ମୋଦୀ ମନ୍ତ୍ରୀମଣ୍ଡଳରେ କାହିଁକି ମନ୍ତ୍ରୀପଦ ପାଇଲେ ନାହିଁ ଏହି ୫ ବଡ ବିଜେପି ନେତା । ଜାଣନ୍ତୁ କାରଣ

7,319

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦୀଙ୍କ ତୃତୀୟ କାର୍ଯ୍ୟକାଳରେ ମନ୍ତ୍ରୀମଣ୍ଡଳର ଆକାର ବୃଦ୍ଧି ପାଇଛି । ମୋଟ ୭୨ ଜଣ ମନ୍ତ୍ରୀ ସାମିଲ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ବିଜେପିରୁ ୬୧ ଜଣ ମନ୍ତ୍ରୀପଦ ପାଇଥିବା ବେଳେ ସହଯୋଗୀଦଳମାନେ ୧୧ ଟି ମନ୍ତ୍ରୀପଦ ପାଇଛନ୍ତି । ସେମାନଙ୍କ ମଧ୍ୟରୁ ୩୧ ଜଣ କ୍ୟାବିନେଟ୍ ମନ୍ତ୍ରୀ, ୫ ସ୍ୱତନ୍ତ୍ର ପ୍ରଭାର ରାଜ୍ୟମନ୍ତ୍ରୀ ଓ ୩୬ଜଣ କନିଷ୍ଠ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ମୋଦୀଙ୍କ ଦ୍ୱିତୀୟ ପାଳିରେ ଥିବା ୭୨ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ଚଳିତ ପାଳିରେ ୩୩ ଜଣ ସାଂସଦଙ୍କୁ ମନ୍ତ୍ରୀପଦ ମିଳିଛି । ଦ୍ୱିତୀୟ ପାଳିରେ ଥିବା ୭୨ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୧୪ ଜଣ ନିର୍ବାଚନ ଲଢିନାହାଁନ୍ତି । ୧୯ ଜଣଙ୍କର ପରାଜୟ ହୋଇଛି । ଏହାସହ ୬ ଜଣ ନିର୍ବାଚନରେ ବିଜୟୀ ହୋଇଥିଲେ ବି ସେମାନଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିନାହିଁ ।

ଦ୍ୱିତୀୟ ପାଳିରେ ମନ୍ତ୍ରୀ ଥିବା ଯେଉଁ ୬ ଜଣଙ୍କୁ ତୃତୀୟ ପାଳିରେ ସ୍ଥାନ ମିଳିନାହିଁ ସେମାନଙ୍କ ମଧ୍ୟରେ ରହିଛନ୍ତି ଅନୁରାଗ ଠାକୁର, ସ୍ମୃତି ଇରାନୀ, ରବିଶଂକର ପ୍ରସାଦ, ସଂଜୟ ଝା,ରାଜୀବ ପ୍ରତାପ ରୁଢୀ ପ୍ରମୁଖ । ଅନୁରାଗ ଠାକୁର ମୋଦୀଙ୍କ ଦ୍ୱିତୀୟ ପାଳିରେ ସୂଚନା ଓ ପ୍ରସାରଣ ବିଭାଗ ସମ୍ଭାଳିଥିଲେ । ଠାକୁର ଲଗାତର ୫ ଥର ପାଇଁ ନିର୍ବାଚିତ ହୋଇ ଲୋକସଭା ପହଂଚିଛନ୍ତି । କୁହାଯାଉଛି କି, ତାଙ୍କ ସ୍ଥାନରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିଛି । ସେହିଭଳି ବିହାରରେ ଜେଡିୟୁ ସାଂସଦ ସଂଜୟ ଝାଙ୍କ କ୍ଷେତ୍ରରେ ମଧ୍ୟ ସମାନ ଘଟଣା ଘଟିଛି । ମେଣ୍ଟ ନିୟମ ମୁତାବକ ବିଜେପି ଜେଡିୟୁକୁ ଗୋଟିଏ କ୍ୟାବିନେଟ ଓ ଗୋଟିଏ ରାଜ୍ୟପାହ୍ୟା ମନ୍ତ୍ରୀପଦ ଦେଇଛି । ସଂଜୟ ଝାଙ୍କ ସ୍ଥାନରେ ଲଲନ ସିଂଙ୍କୁ କ୍ୟାବିନେଟ ମନ୍ତ୍ରୀ ପଦ ମିଳିିବାରୁ ସଂଜୟ ଝାଙ୍କୁ ବାଦ ଦିଆଯାଇଛି ।

ସେହିଭଳି ବିଜେପିର ବରିଷ୍ଠ ନେତା ରବିଶଂକର ପ୍ରସାଦଙ୍କ ନାମ ମୋଦୀ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇନାହଁ । ତାଙ୍କୁ ଦ୍ୱିତୀୟ ପାଳିରେ ଅଧାକାର୍ଯ୍ୟକାଳ ବେଳେ ମନ୍ତ୍ରୀମଣ୍ଡଳରୁ ବିଦା କରାଯାଇଥିଲା । ସେ ଏନଡିଏ-୨ ସରକାରରେ ଆଇନ ମନ୍ତ୍ରୀ ଥିଲେ । ମନ୍ତ୍ରୀପଦ ଯିବା ପରେ ତାଙ୍କୁ ଦଳ ପ୍ରବକ୍ତା ପଦରେ ଅବସ୍ଥାପିତ କରିଥିଲା । ହେଲେ ସହଯୋଗୀ ଦଳମାନେ କିଛି ମନ୍ତ୍ରୀପଦ ନେଇଥିବା କାରଣରୁ ରବିଶଂକରଙ୍କୁ ମନ୍ତ୍ରୀପଦ ମିଳିନଥିବା କଥା କୁହାଯାଉଛି । ସେହିଭଳି ରାଜୀବ ପ୍ରତାପ ରୁଢୀଙ୍କୁ ମଧ୍ୟ ମୋଦୀ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିନାହିଁ । ଗତ ପାଳିରେ ତାଙ୍କ କାର୍ଯ୍ୟକାଳ ଅଧାରୁ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବିଦା କରାଯାଇଥିଲା । ହେଲେ ଚଳିତ ଥର ଲାଲୁଙ୍କ ଗଡରେ ବିଜେପିକୁ ବିଜୟ ଦେଇଥିଲେ ବି ତାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ ନ କରିବା ସମସ୍ତଙ୍କୁ ଚକିତ କରିଛି ।