ଆଜିଠୁ ୩ୟ ପର୍ଯ୍ୟାୟ ଲକଡାଉନ୍ ଆରମ୍ଭ: ଅନେକ କ୍ଷେତ୍ରରେ କୋହଳ ହେଲା କଟକଣା; ବିମାନ, ରେଳ, ଆନ୍ତଃରାଜ୍ୟ ବସ୍, ହୋଟେଲ ଓ ସ୍କୁଲ କଲେଜ ବନ୍ଦ: ମଲ ଓ ମାର୍କେଟ କମ୍ପେଲକ୍ସ ଛାଡି ଦୋକାନ ବଜାର ଖୋଲିବା ହେଲା କୋହଳ

ଗ୍ରାମଂଚଳରେ ସମସ୍ତ ନିର୍ମାଣ କାର୍ଯ୍ୟକୁ ଅନୁମତି

575

କନକ ବ୍ୟୁରୋ: ଆଜିଠାରୁ ଆରମ୍ଭ ହେଉଛି ଦେଶରେ ତୃତୀୟ ପର୍ଯ୍ୟାୟ ଲକଡାଉନ୍ । ୧୪ ଦିନ ପର୍ଯ୍ୟନ୍ତ ଅର୍ଥାତ୍ ମେ’ ୧୭ ତାରିଖ ପର୍ଯ୍ୟନ୍ତ ତାଲାବନ୍ଦ ଜାରି ରହିବ । ତେବେ ପ୍ରଥମ ଦୁଇ ପର୍ଯ୍ୟାୟରେ ଯେତିକି କଟକଣା ଲାଗୁ ହୋଇଥିଲା, ଏହି ପର୍ଯ୍ୟାୟରେ ସେଥିରେ ଅନେକ କୋହଳ କରାଯାଇଛି । କେନ୍ଦ୍ର ସରକାରଙ୍କ ଗାଇଡ୍ଲାଇନ୍ ପରେ ରାଜ୍ୟରେ କ’ଣ ଖୋଲା ହେବ କ’ଣ ବନ୍ଦ ରହିବ, ଏ ନେଇ ନୂଆ ଗାଇଡଲାଇନ୍ ଜାରି କରାଯାଇଛି । ଗୋଟିଏ ପଟେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ଓ ଅନ୍ୟପଟେ ଜୀବିକା ପାଇଁ ବାଟ ଖୋଲିବା । ଏହାକୁ ଦୃଷ୍ଟିରେ ରଖି ସରକାର ପଦକ୍ଷେପ ନେଇଛନ୍ତି । କିନ୍ତୁ କଂଟେନମେଂଟ୍ ବା ଅବରୋଧ ଅଂଚଳରେ ପୂର୍ବଭଳି ଜାରି ରହିବ କଟକଣା । ଅର୍ଥାତ୍ ସବୁପ୍ରକାର ଦୋକାନ ବନ୍ଦ ରହିବ । ଏହି ଅଂଚଳ ଭିତରକୁ କିମ୍ବା ଏହି ଅଂଚଳ ବାହାରକୁ ଯିବା ଉପରେ କଟକଣା ବଳବତର ରହିବ ।

ପ୍ରଥମେ ନଜର ପକାନ୍ତୁ ଅବରୋଧ ଅଂଚଳକୁ ଛାଡିଦେଲେ ରେଡ୍ ଜୋନରେ କ’ଣ ଖୋଲା, କ’ଣ ବନ୍ଦ?

