ବାଜିଲା ନିର୍ବାଚନି ବିଗୁଲ । ଚଳିତ ଥର ୧୦ ଲକ୍ଷ ବୁଥରେ ମୋଟ ୯୦ କୋଟି ଭୋଟର ଦେବେ ନିଜର ମତ

୧୦ ଲକ୍ଷ ବୁଥରେ ମୋଟ ୯୦ କୋଟି ଭୋଟର ଦେବେ ଭୋଟ

214

କନକ ବ୍ୟୁରୋ : ଆଗାମୀ ସାଧାରଣ ନିର୍ବାଚନ ତାରିଖ କିଛି ସମୟ ପୂର୍ବରୁ ନିର୍ବାଚନ କମିଶନ ଘୋଷଣା କରିଛନ୍ତି । ଚଳିତଥର ଦେଶରେ ମୋଟ ୭ ପର୍ଯ୍ୟାୟରେ ନିର୍ବାଚନ ହେବା ପାଇଁ ଯାଉଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ୧୧ ଏପ୍ରିଲ ପ୍ରଥମ ପର୍ଯ୍ୟାୟ , ୧୮ ଏପ୍ରିଲ ଦ୍ୱିତୀୟ ପର୍ଯ୍ୟାୟ, ୨୩ ଏପ୍ରିଲ ତୃତୀୟ ପର୍ଯ୍ୟାୟ, ୨୯ ଏପ୍ରିଲ ଚତୁର୍ଥ ପର୍ଯ୍ୟାୟ. ମଇ ୬ ପଞ୍ଚମ ପର୍ଯ୍ୟାୟ, ମଇ ୧୨ ଷଷ୍ଠ ପର୍ଯ୍ୟାୟ, ୧୯ ମଇ : ସପ୍ତମ ପର୍ଯ୍ୟାୟ ନିର୍ବାଚନ ହେବ । ତେବେ ନିର୍ବାଚନ ଫଳାଫଳ ମେ’ ୨୩ରେ ଘୋଷଣା ହେବ ବୋଲି ସୂଚନା ରହିଛି ।

ଦିଲ୍ଲୀର ବିଜ୍ଞାନ ଭବନରେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଏହା ଘୋଷଣା କରିଛନ୍ତି । ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି ଯେ, ଚଳିତ ଥର ମୋଟ ୯୦ କୋଟି ଭୋଟର ଭୋଟ ଦେବେ । ପୂର୍ବ ନିର୍ବାଚନ ତୁଳନାରେ ଚଳିତଥର ୮.୪୩ ପ୍ରତିଶତ ଅଧିକ ଭୋଟର ନିଜର ମତଦେବେ । ସାରା ଦେଶରେ ମୋଟ ୧୦ ଲକ୍ଷ ବୁଥ କରାଯାଇଛି । କେବଳ ଏତିକି ନୁହେଁ ବରଂ ଚଳିତଥର ଇଭିଏମ ମେସିନ ଉପରେ ମଧ୍ୟ ସ୍ୱତନ୍ତ୍ର ନଜର ରଖାଯିବାର ବ୍ୟବସ୍ଥା କରାଯାଇଛି ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଚଳିତ ଥର ମୋଟ ୧.୫ କୋଟି ନୂଆ ଭୋଟର ଭୋଟ ଦେବେ ଯେଉଁମାନଙ୍କ ବୟସ ମାତ୍ର ୧୮ ରୁ ୧୯ ମଧ୍ୟରେ ରହିଛି ବୋଲି ଜଣାପଡିଛି । ନିର୍ବାଚନ ତାରିଖ ଘୋଷଣା ହେବା ସହ ଆଜିଠାରୁ ଆଦର୍ଶ ଆଚରଣ ବିଧି ମଧ୍ୟ ଲାଗୁ କରାଯାଇଛି । ଏହାସହ ନିର୍ବାଚନ କମିଶନ କହିଛନ୍ତି ଯେ, ନିର୍ବାଚନ ଆଚରଣ ବିଧି ଯେଉଁମାନେ ଉଲଂଘନ କରିବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଭୋଟରଙ୍କ ପାଇଁ ଦେଶର ସମସ୍ତ ବୁଥରେ ଭିଭିପ୍ୟାଟର ବ୍ୟବହାର ମଧ୍ୟ କରାଯିବ । ଏହାସହ ରାତି ୧୦ଟାରୁ ସକାଳ ୬ ପର୍ଯ୍ୟନ୍ତ ଲାଉଡସ୍ପିକର ବାଜିବା ଉପରେ ମଧ୍ୟ କଟକଣା ଲଗାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ମତଦାନର ୪୮ ଘଣ୍ଟା ପୂର୍ବରୁ ମାଇକ ଉପରେ ସମ୍ପୂର୍ଣ୍ଣ ଭାବରେ କଟକଣା ଲାଗୁ କରାଯାଇଛି । ପୂରା ନିର୍ବାଚନ ପ୍ରକ୍ରିୟାର ଭିଡିଓ ଗ୍ରାଫି ମଧ୍ୟ କରାଯିବ । ନିର୍ବାଚନ ନେଇ କୌଣସି ଅଭିଯୋଗ ରହିଥିଲେ ୧୯୫୦ କୁ କଲ କରି ଅଭିଯୋଗ କରିପାରିବେ । ଅଭିଯୋଗର ମାତ୍ର ୧୦୦ ଘଣ୍ଟା ମଧ୍ୟରେ ତାହା ଉପରେ ପଦକ୍ଷେପ ନିଆଯିବ ବୋଲି ସୂଚନା ରହିଛି । ଏତିକି ନୁହେଁ ବରଂ ସୋଶିଆଲ ମିଡିଆ ଉପରେ ମଧ୍ୟ ନିର୍ବାଚନ ଆୟୋଗଙ୍କ କଡା ନଜର ରହିବ ।