କନକ ବ୍ୟୁରୋ : ଢିଙ୍କିଆରେ କୋକୁଆ ଭୟ । ଗତକାଲିର ଘଟଣା ପରେ ଖାଲି ହୋଇଯାଇଛି ଗାଁ । ପଇଁତରା ମାରୁଛି ପୁଲିସ, ଗିରଫ ଭୟରେ ଘର ଛାଡି ବିଲରେ ଲୁଚି ରହିଛନ୍ତି ଗ୍ରାମବାସୀ । ପାନବରଜ ଉଚ୍ଛେଦ ବେଳେ ଗ୍ରାମବାସୀ ଓ ପୁଲିସ ମଧ୍ୟରେ ହୋଇଥିବା ଧସ୍ତାଧସ୍ତି ଓ ମାରପିଟ୍ ଘଟଣାରେ ୮ଜଣଙ୍କୁ ଗିରଫ କରାଯାଇଛି । ଲୋକେ ବିଲରେ ଲୁଚି ଥିବା ବେଳେ ସେମାନଙ୍କୁ କ୍ୟାମେରାରେ କଏଦ କରିଛି କନକ ନ୍ୟୁଜ ।

Advertisment

ରଣକ୍ଷେତ୍ର ପରେ ଖାଁ ଖାଁ ଢିଙ୍କିଆ । ଘରେ ପଡିଛି ତାଟି କବାଟ । ଶୁକ୍ରବାର ଢ଼ିଙ୍କିଆ ଗ୍ରାମବାସୀ ଓ ପୋଲିସ ମଧ୍ୟରେ ଖଣ୍ଡଯୁଦ୍ଧ ହେବା ପରେ ଖାଲି ହୋଇଯାଇଛି ଗାଁ । ଘରେ ତାଟି କବାଟ ପଡିଛି । ଆନ୍ଦୋଳନରେ ସାମିଲ ହୋଇଥିବା ଗ୍ରାମବାସୀ ଯିଏ ଯୁଆଡେ ପାଇଛନ୍ତି ଚାଲିଯାଇଛନ୍ତି । କିଏ କେଉଁଆଡେ ଯାଇଛି ସେନେଇ କାହା ପାଖରେ କୌଣସି ଖବର ନାହିଁ । ବିଶେଷକରି ଗିରଫ ଭୟରେ ଗାଁ ପୁରୁଷ ଶୂନ୍ୟ ହୋଇଯାଇଛି । କିଛି ମହିଳା ଓ ଛୋଟ ପିଲା ଘର ଭିତରେ ଥିଲେ ବି ଭୟ ଭିତରେ ଅଛନ୍ତି । ଘରର ରୋଜଗାରିଆ ଲୋକ ଚାଲିଯାଇଥିବାରୁ ଚିନ୍ତାରେ ପଡିଛନ୍ତି ।

ଗ୍ରାମବାସୀଙ୍କୁ ଘାରିଛି ଗିରଫ ଭୟ । ପଇଁତରା ମାରୁଛି ପୋଲିସ । ବିଲରେ ଲୁଚିଛନ୍ତି ଢ଼ିଙ୍କିଆବାସୀ । ଶୁକ୍ରବାରର ଘଟଣା ପରେ ଢ଼ିଙ୍କିଆ ଲୋକଙ୍କ ଭିତରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଛି । ଅନେକ ଗ୍ରାମବାସୀଙ୍କ ବିରୋଧରେ ଥାନାରେ ମାମଲା ଥିବାରୁ କିଏ ବିଲରେ ଲୁଚିଛି, ତ ଆଉ କିଏ ପାଖ ଜଙ୍ଗଲରେ, ଆଉ କିଏ ପୋଖରୀ ହୁଡାରେ ଲୁଚିଥିବା ଦେଖିବାକୁ ମିଳିଛି । ଘରଠାରୁ କିଛି ଦୂରରେ ଥିବା ବିଲ ଭିତରେ ଲୁଚିଛନ୍ତି କିଛି ଗ୍ରାମବାସୀ । ପୋଲିସ ପଇଁତରା ମାରୁଥିବାରୁ ସେମାନଙ୍କୁ କାଳେ ଗିରଫ କରି ନେଇଯିବ ସେହି ଭୟରେ ସେମାନେ ଆତ୍ମରକ୍ଷା ପାଇଁ ଏମିତି ଲୁଚିଥିବା କୁହାଯାଉଛି ।

ପ୍ରାୟ ଦୁଇ ମାସ ଛକାପଂଝା ପରେ ଏବେ ଯେଉଁଁ ପରିସ୍ଥିତି ସୃଷ୍ଟି ହୋଇଛି ଅନୁମାନ କରାଯାଉଛି ପ୍ରକଳ୍ପ ବିରୋଧୀ ଗଡ ଢ଼ିଙ୍କିଆରେ ସ୍ୱର ନରମିଛି । ଆଉ ନେତା ଗିରଫ ହେବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ତେବେ ଆଗାମି ଦିନରେ ଗ୍ରାମବାସୀଙ୍କ ଆଭିମୁଖ୍ୟ କଣ ରହିବ ତାଉପରେ ସମସ୍ତଙ୍କ ନଜର ରହିଛି ।