ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ଭାଗ୍ୟ ପରୀକ୍ଷା କରିବେ ୧୬୨୫ ପ୍ରାର୍ଥୀ । ୧୬% ପ୍ରାର୍ଥୀ ଦାଗୀ, ୨୮% ପ୍ରାର୍ଥୀ କୋଟିପତି ।

161

କନକ ବ୍ୟୁରୋ: ଆସନ୍ତା ଏପ୍ରିଲ ୧୯ ତାରିଖରେ ପଡିବାକୁ ଯାଉଛି ପ୍ରଥମ ପର୍ଯ୍ୟାୟ ଲୋକସଭା ଭୋଟ୍ । ପ୍ରଥମ ଚରଣରେ ୨୧ ରାଜ୍ୟର ୧୦୨ଟି ସିଟରେ ଭୋଟ୍ ପଡିବାକୁ ଥିବାବେଳେ, ଏଥିପାଇଁ ୧୬୨୫ ଜଣ ପ୍ରାର୍ଥୀ ରେସରେ ଅଛନ୍ତି । ତେବେ ଏହି ପ୍ରାର୍ଥୀମାନଙ୍କ ଭିତରୁ ୧୬% ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହେଇଥିବାବେଳେ, ସେମାନଙ୍କ ଭିତରୁ ୨୮ ପ୍ରତିଶତ ପ୍ରାର୍ଥୀ କୋଟିପତି ବୋଲି ଜଣାପଡିଛି । ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ ବା ଏଡିଆର ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।

ଏଡିଆର ୧୬୨୫ ପ୍ରାର୍ଥୀଙ୍କ ଭିତରୁ ୧୬୧୮ ଜଣ ପ୍ରାର୍ଥୀଙ୍କ ସତ୍ୟପାଠକୁ ବିଶ୍ଲେଷଣ କରି ଏକ ରିପୋର୍ଟ ଜାରି କରିଚି । ଏଥିରେ କୁହାଯାଇଛି ଯେ, ଭୋଟ୍ ପଡିବାକୁ ଥିବା ଏହି ୧୦୨ଟି ଆସନ ଭିତରୁ ୪୨ଟି ଆସନ ଏମିତି ଅଛି, ଯେଉଁଠି ତିନିରୁ ଅଧିକ ପ୍ରାର୍ଥୀ ଏମିତି ଛିଡା ହେଇଛନ୍ତି, ଯେଉଁମାନଙ୍କ ବିରୋଧରେ ଅପରାଧିକ ମାମଲା ରହିଛି ।

ଏଡିଆରର ସୂଚନା ମୁତାବକ ୧୬୧୮ ଜଣ ପ୍ରାର୍ଥୀଙ୍କ ଭିତରୁ ୨୫୨ ଜଣ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ଏମିତି କି ସେମାନଙ୍କ ଭିତରୁ ୧୬୧ ଜଣ ପ୍ରାର୍ଥୀଙ୍କ ବିରୋଧରେ ସଙ୍ଗୀନ ଅପରାଧିକ ମାମଲା ରହିଛି । ଖାଲି ସେତିକି ନୁହେଁ, ୭ ଜଣ ପ୍ରାର୍ଥୀଙ୍କ ବିରୋଧରେ ହତ୍ୟା ଓ ୧୯ ଜଣ ପ୍ରାର୍ଥୀଙ୍କ ବିରୋଧରେ ହତ୍ୟା ପାଇଁ ଷଡଯନ୍ତ୍ର କରିବାର ମାମଲା ରୁଜୁ ହେଇଛି ।ଅନ୍ୟପଟେ ପାର୍ଟି ଦୃଷ୍ଟିରୁ ବିଶ୍ଲେଷଣ କଲେ, ଲାଲୁ ଯାଦବଙ୍କ ପାର୍ଟି ଆରଜେଡି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୪ ଜଣ ଦାଗୀ ନେତାଙ୍କୁ ଟିକେଟ୍ ଦେଇଛି । ସେହିପରି ଡିଏମକେ ୧୩, ସମାଜବାଦୀ ପାର୍ଟି ୩, ଟିଏମସି ୨, ବିଜେପି ୨୮ ଏବଂ କଂଗ୍ରେସ ୧୯ ଜଣ ଦାଗୀ ନେତାଙ୍କୁ ଟିକେଟ୍ ଦେଇଛି ।

ସେପଟେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଲଢିବାକୁ ଥିବା ପ୍ରାର୍ଥୀଙ୍କ ଭିତରୁ ୪୫୦ ଜଣ ପ୍ରାର୍ଥୀ ହେଉଛନ୍ତି କୋଟିପତି । ସେମାନଙ୍କ ପାଖରେ ଏକ କୋଟି , କିମ୍ବା ତା ଠାରୁ ଅଧିକ ଟଙ୍କାର ସମ୍ପତ୍ତି ରହିଛି । ରାଜନୈତିକ ଦଳ ଦୃଷ୍ଟିରୁ ଡିଏମସକେ ୨୧ ଜଣ, ବିଜେପି ୬୯ ଜଣ, ଟିଏମସି ୪ ଜଣ ଏବଂ ବିଏସପି ୧୮ ଜଣ କୋଟିପତି ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଛି । ମିଳିଥିବା ରିପୋର୍ଟ ମୁତାବକ, ମଧ୍ୟପ୍ରଦେଶ ଛିନ୍ଦୱାଡାରୁ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ ନକୁଳନାଥ ପ୍ରାର୍ଥୀମାନଙ୍କ ମଧ୍ୟରେ ସବୁଠୁ ଅଧିକ ଧନୀ । ତାଙ୍କ ପାଖରେ ୭୧୬ କୋଟି ଟଙ୍କାର ସମ୍ପତ୍ତି ଥିବା କୁହାଯାଇଛି ।