ଭାଇ ରାହୁଲ ଗାନ୍ଧୀଙ୍କ ଗଡ଼ ବଂଚାଇବା ପାଇଁ ଆଜି ଆମେଥି ଯିବେ ପ୍ରିୟଙ୍କା ଗାନ୍ଧି ଭଦ୍ରା ! ବୁଥ୍ ଅଧ୍ୟକ୍ଷଙ୍କ ସହ କରିବେ ବୈଠକ ।

100

ଭାଇଙ୍କ ଗଡ ବଂଚାଇବା ପାଇଁ ଆଜି ଆମେଥି ଯିବେ ପ୍ରିୟଙ୍କା ଗାନ୍ଧି ଭଦ୍ରା । ମାର୍ଚ୍ଚ ୨୭ ଓ ୨୮ ଦୁଇ ଦିନ ଧରି ପ୍ରଚାର କରିବେ ପ୍ରିୟଙ୍କା । ଏହି ଅବସରରେ ଜନସଭାକୁ ସମ୍ବୋଦ୍ଧିତ କରିବା ସହ କର୍ମୀ ଓ ନେତାଙ୍କ ସହ ପ୍ରିୟଙ୍କା ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏଥର ରାହୁଲଙ୍କ ପାଇଁ ଆମେଥିରେ ଡବଲ ଚ୍ୟାଲେଞ୍ଜ ରହିଥିବାରୁ ଏହାକୁ ଗୁରୁତ୍ୱର ସହ ନେଇଛି କଂଗ୍ରେସ । ରାହୁଲଙ୍କୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି କଡା ଟକ୍କର ଦେବାକୁ ରଣନୀତି ପ୍ରସ୍ତୁତ କରିଥିବାବେଳେ କଂଗ୍ରେସର ଜଣେ ଟାଣୁଆ ନେତାଙ୍କ ପୁଅ ରାହୁଲଙ୍କ ବିରୋଧରେ ନିର୍ବାଚନ ଲଢ଼ୁଥିବାରୁ ଏହା ଚିନ୍ତାକୁ ଦ୍ୱିଗୁଣିତ କରିଛି ।

ଏପରିକି କଂଗ୍ରେସର ବିଦ୍ରୋହୀ ନେତାଙ୍କୁ ସମାଜବାଦୀ ପାର୍ଟି ସମର୍ଥନ କରୁଥିବା ଜଣାପଡିଛି । କଂଗ୍ରେସ ନେତା ହାଜି ସୁଲତାନ ଖାନଙ୍କ ପୁଅ ହାଜି ହରୁନ ରଶିଦ୍ ରାହୁଲଙ୍କ ବିରୋଧରେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ହାଜି ସୁଲତାନ ୧୯୯୧ ରେ ରାଜୀବ ଗାନ୍ଧି ଓ ୧୯୯୯ ରେ ସୋନିଆ ଗାନ୍ଧିଙ୍କ ନାମାଙ୍କନପତ୍ରରେ ଜଣେ ପ୍ରସ୍ତାବକ ଭାବେ ସ୍ୱାକ୍ଷର କରିଥିଲେ । ଏହି ନିର୍ବାଚନ ମଣ୍ଡଳୀରେ ୬.୫ ଲକ୍ଷ ମୁସଲିମ୍ ଭୋଟର ଅଛନ୍ତି । ତେଣୁ ଗଡ ରକ୍ଷା କରିବା କଂଗ୍ରେସ ପାଇଁ ଚ୍ୟାଲେଞ୍ଜ ହୋଇଛି ।