୮ କେନ୍ଦ୍ରମନ୍ତ୍ରୀଙ୍କ ରାଜନୈତିକ ଭବିଷ୍ୟତ ନିର୍ଦ୍ଧାରଣ କରିବ ପ୍ରଥମ ପର୍ଯ୍ୟାୟ ମତଦାନ । ନୀତିନ ଗଡକରୀ, କିରଣ ରିଜିଜୁଙ୍କ ସମେତ ଏହିସବୁ କେନ୍ଦ୍ରମନ୍ତ୍ରୀଙ୍କ ସହ ଏହି ବରିଷ୍ଠ ନେତାଙ୍କର ହେବାକୁ ଯାଉଛି ଭାଗ୍ୟ ପରୀକ୍ଷା

887

କନକ ବ୍ୟୁରୋ : ଦେଶର ୨୧ଟି ରାଜ୍ୟ ଓ କିଛି କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରଥମ ପର୍ଯ୍ୟାୟରେ ୧୦୨ ଲୋକସଭା ଆସନ ପାଇଁ ମତଦାନ ହେବାକୁ ଯାଇଛି । ପ୍ରଥମ ପର୍ଯ୍ୟାୟରେ ୮ କେନ୍ଦ୍ରମନ୍ତ୍ରୀଙ୍କ ସହିତ ଦୁଇଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଜଣେ ପୂର୍ବ ରାଜ୍ୟପାଳଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି । କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ୍ ଗଡକରୀ ନାଗପୁର ଲୋକସଭା ଆସନରୁ ହାଟ୍ରିକ ବିଜୟ ହାସଲ କରିଛନ୍ତି । ଗଡକରୀ ୨୦୧୪ ଲୋକସଭା ନିର୍ବାଚନରେ ୭ ଥର ସାଂସଦ ହୋଇଥିବା ବିଲାସ ମୁତେମବାରଙ୍କୁ ୨.୮୪ ଲକ୍ଷ ଭୋଟରେ ପରାଜିତ କରିଥିଲେ । ସେହିଭଳି ୨୦୧୯ ମସିହାରେ ମହାରାଷ୍ଟ୍ର କଂଗ୍ରେସର ବର୍ତ୍ତମାନ ପ୍ରମୁଖ ନାନା ପୋଟେଲଙ୍କୁ ୨.୧୬ ଲକ୍ଷ ଭୋଟରେ ପରାଜିତ କରିଥିଲେ ।

କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ଅରୁଣାଚଳ ପ୍ରଦେଶର ପଶ୍ଚିମ ଆସନରୁ ନିର୍ବାଚନ ଲଢୁଛନ୍ତି । ୫୨ ବର୍ଷିୟ ଏହି ବିଜେପି ନେତା ଏହି ଆସନରୁ ୨୦୦୪ରୁ ପ୍ରତିନିଧିତ୍ୱ କରୁଛନ୍ତି । ୨୦୨୪ ନିର୍ବାଚନରେ ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଅରୁଣାଚଳ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନବାମ୍ ତୁକୀ ।

କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନବାଲ ଆସାମର ଡିବ୍ରୁଗଡ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି । କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ରାମେଶ୍ୱର ତେଲୀଙ୍କ ଟିକେଟ କଟିବା ପରେ ରାଜ୍ୟସଭା ସାଂସଦ ଥିବା ସର୍ବାନନ୍ଦଙ୍କୁ ଡିବ୍ରୁଗଡ ଆସନରୁ ପ୍ରାର୍ଥୀ କରିଛି ବିଜେପି ।