ସହରାଂଚଳରେ ସ୍ପେଶାଲ୍ ଇକୋନମିକ୍ ଜୋନ୍/ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍କୁ ଛାଡିଦେଲେ ଅନ୍ୟାନ୍ୟ ଶିଳ୍ପ ବନ୍ଦ । ଅତ୍ୟାବଶ୍ୟକ ସାମଗ୍ରୀ, ମେଡିକାଲ ଉପକରଣ, ଔଷଧ ଉତ୍ପାଦନ ଜାରି ରହିବ । ଆଇଟି ହାର୍ଡୱେର ଉତ୍ପାଦନ କାରଖାନା, ଝୋଟ କଳ ଆଦି ସିଫ୍ଟ ଅନୁଯାୟୀ ସାମାଜିକ ଦୂରତା ରଖି କାର୍ଯ୍ୟ କରିପାରିବେ । ସହରାଂଚଳର ଗୋଟିକିଆ ଦୋକାନ, ଜନବସତି ନିକଟରେ ଥିବା ଦୋକାନ ଖୋଲା ରହିବ । ବାହାରୁ ଶ୍ରମିକ ନଆଣି ସହରାଂଚଳରେ ନିର୍ମାଣ କାର୍ଯ୍ୟ ଚାଲିପାରିବ । ଗ୍ରାମାଂଚଳରେ ଥିବା ଦୋକାନ ଖୋଲିବ, ସମସ୍ତ ଶିଳ୍ପାନୁଷ୍ଠାନ ଓ ନିର୍ମାଣ କାର୍ଯ୍ୟ ଜାରି ରହିବ । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ପାରିବେ ଇ-କମର୍ସ କଂପାନୀ । ଘରୋଇ କଂପାନୀ ୩୩ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିପାରିବେ । ନିୟମ ଅନୁସାରେ ସରକାରୀ ଅଫିସ ଖୋଲିବ । ମଲ୍କୁ ଛାଡ଼ି ଗ୍ରାମାଂଚଳରେ ଥିବା ଦୋକାନ ଖୋଲିବ, ଶିଳ୍ପାନୁଷ୍ଠାନ ଓ ନିର୍ମାଣ କାର୍ଯ୍ୟ ଜାରି ରହିବ । ଅନୁମତିପ୍ରାପ୍ତ କାର୍ଯ୍ୟ ପାଇଁ ଚାରିଚକିଆ ଗାଡିରେ ଡ୍ରାଇଭର ସହ ଦୁଇ ଜଣ ଯାତ୍ରୀ, ଦୁଇଚକିଆ ଗାଡ଼ିରେ ମାତ୍ର ଜଣେ ଯାଇପାରିବ । ଟାକ୍ସି, ଅଟୋ-ରିକ୍ସା, ଯାତ୍ରୀ ପରିବହନ, ସେଲୁନ୍, ସ୍ପା ବନ୍ଦ ରହିବ । ମଲ୍ ଓ ମାର୍କେଟ କମ୍ପେ୍ଲକ୍ସରେ ଥିବା ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବ । ଆନ୍ତଃରାଜ୍ୟ ଓ ଆନ୍ତଃଜିଲ୍ଲା ମାଲ ପରିବହନ ଜାରି ରହିବ । ସ୍ୱାସ୍ଥ୍ୟ ସେବା ଉପରେ କଟକଣା ନାହିଁ । ବ୍ୟାଙ୍କ, ବୀମା, ଏଟିଏମ୍ ଖୋଲା ରହିବ । ନରେଗା କାର୍ଯ୍ୟ, ଜଳସେଚନ, ପାଣି ଯୋଗାଣ ଓ କୃଷି କାର୍ଯ୍ୟ ଜାରି ରହିବ ।

ରେଡ୍ ଜୋନ୍ ପାଇଁ ଯାହା କୋହଳ ଅଛି, ତାହା ସହ ଆଉ କିଛି କଟକଣା କୋହଳ ହୋଇଛି ଅରେଂଜ ଜୋନ୍ ପାଇଁ । ଏବେ ନଜର ପକାଇବା ଅରେଂଜ ଜୋନ୍ରେ କ’ଣ ଖୋଲା, କ’ଣ ବନ୍ଦ?

