କରୋନା ଓ ତାଲାବନ୍ଦ ନେଇ ତମାମ ରାଜ୍ୟର ଜନମତ ସର୍ଭେ । ତାଲାବନ୍ଦରେ କମିଛି କି ଆପଣଙ୍କ ରୋଜଗାର? ସାରା ଓଡିଶାରୁ ଆସିଲା ଚମକାଇ ଦେଲା ଭଳି ଉତ୍ତର

185

କନକ ବ୍ୟୁରୋ: କରୋନାର ସଂକ୍ରମଣ ଯେତେବେଳେ ସାରା ଦେଶରେ ବଢିବାକୁ ଲାଗିଲା, ଏହି ଭୟାବହ ଭୂତାଣୁର ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ମାର୍ଚ୍ଚ ୨୫ ତାରିଖରୁ ପର୍ଯ୍ୟାୟକ୍ରମେ ଲକଡାଉନ ଘୋଷଣା କରାଗଲା । ସାରା ଦେଶରେ ୬୮ ଦିନିଆ କଡ଼ା ଲକଡାଉନ କଟକଣା ଜାରି ହେବା ପରେ ଦେଶର ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହୋଇଛି । ଗତ ଆର୍ଥିକ ବର୍ଷର ଶେଷ ତ୍ରୈମାସିକ ରିପୋର୍ଟରେ ଦେଶରେ ଆର୍ଥିକ ଅଭିବୃଦ୍ଧି ୩.୧ ପ୍ରତିଶତକୁ ଖସି ଆସିଥିଲା । ଯାହା ଗତ ୮ ବର୍ଷ ମଧ୍ୟରେ ସବୁଠୁ କମ ରହିଥିଲା । ପରବର୍ତୀ ତ୍ରୈମୀସ ଅର୍ଥାତ ଚଳିତ ଆର୍ଥିକ ବର୍ଷର ଏପ୍ରିଲ-ଜୁନରେ ଦୋହଲି ଯାଇଛି ଦେଶର ଆର୍ଥିକ ସ୍ଥିତି । ଆକଳନ ଅନୁସାରେ ବହୁ ବର୍ଷ ପରେ ଦେଶରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । କରୋନା ମହାମାରୀ ଯୋଗୁଁ ବ୍ୟବସାୟ ଓ ବାଣିଜ୍ୟ ଉପରେ କୁପ୍ରଭାବ ପଡିବା ସହ, ସାରା ଦେଶରେ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି । ଯାହାର ପ୍ରଭାବ ପଡ଼ିଛି ଦେଶର ଅର୍ଥନୀତି ଉପରେ ।

ତେବେ କରୋନା ମାଡ଼ରେ ଓଡ଼ିଶାରେ କି ପ୍ରଭାବ ପଡ଼ିଛି? ଓଡ଼ିଶାବାସୀଙ୍କ ଜୀବନ ଜୀବିକା କିପରି ପ୍ରଭାବିତ ହୋଇଛି, ତାହା ଜାଣିବା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସର୍ଭେ କରିଥିଲା କନକ ନ୍ୟୁଜ । ଉପକୂଳ ଓଡ଼ିଶାରୁ ଦକ୍ଷିଣ ଓଡ଼ିଶା, ଉତର ଓଡ଼ିଶାରୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରେ ଏହି ସର୍ଭେ କରାଯାଇଥିଲା । ପ୍ରଥମଥର ପାଇଁ ଏଭଳି ଏକ ଜନମତ ସର୍ଭେ କରାଯାଇଛି । ନେତାଙ୍କ ଲୋକପ୍ରିୟତା କିମ୍ବା ନିର୍ବାଚନ ପରେ ଭୋଟରଙ୍କ ମୁଡ ପରଖିବାକୁ ଅନେକ ସେର୍ଭ ପୂର୍ବରୁ କରାଯାଇଛି । ହେଲେ କୋଟି କୋଟି ଓଡିଆଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିବା ଏକ ଅଜଣା ଓ ସଂପୂର୍ଣ୍ଣ ନୂଆ ପ୍ରକାର ଭୂତାଣୁର ଭୟ କିଭଳି ରାଜ୍ୟର ସାଧାରଣ ଲୋକଙ୍କ ଜୀବନ ଜୀବିକାକୁ ବିଗାଡି ଦେଇଛି, ତାହା ହାଁ ଜାଣିବାକୁ ଚେଷ୍ଟା କରିଛି କନକ ନ୍ୟୁଜ୍ । ଯେଉଁଥିରେ ଅନେକ ଗୁଡିଏ ପ୍ରଶ୍ନ ଓଡିଶାବାସୀଙ୍କୁ ପ୍ରଶ୍ନ କରାଯାଇଥିଲା । ଆଉ ଏହି ପ୍ରଶ୍ନର ଉତର ଜନତା ହଁ ଏବଂ ନାଁରେ ରଖିଥିଲେ । ଲୋକଙ୍କୁ କନକ ନ୍ୟୁଜର ପ୍ରଥମ ପ୍ରଶ୍ନ ଥିଲା –

ତାଲାବନ୍ଦ ଯୋଗୁଁ ଆପଣଙ୍କ ରୋଜଗାର କମିଛି କି?