ଉତ୍ତର ପ୍ରଦେଶ ମୁଜାଫରନଗର ଲୋକସଭା ଆସନରେ ଏଥର ତ୍ରୀକୋଣୀୟ ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳିଛି । ଏଠାରେ ବିଜେପି ଟିକେଟରୁ ପ୍ରାର୍ଥୀ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ସଂଜୀବ ବାଲିୟାନ । ତାଙ୍କ ସହ ପ୍ରତିଦ୍ୱନ୍ଦିତା କରୁଛନ୍ତି ସମାଜବାଦୀ ପାର୍ଟିର ହରେନ୍ଦ୍ର ମଲ୍ଲିକ ଓ ବହୁଜନ ସମାଜବାଦୀ ପାର୍ଟିର ଦାରା ସିହ ପ୍ରଜାପତି । ସେହିଭଳି କେନ୍ଦ୍ରମନ୍ତ୍ରୀମଣ୍ଡଳରେ ସାମିଲ ଥିବା ତଥା ଦୁଇଥରର ସାଂସଦ ଜିତେନ୍ଦ୍ର ସିଂ ଉଦ୍ଦମପୁର ଆସନରୁ ପ୍ରାର୍ଥୀ ହୋଇ ତୃତୀୟ ଥର ପାଇଁ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି ।

କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ଭୂପେନ୍ଦ୍ର ଯାଦବ ରାଜସ୍ଥାନର ଅଲବର ଆସନରୁ ପ୍ରାର୍ଥୀ ହୋଇଛନ୍ତି । ତାଙ୍କର ପ୍ରତିଦ୍ୱନ୍ଦୀ ଅଛନ୍ତି କଂଗ୍ରେସର ଏବେର ବିଧାୟକ ଲଲିତ ଯାଦବ । ଏହି ଆସନରୁ ସାଂସଦ ଥିବା ବାଲକ ନାଥଙ୍କ ଟିକେଟ ବିଜେପି କାଟି ଦେଇଛନ୍ତି । ସେହିଭଳି ରାଜସ୍ଥାନର ବିକାନୋର ଆସନରୁ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘବାଲଙ୍କ ସହ ପ୍ରତିଦ୍ୱନ୍ଦୀତା କରୁଛନ୍ତି କଂଗ୍ରେସର ପୂର୍ବତନ ମନ୍ତ୍ରୀ ଗୋବିନ୍ଦ ରାମ ମେଘାବାଲ ।

ତାମିଲନାଡୁର ନିଲଗିରି ଲୋକସଭା ଆସନରୁ ନିର୍ବାଚନ ଲଢୁଛନ୍ତି କେନ୍ଦ୍ରମନ୍ତ୍ରୀ କେ.ଏଲ ମୁରଗାନ । ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ଡିଏମକେର ପୂର୍ବ ସାଂସଦ ତଥା ପୂର୍ବତନ ଦୂରସଂଚାର ମନ୍ତ୍ରୀ ଏ.ରାଜା । ମଧ୍ୟପ୍ରଦେଶରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିବା ମୁରଗନ ପ୍ରଥମଥର ପାଇଁ ପ୍ରତ୍ୟେକ୍ଷ ନିର୍ବାଚନ ଲଢୁଛନ୍ତି ।

ଶିବଗଙ୍ଗା ଲୋକସଭା ଆସନରୁ ପ୍ରତିଦ୍ୱନ୍ଦୀତା କରୁଛନ୍ତି କାର୍ତ୍ତୀ ଚିଦାମ୍ବରମ୍ । ତାଙ୍କର ପ୍ରତିଦ୍ୱନ୍ଦୀ ଅଛନ୍ତି ବିଜେପିର ଦେବନାଥନ୍ ଯାଦବ ଓ ଏଆଇଏଡିଏମକେର କେ.ଜେବିୟର ଦାସ । କାର୍ତ୍ତୀଙ୍କ ପିତା ପି ଚିଦାମ୍ବରମ ଶିବଗଙ୍ଗା ଆସନରୁ ୭ ଥର ସାଂସଦ ହୋଇଥିଲେ । ବିଜେପିର ତାମିଲନାଡୁ ପ୍ରଦେଶ ଅଧ୍ୟକ୍ଷ କେ.ଆନ୍ନାମଲ୍ଲାଇ କୋଇମ୍ବାଟୁର ଲୋକସଭା ଆସନରୁ ନିର୍ବାଚନ ଲଢୁଛନ୍ତି । ତାଙ୍କର ପ୍ରତିଦ୍ୱନ୍ଦୀ ରହିଛନ୍ତି ଡିଏମକେ ପ୍ରାର୍ଥୀ ଗଣପତି ପି.ରାଜକୁାର ଓ ଏଆଇଏଡିଏମକେ ନେତା ସିଂଗାଇ ରାମଚନ୍ଦ୍ରନ୍ ।

