ଇସ୍ତଫା ଜିଦରେ ଅଟଳ ରାହୁଲ । ନିର୍ବାଚନ ଫଳାଫଳରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନର ପୋଷ୍ଟମର୍ଟମ ପାଇଁ ଆଜି ବସୁଛି କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ

394

କନକ ବ୍ୟୁରୋ: ଇସ୍ତଫା ଜିଦରେ ଅଟଳ ରାହୁଲ । ନିର୍ବାଚନ ଫଳାଫଳରେ କଂଗ୍ରେସର ନୈରାଶ୍ୟ ଜନକ ପ୍ରଦର୍ଶନର ପୋଷ୍ଟମର୍ଟମ ପାଇଁ ଆଜି ବସୁଛି କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ । ତେବେ ରାହୁଲ ଗାନ୍ଧି ଆଜି ଇସ୍ତଫା ଦେଇପାରନ୍ତି ବୋଲି କିଛି ନେତା ଆକଳନ ମଧ୍ୟ କରୁଛନ୍ତି । କିନ୍ତୁ ଏହାକୁ ପ୍ୟାନେଲ ଗ୍ରହଣ ନକରିବାର ସମ୍ଭାବନା ଅଛି । ତେବେ କଂଗ୍ରେସ ଅଧ୍ୟକ୍ଷ ଇସ୍ତଫା ଦେବା ନେଇ ଜୋର ଧରିଥିବା ଆଲୋଚନାକୁ ଖଣ୍ଡନ କରିଛି କଂଗ୍ରେସ । ଏହା ଭୁଲ ତଥ୍ୟ ବୋଲି କଂଗ୍ରେସ କହିଛି ।

ଦଳୀୟ ନେତାଙ୍କ କହିବାନୁସାରେ , କଂଗ୍ରେସ ତାର ନିର୍ବାଚନ ଫଳାଫଳକୁ ବେଶ ଗୁରୁତର ସହ ନିଆଯାଇଛି । ତେବେ ରାହୁଲଙ୍କ ନିଷ୍ପତି ଉପରେ ଆଜି ସମସ୍ତଙ୍କ ନଜର ରହିଛି । ଦଳକୁ ସଜାଡିବା ପାଇଁ ରାହୁଲ ଆହ୍ୱାନ ଦେଇଥିବା ବେଳେ ଏନେଇ କିଛି କଂଗ୍ରେସ ପକ୍ଷରୁ କିଛି ପଦକ୍ଷେପ ଗ୍ରହଣ କରାଯିବାର ସମ୍ଭାବନା ଅଛି । କାହିଁକି ଦଳର ପ୍ରଦର୍ଶନ ଏପରି ହେଲା ସେନେଇ ମଧ୍ୟ ପୁଙ୍ଖାନୁପୁଙ୍ଖ ତର୍ଜମା ହେବ ।

ସେପଟେ କଂଗ୍ରେସର ଏହି ବୈଠକ ପୂର୍ବରୁ ଉତର ପ୍ରଦେଶ, ଓଡିଶା ଏବଂ କର୍ଣ୍ଣାଟକର ତିନି ବରିଷ୍ଠ ନେତା ତାଙ୍କ ଇସ୍ତଫା ପତ୍ର ରାହୁଲଙ୍କ ନିକଟକୁ ପଠାଇ ଦେଇଛନ୍ତି । କଂଗ୍ରେସର ପରାଜୟ ପରେ ରାଜ ବବର, ନିରଞ୍ଜନ ପଟ୍ଟନାୟକ ଏବଂ ଏଚ. କେ ପାଟିଲ ଇସ୍ତଫା ପତ୍ର ପଠାଇଛନ୍ତି । ନିରଞ୍ଜନ ଦୁଇଟି ବିଧାନସଭା ଆସନ ଭଣ୍ଡାରୀ ପୋଖରୀ ଏବଂ ଘଷିପୁରାରେ ପରଜାୟବରଣ କରିଛନ୍ତି ।