ଟାକ୍ସି ସହ ଚାରିଚକିଆ ଗାଡି ଚଳାଚଳ କରିବ, ତେବେ ଜଣେ ଡ୍ରାଇଭର ଓ ୨ ଜଣ ଯାତ୍ରୀଙ୍କୁ ଅନୁମତି ମିଳିବ । ଦୁଇଚକିଆ ଯାନରେ ୨ ଜଣ ଯାଇପାରିବେ । ରିକ୍ସା ଓ ଅଟୋ ରିକ୍ସା ଚାଲିବ । ବସ୍ ଚଳାଚଳ ପାଇଁ ଅନୁମତି ନାହିଁ । ଜିଲ୍ଲା-ଜିଲ୍ଲା ମଧ୍ୟରେ ଯାତାୟ୍ରତ ପାଇଁ ଅନୁମତି ଆବଶ୍ୟକ । ବାରିକ ଦୋକାନ, ସେଲୁନ୍ ଓ ସ୍ପା ଖୋଲିବାକୁ ଅନୁମତି ଦିଆଯାଇଛି । ଅତ୍ୟାବଶ୍ୟକ ଓ ଅଣ-ଅତ୍ୟାବଶ୍ୟକ ସାମଗ୍ରୀ କାରବାର ପାଇଁ ଇ-କମର୍ସ କଂପାନୀକୁ ଅନୁମତି । ଉଭୟ ସହରାଂଚଳ ଓ ଗ୍ରାମାଂଚଳରେ ଶିଳ୍ପାନୁଷ୍ଠାନ ଖୋଲା ରହିବ । ନିର୍ମାଣ କାର୍ଯ୍ୟ ପାଇଁ ସବୁ କଟକଣା ହଟାଇ ଦିଆଯାଇଛି । ସହରାଂଚଳର ମାର୍କେଟ କମ୍ପେ୍ଲକ୍ସ ଖୋଲିବ, ତେବେ ୬ ଫୁଟ ସାମାଜିକ ଦୂରତା ବାଧ୍ୟତାମୂଳକ । ଗ୍ରାମାଂଚଳର ସମସ୍ତ ଦୋକାନ ଖୋଲା ରହିବ । ନିୟମ ଅନୁସାରେ ସରକାରୀ ଅଫିସ ଖୋଲିବ । ଘରୋଇ କଂପାନୀ ଖୋଲିବା ପାଇଁ ବାଧା ନାହିଁ ।

ସେହିପରି ରେଡ୍ ଜୋନ ଓ ଅରେଂଜ ଜୋନ୍ ପାଇଁ ଯେତିକି କୋହଳ ହୋଇଛି, ଗ୍ରୀନ୍ ଜୋନ୍ରେ ଆଉ କିଛି କଟକଣା କୋହଳ କରିଛନ୍ତି ସରକାର । ଏହା ଅପେକ୍ଷାକୃତ ବିପଦମୁକ୍ତ ଜୋନ୍ ହୋଇଥିବାରୁ ସାରା ଦେଶରେ ସବୁ ଜୋନ୍ ପାଇଁ ଥିବା କଟକଣାକୁ ଛାଡିଦେଲେ ଅନ୍ୟ କଟକଣାକୁ ଗ୍ରୀନ୍ ଜୋନ୍ରେ କୋହଳ କରାଯାଇଛି । ଏବେ ଆସନ୍ତୁ ନଜର ପକାଇବା ଗ୍ରୀନ୍ ଜୋନ୍ରେ କ’ଣ ହେଲା କୋହଳ?

ତିନି ଜୋନ୍ ପାଇଁ ଥିବା କଟକଣାକୁ ଛାଡିଦେଲେ ଉଭୟ ଗ୍ରାମାଂଚଳ ଓ ସହରାଂଚଳରେ ସବୁ ଦୋକାନ ଖୋଲିବାକୁ ଅନୁମତି । ସେଲୁନ୍, ସ୍ପା, ବାରିକ ଦୋକାନ ଖୋଲା ରହିବ । ଟାକ୍ସି ଚାଲିବ, ଅଟୋ ରିକ୍ସା ଓ ରିକ୍ସା କଟକଣା ମୁକ୍ତ । ଯିବାଆସିବାରେ କୌଣସି କଟକଣା ନାହିଁ । ଚାରିଚକିଆ ଗାଡିରେ ଜଣେ ଡ୍ରାଇଭର ଓ ୨ ଜଣ ଯାତ୍ରୀଙ୍କୁ ଅନୁମତି ମିଳିବ । ଦୁଇଚକିଆ ଯାନରେ ୨ ଜଣ ଯାଇପାରିବେ ।