ଉତ୍ତର ପ୍ରଦେଶ ରାଜନୀତିରେ ନିଆରା ଲଢେଇ । ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ବିରୋଧରେ ନାମାଙ୍କନ ଭରିଲେ ପୁଅ ଉକ୍ରୃଷ୍ଟ ମୌର୍ଯ୍ୟ

573

କନକ ବ୍ୟୁରୋ : ରାଷ୍ଟ୍ରୀୟ ଶୋଷିତ ସମାଜ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ରାଜ୍ୟର ପୂର୍ବତନ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ବିରୋଧରେ ତାଙ୍କ ପୁଅ ଉକ୍ରୃଷ୍ଟ ମୌର୍ଯ୍ୟ ନାମାଙ୍କନ ଭରିଛନ୍ତି । କୋଶିନଗର ଆସନରୁ ଉକ୍ରୃଷ୍ଟ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି । ଗୋଟିଏ ଆସନରେ ବାପା ଓ ପୁଅ ନାମାଙ୍କନ ଭରିବା ପରେ ନିର୍ବାଚନ ବେଶ୍ ରୋଚକ ହେବାକୁ ଯାଉଛି ।

ଉକ୍ରୃଷ୍ଟ ମୌର୍ଯ୍ୟ ମଙ୍ଗଳବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ନାମାଙ୍କନ ଭରିଥିଲେ । ଏହା ପୂର୍ବରୁ ମେ’୯ ତାରିଖରେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ରାଷ୍ଟ୍ରୀୟ ଶୋଷିତ ପାର୍ଟି ଟିକେଟରୁ ନାମାଙ୍କନ ଭରିଥିଲେ । ହେଲେ ଏବେ ଉକ୍ରୃଷ୍ଟ ମୌର୍ଯ୍ୟ ନାମାଙ୍କନ ଭରିବା ପରେ ଗୋଟିଏ ମୈଦାନରେ ବାପା ଓ ପୁଅଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳିବ ।

ଅନେକ ଦିନଧରି ସ୍ୱାମୀ ପ୍ରସାଦ ମୌର୍ଯ୍ୟ ତାଙ୍କ ପୁଅ ଉକ୍ରୃଷ୍ଟ ମୌର୍ଯ୍ୟଙ୍କୁ ରାଜନୀତିରେ ଏଣ୍ଟ୍ରି କରାଇବାକୁ ଚେଷ୍ଟା ଜାରି ରଖିଥିଲେ । ଉକ୍ରୃଷ୍ଟ ମୌର୍ଯ୍ୟ ଉତ୍ତର ପ୍ରଦେଶ ଉଂଚାହାର ବିଧାନସଭା ଆସନରୁ ଦୁଇଥର ବିଧାୟକ ଭାବେ ନିର୍ବାଚନ ଲଢିଥିଲେ ବି ପରାଜିତ ହୋଇଥିଲେ । ୨୦୨୨ ନିର୍ବାଚନରେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ସମାଜବାଦୀ ପାର୍ଟିରେ ଥିବା ବେଳେ ଉକ୍ରୃଷ୍ଟ ମୌର୍ଯ୍ୟଙ୍କ ପାଇଁ ଟିକେଟ ମାଗିଥିଲେ । ହେଲେ ଅଖିଳେଶ ଯାଦବ ଟିକେଟ ଦେବାକୁ ମନା କରିଦେଇଥିଲେ । ଏହି ଆସନରୁ ଅଖିଳେଶ ତାଙ୍କର ନିକଟତର କୁହାଯାଉଥିବା ମନୋଜ ପାଣ୍ଡେଙ୍କୁ ଟିକେଟ ଦେଇଥିଲେ ।

ରାଜ୍ୟସଭା ନିର୍ବାଚନ ପୂର୍ବରୁ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ସମାଜବାଦୀ ପାର୍ଟିରୁ ଇସ୍ତଫା ଦେଇଥିଷଲ । ଏହାପରେ ସେ ନିଜେ ରାଷ୍ଟ୍ରୀୟ ଶୋଷିତ ସମାଜ ପାର୍ଟି ଗଠନ କରିଥିଲେ । ନୂଆ ପାର୍ଟି ଗଠନ କରିବା ପରେ ସେ ଇଣ୍ଡିଆ ମେଣ୍ଟକୁ ସମର୍ଥନ ଦେବା ନେଇ ଘୋଷଣା କରିଥିଲେ । ହେଲେ କୁଶୀନଗର ଆସନରୁ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ ଦେବା ପରେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ନିଜ ପାର୍ଟି ଟିକେଟରୁ ନିର୍ବାଚନ ଲଢୁଛନ୍ତି ।