ରଥଯାତ୍ରା ପାଇଁ ପୁରୀରେ ପହଁଞ୍ଚିଲା ରଥକାଠ । ନୟାଗଡ ବନଖଣ୍ଡରୁ ଦୁଇଟି ଟ୍ରକରେ ଆସିଛି ୫୩ ଖଣ୍ଡ ଧଉରା ଓ ଅସନ କାଠ

ଶ୍ରୀପଂଚମୀ ଦିନ କାଠ ଚିରାଯାଇ ହେବ ଅନୁକୂଳ

112

କନକ ବ୍ୟୁରୋ: ପୁରୀରେ ପହଂଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ । ନୟାଗଡ଼ ବନଖଣ୍ଡରୁ ଦୁଇଟି ଟ୍ରକ୍ରେ ଆସିଛି ୫୩ ଖଣ୍ଡ କାଠ । ଏଥିରେ ଧଉରା ୨୦ ଫୁଟିଆ କାଠ ୧୦ ଖଣ୍ଡ ଏବଂ ଅସନ ୨୦ ଫୁଟିଆ କାଠ ୧୨ ଖଣ୍ଡ ରହିଛି । ସେହିପରି ୧୨ ଫୁଟିଆ ଧଉରା କାଠ ୧୫ ଖଣ୍ଡ ଥିବା ବେଳେ୧୨ ଫୁଟିଆ ଅସନ କାଠ ୭ ଖଣ୍ଡ ରହିଛି । ଏହି ସବୁ କାଠ ରଥନିର୍ମାଣ ବେଳେ କଣଗୁଡ଼ ଓ ଅନ୍ୟାନ୍ୟ କାର୍ଯ୍ୟରେ ଲାଗିବ । ଏପଟେ ଶ୍ରୀପଂଚମୀ ଦିନ ୩ଟି ଧଉରା କାଠକୁ ଅନୁକୁଳ କରାଯାଇ କାଠ ଚିରତ ପ୍ରକ୍ରିୟାର ଅନୁକୁଳ କରାଯିବ । ରଥ ସଂହିତା ମୁତାବକ ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ କାଠର ଆବଶ୍ୟକତା ରହିଛି । ତେବେ ଏଥର ୮୬୫ ଖଣ୍ଡ କାଠ ମଗାଇଛି, ଅବଶିଷ୍ଟ ୧୮୪ ଖଣ୍ଡ କାଠ ବଳକା ରହିଛି । ଗତବର୍ଷର ଏହି ବଳକା କାଠକୁ ଏଥର ବ୍ୟବହାର କରାଯିବ ବୋଲି ସୂଚନା ଦିଆଯାଇଛି ।

ଦୁଇଟି ଟ୍ରକରେ ମୋଟ ୫୩ ଖଣ୍ଡ କାଠ ଆସି ପୁରୀରେ ପହଞ୍ଚିଛି । ନୟାଗଡ ବନଖଣ୍ଡରୁ ଅସନ ଓ ଧଉରା କାଠ ବୋଝେଇ ହୋଇ ଆସିଛି । ଏହି ୫୩ ଖଣ୍ଡ କାଠ ମଧ୍ୟରେ ୨୦ ଓ ୧୨ ଫୁଟର ଅସନ ଓ ଧଉରା ୨ଟି ଟ୍ରକ ଯୋଗେ ରଥଖଳାକୁ ପଠାଯାଇଛି । ତେବେ ପ୍ରତିବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଲାଗି ନୟାଗଡ ବନଖଣ୍ଡର ଦଶପଲ୍ଲା ଜଙ୍ଗଲରୁ କାଠ ଆସିଥାଏ ।

ପରମ୍ପରା ଅନୁଯାୟୀ, ରଥଯାତ୍ରାର ନୀତି ମାଘ ମାସ ଅର୍ଥାତ୍ ଫେବୃଆରୀ ମାସରୁ ହିଁ ଆରମ୍ଭ ହୋଇଥାଏ । ଜଙ୍ଗଲରୁ କାଠ ଅଣାଯାଇ ବଡ଼ଦାଣ୍ଡର ରଥଖଳାରେ ପବିତ୍ର ଅକ୍ଷୟ ତୃତୀୟାରୁ ପୂଜା ହୋଇ କାଠ କଟା କାର୍ଯ୍ୟ ଆରମ୍ଭ ହୋଇଥାଏ । ଏହାପରେ ମୁଖ୍ୟ ବିଶ୍ୱକର୍ମା ମହାରଣା ସେବକଙ୍କ ନିର୍ଦ୍ଦେଶାନୁସାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ ।