କନକ ବ୍ୟୁରୋ : ଭାରତର ପଡୋଶୀ ରାଷ୍ଟ୍ର ବାଂଲାଦେଶରେ ଏବେ ହିଂସା ଉଗ୍ରରୁୂପ ନେଇଛି । ପ୍ରଧାନମନ୍ତ୍ରୀ ଶେଖ ହସିନା ପଦରୁ ଇସ୍ତଫା ଦେବା ସହ ବାଂଲାଦେଶର ସରକାର ଭାଙ୍ଗିଯାଇଛି । ଏସବୁ ଭିତରେ ଭାରତୀୟ ସଂସଦରେ ଆଜି ବାଂଲାଦେଶକୁ ନେଇ ଝଡ ଦେଖିବାକୁ ମିଳିଛି । ରାଜ୍ୟସଭାରେ ବୈଦେଶିକମନ୍ତ୍ରୀ ଏସ୍ ଜୟଶଂକର କହିଛନ୍ତି ବାଂଲାଦେଶରେ ୧୯ ହଜାର ଭାରତୀୟ ରହିଛନ୍ତି । ଏହାସହ ସେ ଢାକାର ସେନା ସହ ସଂପର୍କରେ ଥିବା କଥା ମଧ୍ୟ ସୂଚିତ କରିଛନ୍ତି ।

Advertisment

ସେପଟେ ବାଂଲାଦେଶରେ ଫଶିଥିବା ଭାରତୀୟଙ୍କ ବାବଦରେ ସାଂସଦ ମନୋଜ ଝା କହିଛନ୍ତି କି, ମୋର ପୁରା ବିଶ୍ୱାସ ରହିଛି କି ଆମ ପ୍ରଧାନମନ୍ତ୍ରୀ ଓ ବିଦେଶ ମନ୍ତ୍ରୀ ଗତ କିଛି ସପ୍ତାହ ଧରି ବାଂଲାଦେଶରେ ଚାଲିଥିବା ହିଂସା ଉପରେ ନଜର ରଖିଛନ୍ତି । ତେଣୁ କେନ୍ଦ୍ର ସରକାର ଯାହା ନିଷ୍ପତ୍ତି ନେବେ ଆମେ ତାକୁ ସମର୍ଥନ କରିବୁ ।

ସାଂସଦ ସଂଜୟ ରାୱତ କହିଛନ୍ତି କି, ଯେଉଁ ଦେଶକୁ ଆମେମାନେ ନିର୍ମାଣ କରିଥିଲେ ଏବେ ସେ ଦେଶର ସ୍ଥିତି ଦେଖିଲେ ଦୁଃଖ ଲାଗୁଛି । ମୋଦୀ ସରକାରଙ୍କୁ କଟାକ୍ଷ କରି ସଂଜୟ ରାୱତ କହିଛନ୍ତି ବାଂଲାଦେଶରେ ଏଭଳି ସ୍ଥିତି ପାଇଁ ଲୋକତନ୍ତ୍ର ନାମରେ ଏକଛତ୍ରବାଦ ଶାସନ ଚଳାଉଥିବା ଶାସକ ଦାୟୀ । ବିରୋଧୀଙ୍କୁ ଜେଲରେ ରଖିବା, ସେମାନଙ୍କୁ ମିଥ୍ୟା ମାମଲାରେ ଫଶାଇବା,ଦରବୃଦ୍ଧି ଓ ବେରୋଜଗାରୀକୁ ନଜର ନଦେବାର ଫଳ ଶେଖ ହସିନା ଭୋଗିଛନ୍ତି ବୋଲି ସେ କହିଛନ୍ତି ।