ଲୋକସଭା ଉପନିର୍ବାଚନ: ଆଜମଗଡରୁ ଡିମ୍ପଲଙ୍କ ପ୍ରାର୍ଥିତ୍ୱ ଚର୍ଚ୍ଚାରେ ବିରାମ। ସାମ୍ନାକୁ ଆସିଲା ସୁଶିଲ ଆନନ୍ଦଙ୍କ ନାଁ।

142

କନକ ବ୍ୟୁରୋ: ଉତ୍ତର ପ୍ରଦେଶରେ ଲୋକସଭା ଉପନିର୍ବାଚନ ପାଇଁ ସମାଜବାଦୀ ଦଳ ପ୍ରାର୍ଥୀଙ୍କ ନାଁକୁ ନେଇ ଚର୍ଚ୍ଚା ବଢିଚାଲିଛି । ଅଖିଳେଶଙ୍କ ପତ୍ନୀ ଡିମ୍ପଲଙ୍କ ପ୍ରାର୍ଥୀ ହେବା ନେଇ ଯେଉଁ ଆଶା କରାଯାଉଥିଲା ତା ଉପରେ ଦଳ ଏକ ପ୍ରକାର ବିରାମ ଲଗାଇଛି । ଦଳ ପକ୍ଷରୁ ଆଜମଗଡ ଲୋକସଭା ଆସନ ପାଇଁ ସୁଶିଲ ଆନନ୍ଦଙ୍କୁ ପ୍ରାର୍ଥୀ ଘୋଷଣା କରାଯିବା ନେଇ ସୂଚନା ମିଳିଛି । ସୁଶିଲ ପୂର୍ବତନ ରାଜ୍ୟସଭା ସାଂସଦ ବିହାରୀବାବୁଙ୍କ ପୁଅ । ସୁଶିଲଙ୍କୁ ଦଳ ପ୍ରାର୍ଥୀ କରିବା ପରେ ଚର୍ଚ୍ଚା ଯୋର ଧରିଛି ଯେ, ଗଡବଞ୍ଚାଇବା ପାଇଁ ଦଳ ଦଳିତ କାର୍ଡ ଖେଳିଛି । ଏହା ପୂର୍ବରୁ ବହୁଜନ ସମାଜବାଦୀ ଦଳ ଆଲମ ଗୁଡ୍ଡୁ ଜମାଲିଙ୍କୁ ପ୍ରାର୍ଥୀ କରିଛି । ସେ ନାମାଙ୍କନ ଦାଖଲ କରିସାରିଛନ୍ତି । ସେପଟେ ବିଜେପି ବର୍ତ୍ତମାନ ସୁଦ୍ଧା କାହାକୁ ପ୍ରାର୍ଥୀ କରିଛି ତାହା ସ୍ପଷ୍ଟ କରିନାହିଁ । ତେବେ ଚର୍ଚ୍ଚାରେ ଦିନେଶ ଲାଲ ଯାଦବ ପ୍ରାର୍ଥୀ ହୋଇପାରନ୍ତି ।
ତେବେ ସମାଜବାଦୀ ଦଳ ପକ୍ଷରୁ କାର୍ଯ୍ୟକାରିଣୀ ବୈଠକରେ ଡିମ୍ପଲ ଯାଦବଙ୍କ ନାଁ ଉପରେ ମୋହର ବାଜିସାରିଥିଲା । ସୁତ୍ରରୁ ଜଣାପଡିଛି, ଦଳ ଅଧ୍ୟକ୍ଷ ଅଖିଲେଶ ଯାଦବ ଡିମ୍ପଲଙ୍କୁ ଆଜମଗଡରୁ ଲଢିବା ନେଇ ଘୋଷଣା କରିଥାନ୍ତେ । ତେବେ ପାଞ୍ଚ ଦିନ ପରେ ତାଙ୍କ ନାଁ ଉପରେ ହେଉଥିବା ସମସ୍ତ ଚର୍ଚ୍ଚାରେ ବିରାମ ଲାଗିଛି । ଏବେ ଅଖିଲେଶ ଦଳିତ କାର୍ଡ ଖେଳି ଆଜମଗଡ କିଲ୍ଲା ବଞ୍ଚାଇବା ପାଇଁ ପୁରା ପ୍ରସ୍ତୁତ ହୋଇସାରିଛନ୍ତି ।
ସୂଚନା ଅନୁସାରେ ଆଜମଗଡ, ରାମପୁର ଲୋକସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ସପା ଅଧ୍ୟକ୍ଷ ଅଖିଲେଶ ଯାଦବ, ଆଜମ ଖାନ ଇସ୍ତଫା ଦେବା ପରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ବିଧାନସଭା ନିର୍ବାଚନରେ ଅଖିଲେଶ କରହଲ ଆସନରୁ ବିଧାୟକ ନିର୍ବାଚିତ ହୋଇଛନ୍ତି । ଆଜମ ଖାନ ମଧ୍ୟ ବିଧାୟକ ହେବା ପରେ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ।