ଓଡ଼ିଶା ମୁହାଁ ଉଡ଼ନ୍ତା ଆତଙ୍କ । ଜୁନ୍ ମାସରେ ଓଡିଶାକୁ ଆସିପାରନ୍ତି ପଙ୍ଗପାଳ, ଚାଷୀଙ୍କୁ ସଚେତନ ଓ ସତର୍କ ରହିବାକୁ ଓୟୁଏଟିର ପରାମର୍ଶ ।

662

କନକ ବ୍ୟୁରୋ : ୬୦ ବର୍ଷ ପରେ ଓଡିଶା ମୁହାଁଇ ପାରନ୍ତି ପଙ୍ଗପାଳ । କେନ୍ଦ୍ର ସରକାରଙ୍କ ସୂଚନା ଅନୁସାରେ, ଜୁନ୍ ୧୫ ପରେ ବିହାର ଓ ଓଡିଶାକୁ ପଙ୍ଗପାଳ ଆସିପାରନ୍ତି । ୧୯୬୦ ମସିହାରେ ଓଡିଶାକୁ ପଙ୍ଗପାଳ ଆସିଥିଲେ ବୋଲି ଉଲ୍ଲେଖ ରହିଛି । ବିଶିଷ୍ଟ କବି ଗୋଦାବରିଶ ମହାପାତ୍ର, ତାଙ୍କ ଗ୍ରନ୍ଥାବଳୀରେ ଏନେଇ ଉଲ୍ଲେଖ କରିଥିଲେ । ଆଜି ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ-ଓୟୁଏଟି ପକ୍ଷରୁ ମଧ୍ୟ ଏନେଇ ସୂଚନା ଦିଆଯାଇଛି । ତେବେ ଗତକାଲି ଓଡିଶା ସରକାର ବୈଠକ କରି ଏହାର ସମ୍ଭାବ୍ୟ ମୁକାବିଲା ପାଇଁ ପ୍ରସ୍ତୁତି କରିଛନ୍ତି ।

ଜୁନ୍ ମାସରେ ଓଡିଶାକୁ ଆସିପାରନ୍ତି ପଙ୍ଗପାଳ । ଚାଷୀଙ୍କୁ ସଚେତନ ଓ ସତର୍କ ରହିବାକୁ ଓୟୁଏଟିର ପରାମର୍ଶ । ପାକିସ୍ତାନ ଦେଇ ଆସିଥିବା ପଙ୍ଗପାଳ ଗୁଜରାଟ, ରାଜସ୍ଥାନ, ହରିୟାଣା, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ପହଁଚି ସାରିଲେଣି । ଯୁଆଡକୁ ଏହି ପଙ୍ଗପାଳ ଦଳ ଯାଉଛନ୍ତି ଏକର ଏକର ଅଂଚଳର ଗଛପତ୍ର ଓ ଫସଲ ଖାଇ ଯାଉଥିବା ଦେଖିବାକୁ ମିଳିଛି । ତେବେ ଜୁନ ମାସରେ ଓଡ଼ିଶା ଓ ବିହାର ମୁହାଁ ହୋଇପାରନ୍ତି ଏହି ପତଙ୍ଗ ଦଳ ।

କିପରି ପଙ୍ଗପାଳର ମୁକାବିଲା କରାଯିବ ସେନେଇ ରାଜ୍ୟରେ ଆରମ୍ଭ ହୋଇଯାଇଛି ବ୍ୟାପକ ପ୍ରସ୍ତୁତି । ପଙ୍ଗପାଳ ପ୍ରସଙ୍ଗରେ ଓଡ଼ିଶାର ଚାଷୀଙ୍କୁ ସଚେତନ କରିବା ପାଇଁ ଟିଭି ଓ ଅନ୍ୟାନ୍ୟ ଗଣମାଧ୍ୟମର ସହାୟତା ନିଆଯିବ । ପଙ୍ଗପାଳ ଦଳ ବ୍ୟାପକ ଫସଲ ନଷ୍ଟ କରୁଥିବାରୁ ଚାଷୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଡିନ୍ ଲଳିତ ମୋହନ ପଟ୍ଟନାୟକ ।

ଜିଲ୍ଲା ଓ ରାଜ୍ୟ ସ୍ତରରେ କଂଟ୍ରୋଲ ରୁମ ଖୋଲାଯାଇଛି । ବ୍ଲକ ସ୍ତରରୁ ପ୍ରତିଦିନ ରିପୋର୍ଟ ସଂଗ୍ରହ କରାଯିବାର ବ୍ୟବସ୍ଥା ହୋଇଛି । ଯଦି ରାଜ୍ୟକୁ ପଙ୍ଗପାଳ ଦଳ ଆସନ୍ତି, ତେବେ ଏହାର ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରାଯାଇଛି । ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, କଟକ ବିଦ୍ୟାଧରପୁର ସ୍ଥିତ ଧାନ ଗବେଷଣା, କୃଷି ବିଭାଗର ବୈଜ୍ଞାନିକଙ୍କୁ ନେଇ ଏକ ଟିମ୍ ଗଠନ କରାଯିବ । ଯଥେଷ୍ଟ ପରିମାଣର ନିମ୍ବ ତେଲ ଏବଂ ମାଲାଥିଅନ୍, କ୍ଲୋରପାଇରିଫସ୍, ଡେଲ୍ଟାମେଥ୍ରାନି ଭଳି ଔଷଧ ମହଜୁଦ ରଖିବାକୁ ସରକାରଙ୍କୁ କୁହାଯାଇଛି ।

ଗୋଲାପି ରଙ୍ଗର ପଙ୍ଗପାଳ । ଝିଂଟିକା ଭଳି ଦେଖା ଯାଉଥିବା ଏହି ଗୋଲାପୀ ରଙ୍ଗର ପଙ୍ଗପାଳ ସବୁଠୁ ଅଧିକ କ୍ଷତିକାରକ । ମାତ୍ର କିଛି ଦିନ ଭିତରେ ଏକର ଏକର ଜମିର ଫସଲ ଖାଇବା ସହ ଗଛରୁ ପତ୍ର ଖାଇ ଲଣ୍ଡା କରିଦେବାର କ୍ଷମତା ଏମାନଙ୍କର ରହିଛି । ଯଦି ଏମାନଙ୍କ ରଙ୍ଗ ହଲଦୀ ରଙ୍ଗ ହୋଇଯାଏ, ତେବେ ବିପଦ କମିଯାଏ ବୋଲି କହିଛନ୍ତି କୃଷି ବୈଜ୍ଞାନିକ । ଆଉଏବେ ଓଡ଼ିଶାର ପାଣିପାଗ ଅନୁକୂଳ ରହିଥିବାରୁ ପଙ୍ଗପାଳ ଦଳ ଆସିବା ଆଶଙ୍କା ରହିଛି । ତେବେ ମୌସୁମୀ ଆସିଗଲେ ସେମାନେ ଫେରିଯିବେ ବୋଲି କୁହାଯାଉଛି ।