ଏହାର ଉତ୍ତର ରହିଛି ଅତ୍ୟନ୍ତ ଉଦବେଗଜନକ

ହଁ – ୯୮.୨ %

ନା – ୧.୮ %

ଅର୍ଥାତ ମାତ୍ର ୨ ପ୍ରତିଶତରୁ କମ ଲୋକଙ୍କର ଲକ୍ଡାଉନ ଯୋଗୁଁ ରୋଜଗାର ପ୍ରଭାବିତ ହୋଇନାହିଁ । ୯୮ ପ୍ରତିଶତରୁ ଅଧିକ ଲୋକଙ୍କର ରୋଜଗାର କମିଛି ।  ତେବେ  ଏହି ସର୍ଭେରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ୯୮.୦୮ ପ୍ରତିଶତ ପୁରୁଷଙ୍କ ରୋଜଗାର ପ୍ରଭାବିତ ହୋଇଥିବା ବେଳେ ସର୍ଭେରେ ଭାଗ ନେଇଥିବା ଶହ ପ୍ରତିଶତ ମହିଳା କହିଛନ୍ତି, ସେମାନଙ୍କ ରୋଜଗାର ପ୍ରଭାବିତ ହୋଇଛି ।
ମହିଳାଙ୍କ ଭଳି ସର୍ଭେରେ ଭାଗ ନେଇଥିବା ଶହେ ପ୍ରତିଶତ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ରୋଜଗାର କମିଛି ।

ସର୍ଭେରେ ପଚାରା ଯାଇଥିବା ଦ୍ୱିତୀୟ ପ୍ରଶ୍ନ ହେଉଛି –

ରୋଜଗାର କେତେ ପ୍ରତିଶତ ହ୍ରାସ ପାଇଛି?

ସର୍ଭେରେ ଭାଗ ନେଇଥିବା ୫.୬୭ % ଲୋକଙ୍କର ୨୫ ପ୍ରତିଶତ ରୋଜଗାର କମିଛି

୩୭.୧୯ % ଲୋକଙ୍କର ୫୦ ପ୍ରତିଶତ ରୋଜଗାର କମିଯାଇଛି

୩୯.୨୩ % ଲୋକ ୭୫ ପ୍ରତିଶତ ରୋଜଗାର ହରାଇଛନ୍ତି

୧୭.୯୧ % ଲୋକଙ୍କର ରୋଜଗାର ୧୦୦ ପ୍ରତିଶତ କମିଯାଇଛି

ଅର୍ଥାତ୍ ସର୍ଭେରେ ଭାଗ ନେଇଥିବା ୧୭ ପ୍ରତିଶତରୁ ଅଧିକ ଲୋକ କହିଛନ୍ତି ସେମାନଙ୍କ ରୋଜଗାର ଶୂନ ହୋଇଯାଇଛି ।
ବିଶେଷ କରି ଯୁବବର୍ଗ ଓ ୬୦ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କ ରୋଜଗାର ଅଧିକ ପ୍ରଭାବିତ ହୋଇଛି । ଏବେ ନଜର ପକାଇବା କେଉଁ ବର୍ଗର ଲୋକଙ୍କ ରୋଜଗାର ଶୂନ ହୋଇଯାଇଛି ।

୨୫ ପ୍ରତିଶତ କର୍ମଜୀବୀ ମହିଳା – ରୋଜଗାର ଶୂନ

୧୭.୫ ପ୍ରତିଶତ ପୁରୁଷ – ରୋଜଗାର ଶୂନ

୧୮ରୁ ୨୯ ବର୍ଷ ଯୁବକ – ୩୦.୯୯ % – ରୋଜଗାର ଶୂନ

୩୦ରୁ ୪୪ ବର୍ଷର ବ୍ୟକ୍ତି – ୧୫.୪୯ % – ରୋଜଗାର ଶୂନ

୪୫ରୁ ୫୯ ବର୍ଷର ବ୍ୟକ୍ତିି – ୧୨.୯ % – ରୋଜଗାର ଶୂନ

୬୦ରୁ ଉଦ୍ଧ୍ୱର୍ ବୟସ୍କ ବ୍ୟକ୍ତି – ୩୦ % – ରୋଜଗାର ଶୂନ

ସେହିପରି ସର୍ଭେରୁ ଜଣାପଡ଼ିଛି ଯେ ୯୪.୩୩ ପ୍ରତିଶତ ଲୋକଙ୍କର ରୋଜଗାର ଅଧାରୁ ଅଧିକ ହ୍ରାସ ପାଇଛି । ସେହିଭଳି ସର୍ଭେର ତୃତୀୟ ପ୍ରଶ୍ନ ଥିଲା

ଆପଣଙ୍କ ପାଖରେ ଥିବା ସଂଚୟ ସରିଗଲାଣି କି?

ହଁ – ୮୮.୮୯ %

ନା – ୧୧.୧୧ %

କେଉଁ ବର୍ଗ ଲୋକଙ୍କ ସଂଚୟ ଶେଷ

ପୁରୁଷ – ୮୮.୭୩ % – ସଂଚୟ ଶେଷ

ମହିଳା – ୯୧.୬୭ % – ସଂଚୟ ଶେଷ

୧୮ରୁ ୨୯ ବର୍ଷ ଯୁବକ – ୯୨.୯୬ % – ସଂଚୟ ଶେଷ

୩୦ରୁ ୪୪ ବର୍ଷର ବ୍ୟକ୍ତି – ୮୭.୬୧ % – ସଂଚୟ ଶେଷ

୪୫ରୁ ୫୯ ବର୍ଷର ବ୍ୟକ୍ତିି – ୮୮.୭୧ % – ସଂଚୟ ଶେଷ

୬୦ରୁ ଉଦ୍ଧ୍ୱର୍ ବୟସ୍କ ବ୍ୟକ୍ତି – ୯୦ % – ସଂଚୟ ଶେଷ