କନକ ବ୍ୟୁରୋ: ଉତ୍ତରପ୍ରଦେଶର ବର୍ତ୍ତମାନ ରହିଥିବା ବିଜେପିର ୬୮ ଜଣ ଲୋକସଭା ସାଂସଦଙ୍କ ପାଇଁ ଆଗାମୀ ନିର୍ବାଚନ ଭଲ ଖବର ରଖିନଥିବା ଆଲୋଚନା ହେଉଛି। ସେମାନଙ୍କ ମଧ୍ୟରୁ ଅଧାରୁ ଅଧିକ ସାଂସଦଙ୍କୁ ପ୍ରତିଦ୍ବନ୍ଦ୍ବିତାରୁ ଅପସରିଯିବାକୁ ପଡ଼ିବ ଅଥବା ସେମାନଙ୍କୁ ମୂଳ ନିର୍ବାଚନମଣ୍ଡଳୀ ଛାଡ଼ି ଦଳର ସୁବିଧା ଦୃଷ୍ଟିରୁ ଅନ୍ୟ କେଉଁଠୁ ଲଢ଼ିବାକୁ ପଡ଼ିପାରେ ବୋଲି ସଂକେତ ମିଳିଛି।
ସୂଚନାଯୋଗ୍ୟ, ୨୦୧୪ ଲୋକସଭା ନିର୍ବାଚନରେ ଦଳ ଉତ୍ତରପ୍ରଦେଶରେ ୭୧ଟି ଲୋକସଭା ଆସନ ଦଖଲ କରିଥିବା ବେଳେ ପରେ ଉପନିର୍ବାଚନରେ ୩ଟି ଆସନ ହରାଇଛି। ତେବେ ମୋଦୀ ଏଠାରେ ଗୁଜରାଟ ମଡେଲ୍ ନିର୍ବାଚନୀ ରଣକୌଶଳ ଆପଣେଇବେ ବୋଲି ଶୁଣାଯାଉଛି। ଏହି ପ୍ରକ୍ରିୟାରେ ଯେଉଁ ଲୋକ ପ୍ରତିନିଧିଙ୍କ ଲୋକପ୍ରିୟତା ହ୍ରାସ ହୋଇଥିବା ଗୋପନ ରିପୋର୍ଟ ମିଳିଥିବ ଅଥବା ନିମ୍ନମାନର କାର୍ୟ୍ୟଦକ୍ଷତା ପ୍ରଦର୍ଶନ କରିଥିବେ, ସେମାନଙ୍କୁ ବସିଯିବାକୁ କୁହାଯିବ ଅଥବା ସ୍ଥାନ ପରିବର୍ତ୍ତନ କରିବାକୁ ପଡ଼ିବ।
ଅପରପକ୍ଷେ, ୭୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକେଟ୍ ନଦେବା କଥା ମୋଦୀ ବିଚାର କରୁଥିବାରୁ ବରିଷ୍ଠ ନେତା ମୁରଲୀ ମନୋହର ଯୋଶୀ(୮୫) ଏବଂ କାଲରାଜ ମିଶ୍ର(୭୭) ନିର୍ବାଚନରୁ ବାଦ୍ ପଡ଼ିପାରନ୍ତି। ସେହିପରି ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରୀମଣ୍ଡଳର ଅଧଡଜନ ଲୋକପ୍ରିୟ ମନ୍ତ୍ରୀ ମଧ୍ୟ ଲୋକସଭା ଆସନ ପାଇଁ ଆଶାୟୀ ଥିବା ଚର୍ଚ୍ଚା ହେଉଛି। ତେଣୁ ଏ ସବୁ କାରଣରୁ ବର୍ତ୍ତମାନର ସାଂସଦଙ୍କ ସ୍ଥିତିରେ ପରିବର୍ତ୍ତନ ସୁନିଶ୍ଚିତ ବୋଲି ଆଲୋଚନା ହେଉଛି।
ଅନ୍ୟପକ୍ଷରେ ଦେଶରେ ପୁଣିଥରେ ଏନଡିଏ କ୍ଷମତାକୁ ଆସିବ ବୋଲି ବିଜେପି ଆଶାବାଦୀ ରହିଛି ଏବଂ ଆଗାମୀ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ବିଜେପି ଧାର୍ୟ୍ୟ କରିଥିବା ସର୍ବାଧିକ ବୟସ ସୀମାକୁ ହଟାଇ ଦିଆଯାଇଛି। ୭୫ ବର୍ଷରୁ ଅଧିକ ବୟସର ନେତାମାନେ ପ୍ରାର୍ଥୀ ହେବେନାହିଁ ବୋଲି ଦଳ ପୂର୍ବରୁ ନିଷ୍ପତ୍ତି ନେଇଥିବା ବେଳେ ଏବେ ଏହାକୁ ହଟାଇ ଯେଉଁ ପ୍ରାର୍ଥୀମାନଙ୍କର ବିଜୟ ସମ୍ଭାବନା ରହିଥିବ, ସେମାନଙ୍କୁ ପ୍ରାର୍ଥୀ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ତେଣୁ ଏଥର ୯୧ ବର୍ଷୀୟ ଲାଲକୃଷ୍ଣ ଆଡଭାନି, ୮୫ ବର୍ଷୀୟ ମୁରଲୀ ମନୋହର ଯୋଶୀ ଏବଂ ୭୭ ବର୍ଷୀୟ କଲରାଜ ମିଶ୍ର ପ୍ରାର୍ଥୀ ହେବାରେ ପ୍ରତିବନ୍ଧକ ରହିବ ନାହିଁ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ବାରଣାସୀ ଆସନରୁ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ମଧ୍ୟ ଦଳ ନିଷ୍ପତ୍ତି ନେଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/01/bjp-lotus.jpg.image_.784.410.jpg)
/kanak/media/post_attachments/wp-content/uploads/2018/08/540524-election-poll-vote-sudhir-shetty1-300x183.jpg)
/kanak/media/post_attachments/wp-content/uploads/2019/03/2-5-300x167.jpg)
/kanak/media/post_attachments/wp-content/uploads/2019/02/Modi-1-1-300x200.jpg)