କନକ ବ୍ୟୁରୋ : ଉତ୍ତର ପ୍ରଦେଶରେ ବିଜେପି ୫୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି । ବାକି ୨୪ ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ବାକି ରହିଛି । ଏହି କ୍ରମରେ ସୂତ୍ର ସୂଚନା ଦାବି କରିଛି କି ବିଜେପି ନୁପୂର ଶର୍ମାଙ୍କୁ ରାଏବରେଲୀ ଆସନରୁ ପ୍ରାର୍ଥୀ କରିବ । ହେଲେ ବିଜେପି ନେତା ଏନେଇ କୌଣସି ଟିପ୍ପଣୀ ଦେଇନାହାଁନ୍ତି ।

Advertisment

ରାଏବରେଲୀ ଲୋକସଭା ଆସନ ଗାନ୍ଧୀ ପରିବାରର ପାରମ୍ପାରିକ ଆସନ । ଗତ ଲୋକସଭା ନିର୍ବାଚନରେ ସୋନିଆ ଗାନ୍ଧୀ ଏହି ଆସନରୁ ବିଜୟୀ ହୋଇଥିଲେ । ହେଲେ ଚଳିତ ନିର୍ବାଚନରେ ସେ ସ୍ୱାସ୍ଥ୍ୟଗତ କାରଣରୁ ନିର୍ବାଚନ ଲଢିବେ ନାହିଁ ବୋଲି କହିଛନ୍ତି । କଂଗ୍ରେସ ତରଫରୁ ସୋନିଆଙ୍କୁ ରାଜସ୍ଥାନରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ କରାଯାଇଛି । ଏପଟେ କଂଗ୍ରେସ ଟିକେଟରୁ ପ୍ରିୟଙ୍କା ଗାନ୍ଧୀ ରାଏବରେଲୀରୁ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ହେଉଛି ।

ଗୋଟିଏ ପଟେ ରାଏବରେଲୀରୁ କଂଗ୍ରେସ ପ୍ରିୟଙ୍କାଙ୍କୁ ପ୍ରାର୍ଥୀ କରି ଉତ୍ତର ପ୍ରଦେଶରେ ଦଳକୁ ମଜବୁତ କରିବାକୁ ଚେଷ୍ଟା କରୁଥିବା ବେଳେ ପ୍ରିୟଙ୍କାଙ୍କୁ ଟକ୍କର ଦେବାକୁ ବିଜେପି ଜଣେ ହେଭିୱେଟ୍ ନେତାଙ୍କୁ ରାଏବରେଲୀରୁ ପ୍ରାର୍ଥୀ କରିବା ନେଇ ଚିନ୍ତା କରୁଛି । ଏହି କ୍ରମରେ ବିବାଦୀୟ ନେତ୍ରୀ ନୁପୂର ଶର୍ମାଙ୍କୁ ବିଜେପି ଟିକେଟ ଦେଇପାରେ ବୋଲି ସୂତ୍ର ସୂଚନା ଦାବି କରୁଛି ।