ସେମିତିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁ ଶୁଣିଲେ ରକ୍ତଚାଉଳ ଚୋବାଉଛନ୍ତି କିନ୍ତୁ ବର୍ତ୍ତମାନ ତାଙ୍କ କ୍ରୋଧର ଜ୍ୱାଳା ଆଉ ଟିକେ ବଢିଯାଇଛି । ଯାହାର କାରଣ ହେଉଛି ମୋଦିଙ୍କ ଏକ ବୟାନ । ନିକଟରେ ଅଭିନେତା ଅକ୍ଷୟ କୁମାରଙ୍କୁ ଏକ ସାକ୍ଷାତକାର ଦେଉଥିବା ସମୟରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ମମତା ଦିଦି ତାଙ୍କୁ ବର୍ଷକୁ ଥରେ କିମ୍ବା ଦୁଇଥର ଦୁଇଟି କୁର୍ତ୍ତା ଏବଂ ଢାକା (ବଙ୍ଗାଳୀ) ମିଠେଇ ପଠାଇଥାନ୍ତି । କିନ୍ତୁ ଏହି କଥାକୁ ହଜମ କରିପାରୁନାହାନ୍ତି ଦିଦି । ଶୁକ୍ରବାର ସେ କହିଥିଲେ ବଙ୍ଗଳା ଲୋକ ତାଙ୍କୁ ମାଟିରେ ପ୍ରସ୍ତୁତ ହୋଇଥିବା ରସଗୋଲା ପଠାଇବେ ଯେଉଁଥିରେ ଭୋଟ୍ ବଦଳରେ ଗୋଡି ଭର୍ତ୍ତି ହୋଇରହିଥିବ ।
ତୃଣମୂଳ କଂଗ୍ରେସ ପ୍ରମୁଖ ମମତା ବାନାର୍ଜୀ ଏହା ପୂର୍ବରୁ କହିଥିଲେ, ବିଜେପିକୁ ସାଧାରଣ ନିର୍ବାଚନରେ ପଶ୍ଚିମବଙ୍ଗ ତରଫରୁ ଏକ ବଡ ରସଗୋଲା ମିଳିବ । ପଶ୍ଚିମବଙ୍ଗରେ ରସଗୋଲାର ଉଲ୍ଲେଖ ପରୀକ୍ଷାରେ ଶୂନ ମିଳିବାକୁ ନେଇ ମଧ୍ୟ କୁହାଯାଇଥାଏ,କାରଣ ମିଠାର ଆକାର ମଧ୍ୟ ଗୋଲ । ମମତା କହିଥିଲେ, ମୋଦି ଭୋଟ୍ ମାଗିବା ପାଇଁ ନିୟମିତ ପଶ୍ଚିମବଙ୍ଗ ଆସୁଛନ୍ତି କିନ୍ତୁ ଏଠାକାର ଲୋକ ତାଙ୍କୁ ମାଟି ଏବଂ ଗୋଡିରେ ଭର୍ତ୍ତି ଥିବା ମିଠେଇ ଖୁଆଇବେ । ଯଦି ସେ ଏହି ମିଠେଇକୁ ଚାଖିବାକୁ ବି ଚେଷ୍ଟା କରନ୍ତି ତେବେ ତାଙ୍କ ଦାନ୍ତ ଭାଙ୍ଗିଯିବ । ବାନାର୍ଜୀ ଏହା ପୂର୍ବରୁ କହିଥିଲେ , ଯେ ସେ ଯେଉଁ ଶିଷ୍ଟାଚାର ଦେଖାଇଥିଲେ ତାହାକୁ ମୋଦି ସାର୍ବଜନିକ କରି ଯେଉଁ ରାଜନୀତିକ ମୁଦ୍ଦା କରିଛନ୍ତି ସେ ଏଥିରୁ ଦର୍ଶାଉଛନ୍ତି ଯେ ସେ ପ୍ରଧାନମନ୍ତ୍ରୀ ପଦର ଯୋଗ୍ୟ ନୁହନ୍ତି । ସେ କହିଥିଲେ,ମୁଁ ଏଯାଏଁ କେଉଁ ପ୍ରଧାନମନ୍ତ୍ରୀ ଦେଖିନାହିଁ ଯେ ଏଭଳି ନିମ୍ନସ୍ତରର ଟିପ୍ପଣୀ ଦେଇଥିବେ ।