ଓଡିଶା ମୁହାଁ ହୋଇପାରନ୍ତି ପଙ୍ଗପାଳ! ମଧ୍ୟପ୍ରଦେଶ ସୀମା ଦେଇ ଛତିଶଗଡ ମୁଁଗେଲିରେ ପଶିଛନ୍ତି ପଙ୍ଗପାଳ: ପ୍ରଶାସନ ପକ୍ଷରୁ ଘଉଡେଇବା ପାଇଁ ଉଦ୍ୟମ

ସୀମାନ୍ତବର୍ତ୍ତୀ ଓଡିଶା ଗାଁରେ ଛାନିଆ

510

କନକ ବ୍ୟୁରୋ: ପୁଣି ଓଡିଶାକୁ ପଙ୍ଗପାଳ ଭୟ । ମଧ୍ୟପ୍ରଦେଶ ସୀମା ଦେଇ ପଙ୍ଗପାଳ ଦଳ ଛତିଶଗଡକୁ ମୁହାଁଇଛନ୍ତି । ମିଳିଥିବା ସୂଚନା ଅନୁସାରେ ପଙ୍ଗପାଳ ଦଳ ମଧ୍ୟପ୍ରଦେଶ ସୀମା ଦେଇ ଛତିଶଗଡ ମୁଁଗେଲିରେ ପଶିଛନ୍ତି । ଏମାନଙ୍କୁ ଘଉଡେଇବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ଏପଟେ ଛତିଶଗଡ ସୀମାନ୍ତବର୍ତୀ ଓଡିଶା ଗାଁରେ ଲୋକଙ୍କ ମନରେ ପଙ୍ଗପାଳକୁ ନେଇ ଭୟ ସଂଚାର ହୋଇଛି ।

ଗତ ଜୁନ୧ ତାରିଖ ମଧ୍ୟପ୍ରଦେଶରୁ ଛତିଶଗଡ କରେୟା ଜିଲ୍ଲା ଭରତପୁର ଅଚଂଳକୁ ଆସି କ୍ଷୟକ୍ଷତି ଘଟାଇ ଗୋଟିଏ ଦିନ ପରେ ପୁଣି ମଧ୍ୟପ୍ରଦେଶକୁ ଫେରି ଯାଇଥିଲେ ପଙ୍ଗପାଳ ଦଳ । ଏବେ ପୁଣି ଏହି କରେୟା ଜିଲ୍ଲାର ଭରତପୁର ବ୍ଲକ ଡଙ୍ଗୋରିଟୋଲି ଅଚଂଳରେ ରହି ବ୍ୟାପକ କ୍ଷୟକ୍ଷତି ଘଟାଇ ଚାଲିଛନ୍ତି । ପଙ୍ଗପାଳଙ୍କୁ ଘଉଡାଇବା ପାଇଁ କରୋୟ ଜିଲ୍ଲା ପ୍ରଶାସନ ଓ କୃଷି ବିଭାଗ ତରଫରୁ କୀଟନାଶକ ସିଚଂନ କରାଯାଉଛି ।

ତେବେ ପଙ୍ଗପାଳ ଗୋଟିଏ ରାତିରେ ପାଖାପାଖି ୨୦୦ କିଲୋମିଟର ବେଗରେ ଉଡିବାର କ୍ଷମତା ରଖିଥାନ୍ତି । ପଙ୍ଗପାଳ ଏବେ କରେୟା ଜିଲ୍ଲାର ଭରତପୁର ବ୍ଲକ ଡଙ୍ଗୋରିଟୋଲି ଅଚଂଳରେ ଅଛନ୍ତି । ଏହି କରେୟା ଜିଲ୍ଲା ଠାରୁ ସୁନ୍ଦରଗଡ ମାତ୍ର ୩୨୦ କିଲୋମିଟର ଦୂର । ଯଦି ଏହି ପଙ୍ଗପାଳ ମଧ୍ୟପ୍ରଦେଶ ମୁହାଁ ନହୋଇ ଓଡିଶା ମୁହାଁ ହୁଅନ୍ତି ତେବେ ଗୋଟିଏ ରାତିରେ ଏମାନେ ସୁନ୍ଦରଗଡ ଜିଲ୍ଲାକୁ ପଶି ଆସିବାର ସମ୍ଭାବନା ରହିଛି । ଯାହାକୁ ନେଇ ଏବେ ଓଡିଶା ଚାଷୀ ଚିନ୍ତାରେ ପଡିଛନ୍ତି ।