ମେ’ ୧୩ ତାରିଖରେ ପଡିବ ଚତୁର୍ଥ ପର୍ଯ୍ୟାୟ ପାଇଁ ଭୋଟ । ଜାଣନ୍ତୁ କେଉଁ ରାଜ୍ୟର କେତେ ଆସନରେ ହେବ ଭୋଟ ଗ୍ରହଣ, ମଇଦାନରେ କେଉଁ କେଉଁ ବରିଷ୍ଠ ନେତା

415

କନକ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନ ପାଇଁ ତିନୋଟି ପର୍ଯ୍ୟାୟ ମତଦାନ ଦେଶଷ ହୋଇଛି । ଏବେ ୧୩ ତାରିଖରେ ଚତୁର୍ଥ ପର୍ଯ୍ୟାୟ ମତଦାନ ହେବ । ଏହି ପର୍ଯ୍ୟାୟରେ ୧୦ ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଟି ଆସନ ପାଇଁ ଭୋଟ ଗ୍ରହଣ ହେବ । ଚତୁର୍ଥ ପର୍ଯ୍ୟାୟରେ ବିହାର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ, ଓଡିଶା, ଉତ୍ତର ପ୍ରଦେଶ ଓ ଝାରଖଣ୍ଡ ସହିତ ୧୦ ରାଜ୍ୟରେ ଭୋଟ ଗ୍ରହଣ ହେବ ।

ଚତୁର୍ଥ ପର୍ଯ୍ୟାୟରେ ଆନ୍ଧ୍ରପ୍ରଦେଶର ୨୫ଟି, ବିହାରର ୫ଟି, ଜମ୍ମୁ-କାଶ୍ମୀରର ଗୋଟିଏ, ଝାଡଖଣ୍ଡରେ ୪ଟି, ମଧ୍ୟପ୍ରଦେଶର ୮ଟି, ମହାରାଷ୍ଟ୍ରର ୧୧ଟି, ଓଡିଶାର ୪ଟି, ତେଲେଙ୍ଗାନାର ୧୭ଟି, ଉତ୍ତର ପ୍ରଦେଶର ୧୩ ଟି ଓ ପଶ୍ଚିମବଙ୍ଗର ୮ ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେବ ।

ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ଯେଉଁ ୯୬ ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେବ । ସେଠାରେ ମୋଟ ୧୭୧୭ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଏହି ପର୍ଯ୍ୟାୟ ପାଇଁ ମୋଟ ୪୨୨୬ ଜଣ ପ୍ରାର୍ଥୀ ନାମାଙ୍କନ ଭରିଥିବା ବେଳେ ସେମାନଙ୍କ ମଧ୍ୟରୁ ବାକି ପ୍ରାର୍ଥୀଙ୍କର ନାମାଙ୍କନ ଖାରଜ ହୋଇଯାଇଛି ।

ଲୋକସଭା ନିର୍ବାଚନର ଚତ୍ୁର୍ଥ ପର୍ଯ୍ୟାୟରେ ଉତ୍ତର ପ୍ରଦେଶର କନୌଜ ଆସନରୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ତାଙ୍କ ଭାଗ୍ୟ ପରୀକ୍ଷା କରିବାକୁ ଯାଉଥିବା ବେଳେ ପଶ୍ଚିମବଙ୍ଗର କୃଷ୍ଣାନଗର ଆସନରୁ ଟିଏମସି ପ୍ରାର୍ଥୀ ମହୁଆ ମୋଇତ୍ରା ତାଙ୍କ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ସେହିଭଳି ପଶ୍ଚିମବଙ୍ଗର ଆସନସୋଲ ଆସନରୁ ଶତୃଘ୍ନ ସିହ୍ନା, ବିହାରର ବେଗୁସରାଇ ଆସନରୁ ବିଜେପି ନେତା ଗିରିରାଜ ସିଂ, ଝାଡଖଣ୍ଡର ଖୁଣ୍ଟି ଆସନରୁ ବିଜେପି ନେତା ଅର୍ଜୁନ ମୁଣ୍ଡା, ତେଲେଙ୍ଗାନାର ହାଇଦ୍ରାବାଦ ଆସନରୁ ବିଜେପି ନେତ୍ରୀ ମାଧବୀ ଲତା ଓ ଆନ୍ଧ୍ରପ୍ରଦେଶର କଡପ୍ପା ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ୱାଇଏସ୍ ଶର୍ମିଲା ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି ।