ଆଗକୁ କେମିତି ହେବ ଶୀତ ଅଧିବେଶନ ମିଳିଲା ସଙ୍କେତ : ଚାଷୀ ପ୍ରସଙ୍ଗରେ ଆରମ୍ଭରୁ ଅଚଳ କଲେ ବିରୋଧୀ

କୃଷି ଆଇନ୍ ପ୍ରତ୍ୟାହର ପାଇଁ ବିଲ୍ ଉପରେ ଆଲୋଚନା ଦାବିରେ କଲେ ହଟ୍ଟଗୋଳ

55

କନକ ବ୍ୟୁରୋ : ଆଜି ସଂସଦର ଉଭୟ ଗୃହ ଶୀତକାଳିନ ଅଧିବେସନ ଆରମ୍ଭ ହୋଇଥିବା ବେଳେ ଆରମ୍ଭରୁ ହଙ୍ଗାମା କରିଛନ୍ତି ବିରୋଧୀ । ଫଳରେ ବାଚସ୍ପତି ଓମ ବିର୍ଲା ଲୋକସଭାକୁ ମୁଲତବି ରଖିଥିଲେ । ଏହାର କିଛି ସମୟ ପରେ ଉପସଭାପତି ଭେଙ୍କୟା ନାୟଡୁ ମଧ୍ୟ ରାଜ୍ୟସଭାକୁ ଘଂଟାକ ପାଇଁ ମୁଲତବି ରଖିଥିଲେ । କୃଷି ଆଇନ ପ୍ରତ୍ୟାହାର ଦାବି ନେଇ ବିଲ ଉପରେ ଆଲୋଚନା ଦାବି କରିଥିଲେ ବିରୋଧୀ । ଏହା ପରେ ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଗୃହକୁ ମୁଲତବି କରାଯାଇଥିଲା ।

ଆଗାମୀ ୨୩ ତାରିଖ ଯାଏଁ ସଂସଦ ଚାଲିବାକୁ ଥିବାବେଳେ ମୋଟ୍ ୨୬ଟି ବିଲ ଆଣିବାକୁ ସରକାର ଯୋଜନା କରିଛନ୍ତି । ଯାହା ଏତେ ସହଜ ହେବ ନାହିଁ ବୋଲି ଅନୁମାନ କରାଯାଉଛି । ଏଥର ଅଧିବେସନରେ ଚାଷୀ ପ୍ରସଙ୍ଗ ସାଙ୍ଗକୁ ଦରବୃଦ୍ଧି ପ୍ରସଙ୍ଗରେ ମଧ୍ୟ କେନ୍ଦ୍ର ସରକାରଙ୍କ ଘେରାବନ୍ଦୀ କରିବାକୁ ଯୋଜନା କରିଛନ୍ତି ବିରୋଧୀ । ପେଟ୍ରୋଲ, ଡିଜେଲ ଦର ସାମାନ୍ୟ କମିଥିଲେ ମଧ୍ୟ ରୋଷେଇ ଗ୍ୟାସ ଦର ମହଙ୍ଗା ରହିଛି । ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦର ମଧ୍ୟ ମହଙ୍ଗା ରହିଛି ।

ଅନ୍ୟପକ୍ଷରେ ବେରୋଜଗାରି ବଢି ଚାଲିଥିବାରୁ ସରକାରଙ୍କୁ ବିରୋଧୀ ଆକ୍ରମଣର ସାମ୍ନା କରିବାକୁ ପଡିବ । ପେଗାସସ ଗୁଇନ୍ଦାଗିରି ପ୍ରସଙ୍ଗ ମଧ୍ୟ ଏଥର ଶୀତ ଅଧିବେଶନକୁ ସରଗରମ କରିବା ସଂକେତ ମିଳୁଛି । ଗୁଇନ୍ଦା ସଫ୍ଟୱେୟାର ଜରିଆରେ ସରକାର ବିରୋଧୀଙ୍କ ଗୋପନୀୟତାକୁ କ୍ଷୁଣ୍ଣ କରିବା ସହ ବ୍ୟକ୍ତିଗତ ସ୍ୱାଧୀନତାକୁ ହନନ କରୁଥିବା ଅଭିଯୋଗ ରହିଛି । ଚୀନର ବିସ୍ତାରବାଦ ଏବଂ ଭାରତୀୟ ସୀମାରେ ଅନୁପ୍ରବେଶ ପ୍ରସଙ୍ଗ ମଧ୍ୟ ପ୍ରମୁଖ ପ୍ରସଙ୍ଗ ପାଲଟିବ ।