ତେଲେଙ୍ଗାନାର ପୂର୍ବତନ ରାଜ୍ୟପାଳ ତଥା ପୁଡୁଚେରୀର ପୂର୍ବ ଉପ ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ ପୁଣିଥରେ ସକ୍ରିୟ ରାଜନୀତିରେ ପ୍ରବେଶ କରିଛନ୍ତି । ସେ ଚେନ୍ନାଇ ଦକ୍ଷିଣ ଲୋକସଭା ଆସନରୁ ବିଜେପି ଟିକେଟରେ ନିର୍ବାଚନ ଲଢୁଛନ୍ତି । ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି କଂଗ୍ରେସର ବରିଷ୍ଠ ନେତା କୁମାରୀ ଅନନ୍ତଙ୍କ କନ୍ୟା ତାମିଲସାଇ ୨୦୧୯ ମସିହାରେ ତୁତୁକୋଡି ଲୋକସଭା ଆସନରୁ ନିର୍ବାଚନ ଲଢିଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କାନିମୋଇଙ୍କ ଠାରୁ ପରାଜିତ ହୋଇଥିଲେ ।

କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପୁଅ ନକୁଲ ନାଥ ଛିନ୍ଦୱାଡା ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି । ଏହି ଆସନ କମଲନାଥଙ୍କ ଗଡ ଭାବେ ପରିଚିତ । ୧୯୮୦ ପରେ କମଲନାଥ ୯ ଥର ଏହି ଆସନରୁ ବିଜୟୀ ହୋଇଥିଲେ । ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ମଧ୍ୟପ୍ରଦେଶର ୨୯ ଲୋକସଭା ଆସନ ମଧ୍ୟରୁ ୨୮ଟିରେ ବିଜୟୀ ହୋଇଥିଲେ ବି ଛିନ୍ଦୱାଡା ଆସନ କଂଗ୍ରେସ ହାତକୁ ଯାଇଥିଲା ।

ତ୍ରିପୁରାର ଦୁଇଟି ଲୋକସଭା ଆସନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ପଶ୍ଚିମ ତ୍ରିପୁରା ଲୋକସଭା ଆସନରେ ଭୋଟ ହେବ । ଏହି ଆସନରେ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ବିରୋଧରେ ନିର୍ବାଚନ ଲଢୁଛନ୍ତି କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ଆଶିସ୍ କୁମାର ସାହା । ସେହିଭଳି ମଣିପୁର ଆଇନ ଏବଂ ଶିକ୍ଷାମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ ବସନ୍ତ କୁମାର ସିଂ ଇନର ମଣିପୁର ଇନର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି । ତାଙ୍କ ବିରୋଧରେ ନିର୍ବାଚନ ଲଢୁଛନ୍ତି ଜେଏନୟୁର ପୂର୍ବତ ପ୍ରଫେସର ତଥା କଂଗ୍ରେସ ନେତା ବିମଲ ଅକୋଇଜାମ ।

ରାଜସ୍ଥାନର ଚୁରୁ ଲୋକସଭା ଆସନରୁ ନିର୍ବାଚନ ଲଢୁଛନ୍ତି ଦୁଇଦୁଇ ଥର ପାରାଅଲିମ୍ପିକର ସ୍ୱର୍ଣ୍ଣପଦକ ବିଜେତା ତଥା ବିଜେପି ନେତା ଦେବେନ୍ଦ୍ର ଝାଝାରିଆ । ତାଙ୍କ ବିରୋଧରେ ରାହୁଲ କଶମ୍ବାଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି ।