଶକ୍ତି ରଖିଛି ।

୨୦୧୪ ମସିହାରେ ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ବିଜେପି ସୋସିଆଲ ମିଡିଆକୁ ପ୍ରଚାରର ଏକ ବଡ ଅସ୍ତ୍ର ଭାବେ ବ୍ୟବହାର କରିଥିଲା । ସେହିସମୟରେ କ୍ଷମତାରେ ଥିବା କଂଗ୍ରେସ କିନ୍ତୁ ସୋସିଆଲ ମିଡିଆର ଶକ୍ତିକୁ ମାପିପାରି ନଥିଲା ।

ହେଲେ ୨୦୧୯ ନିର୍ବାଚନ ଆସୁ ଆସୁ କଂଗ୍ରେସ ସମେତ ଅନ୍ୟ ରାଜନୈତିକଦଳମାନେ ସୋସିଆଲ ମିଡିଆକୁ ପ୍ରଚାର ପାଇଁ ବହୁଳମାତ୍ରାରେ ବ୍ୟବହାର କରିବା ଆରମ୍ଭ କରିଦେଇଥିଲେ । ୨୦୧୫ ମସିହା ପରେ ସୋସିଆଲ ମିଡିଆରେ ରାହୁଲ ଗାନ୍ଧୀଙ୍କ ଫଲୋଅର୍ସମାନଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଥିଲା । ଭାରତରେ ଧିରେ ଧିରେ ଲୋକଙ୍କ ପାଖରେ ଇଣ୍ଟରନେଟ ପହଂଚିବା ସହ ସୋସିଆଲ ମିଡିଆର ବ୍ୟବହାର ମଧ୍ୟ ବୃଦ୍ଧି ପାଇଥିଲା ।

ଏବେ ଏମିତି କୌଣସି ରାଜନୈତିକଦଳ ନାହିଁ ଯିଏ ନିଜର ପ୍ରସାର ପ୍ରଚାର ପାଇଁ ସୋସିଆଲ ମିଡିଆ ବ୍ୟବହାର କରୁନାହିଁ । ବିଜେପି, କଂଗ୍ରେସ, ଆମ୍ ଆଦମୀ ପାର୍ଟି, ବାମଦଳ ଭଳି ବଡ ଦଳମାନେ ମଧ୍ୟ ନିଜର ସାଇବର ଆର୍ମୀ ପ୍ରସ୍ତୁତ କରିସାରିଛନ୍ତି । ଏହି ଟିମ୍ ୨୪ ଘଣ୍ଟା ଧରି ସୋସିଆଲ ମିଡିଆରେ କିଛି ଏଜେଣ୍ଡା ତ କିଛି ପ୍ରପୋଗେଣ୍ଡା ଚଳାଇବାରେ ବ୍ୟସ୍ଥ ରହିଛନ୍ତି । କିଛି ସେକେଣ୍ଟ ମଧ୍ୟରେ ଶହ ଶହ ସୂଚନା ଲୋକଙ୍କ ପାଖରେ ପହଂଚାଉଛନ୍ତି ଏହି ସାଇବର ଆର୍ମୀ । ବିଶେଷ କରି ଦେଶର ଯୁବକ ଯୁବତୀମାନେ ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ରହୁଛନ୍ତି । ଏହି କାରଣରୁ ସେମାନଙ୍କୁ ନିଜ ପକ୍ଷରେ ଆଣିବାକୁ ରାଜନୈତିକଦଳମାନେ ସୋସିଆଲ ମିଡିଆର ସହାୟତା ନେଉଛନ୍ତି ।

ଯଦି ସୋସିଆଲ ମିଡିଆରେ ରାଜନୈତିକଦଳମାନଙ୍କ ଖର୍ଚ୍ଚ ହିସାବ କରିବା ତେବେ ୨୦୧୯ ହଭ ୨୦୨୪ ମଧ୍ୟରେ ବିଜେପି ଫେସବୁକ୍ ପ୍ରମୋଶନରେ ସର୍ବାଧିକ ୩୩ କୋଟି ଟଙ୍କା ଖର୍ଚ୍ଚ କରିଛି । ଏହି ଅବଧୀ ମଧ୍ୟରେ କଂଗ୍ରେସ ୧୦.୫୮ କୋଟି, ଟିଏମସି ୮.୦୪ କୋଟି, ଡିଏମକେ ୪.୩୧ କୋଟି ଟଙ୍କା ଖର୍ଚ୍ଚ କରିଛି । ଏହି ସୂଚନା ଡାଟା ବିଜନେଓ ଲାଇନ ତରଫରୁ ଜାରି କରାଯାଇଛି । ଏଥିରେ କେବଳ ରାଜନୈତିକ ଦଳର ଫେସବୁକକୁ ଆକାଉଣ୍ଟକୁ ହିସାବ କରାଯାଇଛି । ନେତାମାନଙ୍କର ବ୍ୟକ୍ତିଗତ ଆକାଉଣ୍ଟକୁ ହିସାବ ପରିଧି ମଧ୍ୟକୁ ଅଣାଯାଇନାହିଁ ।